ଗୋଆ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ବିଜୟୀ

ଜାତୀୟ ମହିଳା ଫୁଟ୍‌ବଲ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ଗୋଆ, ଉତ୍ତରପ୍ରଦେଶ ଓ ମହରାଷ୍ଟ୍ର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଗୋଆ ୩-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମିଚେଲ୍‌ କାଷ୍ଟାନା ୩୮ ମିନିଟ୍‌, କରିସ୍ମା ସିର୍‌ଭୋଇକର ୩୯ ମିନିଟ୍‌ ଓ ନେଭିଲା କୋଲାକୋ ୫୭ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଉତ୍ତରପ୍ରଦେଶ ୧-୦ ଗୋଲ୍‌ରେ ଅରୁଣାଚଳ ପ୍ରଦେଶକୁ ହରାଇଥିଲା। ପିଙ୍କି କୁମାରୀ ମ୍ୟାଚ୍‌ର ଏହି ଏକମାତ୍ର ଗୋଲ୍‌ କରିଥିଲେ। ତୃତୀୟ ମ୍ୟାଚ୍‌ରେ ମହାରାଷ୍ଟ୍ର ୩-୧ ଗୋଲ୍‌ରେ କର୍ଣ୍ଣାଟକକୁ ହରାଇଥିଲା। ମହାରାଷ୍ଟ୍ର ପକ୍ଷରୁ ସୋନାଲି ଚେମତେ (୧୧ ଓ ୬୫ ମିନିଟ୍‌) ଦୁଇଟି ଓ ମୁରିଏଲ୍‌ ଆଦାମ (୧୪ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲା ବେଳେ କର୍ଣ୍ଣାଟକ ପକ୍ଷରୁ ଏକମାତ୍ର ଗୋଲ୍‌ ପରୋମିତା ସିଟ୍‌ (୩୯ ମିନିଟ୍‌) ଶୁଝି ଦେଇଥିଲେ। ତେଲେଙ୍ଗାନା ଓ ଆସାମ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ତେଲେଙ୍ଗାନାର ଗୁଗୁଲୋଥ ସୌମ୍ୟା ୩୬ ମିନିଟ୍‌ ଓ ଆସାମର କନିକା ବ୍ରହ୍ମା ୮୨ ମିିନିଟ୍‌ରେ ଗୋଲ କରିଥିଲେ।

କ୍ୱାର୍ଟରରେ ଓଡ଼ିଶା-ତାମିଲନାଡ଼ୁ
ଓଡ଼ିଶା ଓ ତାମିଲନାଡ଼ୁ ମଧ୍ୟରେ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ବୁଧବାର ପ୍ରକାଶିତ କ୍ୱାର୍ଟର ଫାଇନାଲ୍‌ ମୁକାବିଲା ତାଲିକା ଅନୁଯାୟୀ ଉଭୟ ଦଳ ଆସନ୍ତା ୯ ତାରିଖରେ ପରସ୍ପରକୁ ଭେଟିବେ। ଏମାନଙ୍କ ବ୍ୟତୀତ ୯ ତାରିଖରେ ଦିଲ୍ଲୀ ଓ ରେଳବାଇ, ୧୦ ତାରିଖରେ ମଣିପୁର ଓ ହରିୟାଣା ଏବଂ ପଞ୍ଜାବ ଓ ପଶ୍ଚିମବଙ୍ଗ ମଧ୍ୟରେ ଅନ୍ୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ୧୨ ତାରିଖରେ ସେମିଫାଇନାଲ୍‌ ଓ ୧୪ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର