ଗୋଆକୁ ସୁପର କପ୍

ଭୁବନେଶ୍ବର: ଚେନ୍ନାଇନ ଏଫ୍‌ସିକୁ ୨-୧ ଗୋଲ୍‌ରେ ହରାଇ ଗୋଆ ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜେତା ହୋଇଛି। ଅନ୍ୟ ପକ୍ଷରେ ମାଲିକ ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଉପସ୍ଥିତି ସତ୍ତ୍ବେ ଚେନ୍ନାଇନ୍ ଉପବିଜେତାରେ ସନ୍ତୁଷ୍ଟ ରହିଛି। ରବିବାର ଫାଇନାଲର ପ୍ରଥମାର୍ଧରେ କୌଣସି ଗୋଲ୍ ଦେଖିବାକୁ ମିଳିନଥିଲା। ପ୍ରଥମ ୪୫ ମିନିଟ୍ ଖେଳରେ ସ୍କୋର କାର୍ଡ ୦-୦ ରହିଥିଲା। ତେବେ ତିନିଟି ଯାକ ଗୋଲ୍ ଦ୍ବିତୀୟାର୍ଧରେ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଚେନ୍ନାଇନ୍ ଗୋଟିଏ ଏବଂ ଗୋଆ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ବିଜେତା ଟ୍ରଫି ସହ ଗୋଆ ୨୫ ଏବଂ ଚେନ୍ନାଇନ୍ ଉପବିଜେତା ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲା। ପ୍ରଥମାର୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ। ହେଲେ କେହି କାହାରିକୁ ଗୋଲ୍‌ ଦେଇପାରି ନଥିଲେ। ୧୯ ଓ ୨୩ ମିନିଟରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ପରେ ଚେନ୍ନାଇନ୍ ଆଉ ଗୋଆ ରକ୍ଷଣଭାଗକୁ ଭେଦ କରି ପାରି ନଥିଲା। ଗୋଆ ମଧ୍ୟ ବହୁ ଚେଷ୍ଟା ପରେ ଚେନ୍ନାଇନ୍ ଗୋଲ୍ ରକ୍ଷକଙ୍କୁ ଚକମା ଦେବାକୁ ସକ୍ଷମ ହୋଇ ନଥିଲା। ୫୦ ମିନିଟର ଗତିରୋଧ ପରେ କିନ୍ତୁ ମାତ୍ର ୧୦ ମିନିଟ୍ ଭିତରେ ଏହି ତିନିଟି ଯାକ ଗୋଲ୍ ଦେଖିବାକୁ ମିଳିଥିଲା। ୫୧ ମିନିଟରେ ଫେରାନ କରୋମିନାସ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ରେ ଗୋଆକୁ ଆଗୁଆ କରି ଦେଇଥିଲେ। ୫୪ ମିନିଟରେ ରାଫେଲ ଅଗଷ୍ଟୋଙ୍କ ଗୋଲ୍ ବଳରେ ଚେନ୍ନାଇ ଏହାକୁ ଶୁଝି ଦେଇଥିଲା। ୭ ମିନିଟ୍ ପରେ ଗୋଆ ବ୍ରେଣ୍ଡନ ଫର୍ନାଣ୍ଡିସଙ୍କ ଗୋଲ୍ ବଳରେ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ଶେଷ ୨୯ ମିନିଟରେ ଆଉ ଗୋଲ୍ ନହେବାରୁ ଗୋଆ ବିଜୟ ମୁକୁଟ ପିନ୍ଧିଥିଲା। ଗୋଆ ଗୋଲ୍‌ରକ୍ଷକ ମହମ୍ମଦ ନୱାଜ ମ୍ୟାଚ୍ ଏବଂ ଗୋଆର ଫେରାନ କରୋମିନାସ (୫ ଗୋଲ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ଏଆଇଏଫଏଫର ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ ଓ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏଆଇଏଫଏଫର ବହୁ କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ। ସୁପରକପ୍ ଦ୍ବିତୀୟ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଗତବର୍ଷ ଏଠାରେ ଆୟୋଜିତ ପ୍ରଥମ ସଂସ୍କରଣରେ ବେଙ୍ଗାଲୁରୁ ଏଫସି ୪-୧ ଗୋଲ୍‌ରେ ଇଷ୍ଟବେଙ୍ଗଲକୁ ପରାସ୍ତ କରି ବିଜେତା ହୋଇଥିଲା। ଚଳିତ ବର୍ଷ ଗୋଆ ବିଜେତା ହେବା ପରେ ଦୁଇଟିଯାକ ସଂସ୍କରଣରେ ନୂଆ ନୂଆ ବିଜେତା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର