ଗୋଲ୍ଡ କପ୍‌ ମହିଳା ଫୁଟ୍‌ବଲ୍‌: ଭାରତ ବିଦା, ମିଆଁମାର-ନେପାଳ ଫାଇନାଲ୍‌

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡ କପ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରୁ ଭାରତ ବିଦା ହୋଇଯାଇଛି। ବୁଧବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୦-୨ ଗୋଲ୍‌ରେ ମିଆଁମାର୍‌ଠୁ ହାରି ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ଭାରତକୁ ବିଦା କରିଥିବା ମିଆଁମାର୍‌ ଫାଇନାଲ୍‌ରେ ନେପାଳକୁ ଭେଟିବ। ବୁଧବାରର ପ୍ରଥମ ମ୍ୟାଚ୍‌ରେ ନେପାଳ ୩-୦ ଗୋଲ୍‌ରେ ଇରାନ୍‌କୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ନେପାଳ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ୍‌ ପାଇ ଦ୍ବିତୀୟରେ ରହିଥିଲା ବେଳେ ମିଆଁମାର ଅପରାଜେୟ ସହ ୯ ପଏଣ୍ଟ୍‌ ପାଇ ‌ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଭାରତ ଗୋଟିଏ ବିଜୟ ସହ ୩ ପଏଣ୍ଟ୍‌ ଏବଂ ଇରାନ ବିଜୟ ଶୂନ୍ୟ ରହି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ବୁଧବାରର ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଜୁଲି କିଆଓଙ୍କ ଗୋଲ୍‌ରେ ମିଆଁମାର ଅଗ୍ରଣୀ ନେଇଯାଇଥିଲା। ୧୩ ମିନିଟ୍‌ରେ ଭାରତକୁ ଏକ ସୁଯୋଗ ମିଳିଥିଲା। ସଂଜୁଙ୍କ ଏକ ସଟ୍‌କୁ ମିଆଁମାର ଗୋଲ୍‌ ରକ୍ଷିକା ସଫଳତାର ସହ ଅଟକାଇ ଦେଇଥିଲେ। ଏହା ପରେ ଉଭୟ ଦଳ ବହୁ ‌ସୁ‌ଯୋଗ ହାତଛଡ଼ା କରିଥିଲେ। ପ୍ରାରମ୍ଭିକ ଗୋଲ୍‌ ଯୋଗୁଁ ମିଆଁମାର ପ୍ରଥମାର୍ଧରେ ୧-୦ ଅଗ୍ରଣୀ ରହିଥିଲା। ଦ୍ବିତୀୟାର୍ଧରେ ମିଆଁମାର ଗୋଲ୍‌ ପୋଷ୍ଟ୍‌କୁ ଭାରତୀୟ ଖେଳାଳି ଘନ ଘନ ଆକ୍ରମଣ କରିଥିଲେ। ହେଲେ ସବୁ ସୁଯୋଗ ହାତଛଡ଼ା ହୋଇଥିଲା। ୬୩ ମିନିଟ୍‌ରେ ମିଆଁମାର ପେନାଲ୍ଟି ବକ୍ସ ମଧ୍ୟକୁ ଭାରତ ପ୍ରବେଶ କରିଥିଲା। ଏଭଳି ଅପୂର୍ବ ସୁଯୋଗକୁ ମଧ୍ୟ ଗୋଲ୍‌ରେ ପରିଣତ କରିବାକୁ ଆଦିତିଙ୍କ ଦଳ ସଫଳ ହୋଇନଥିଲା। ୮୧ ମିନିଟ୍‌ରେ ମିଆଁମାର ଗୋଲ୍‌ ପୋଷ୍ଟ୍‌ ଭିତରକୁ ବଲ୍‌ ପକାଇ ଦେଇଥିଲା ହେଲେ ଅଫ୍‌ସାଇଡ୍‌ ଯୋଗୁଁ ଭାରତ ସେହି ୦-୧ରେ ପଛୁଆ ରହିଥିଲା। ନିର୍ଧାରିତ ସମୟରେ ମିଆଁମାର ‌୧-୦‌ ଗୋଲ୍‌ରେ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ଇଂଜୁରି ସମୟରେ ‌ମିଆଁମାରକୁ ଏକ ପେନାଲ୍‌ଟି ସୁଯୋଗ ମିଳିଥିଲା। ଯାହାକୁ ୱିନ୍‌ ଥେଇଙ୍ଗ୍‌ଟୁନ୍‌ ସଫଳତା ସହ ଭାରତର ଗୋଲ୍‌ ପୋଷ୍ଟ୍‌ ପଠାଇ ଦଳକୁ ୨-୦ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ ଆରମ୍ଭରୁ ଅଲିମ୍ପିଆନ୍‌ ଅନୁରାଧା ବିଶ୍ବାଳ ଏବଂ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳାଳି ଆର୍‌ପି ସିଂହ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ କରମର୍ଦନ କରିଥିଲେ।

ଇରାନ୍‌ର ହ୍ୟାଟ୍ରିକ୍‌ ପରାଜୟ
ବୁଧବାରର ପ୍ରଥମ ମ୍ୟାଚ୍‌ରେ ନିମ୍ନ ମାନ୍ୟତା ନେପାଳ (୧୦୮) ୩-୦ ଗୋଲ୍‌ରେ ଇରାନ (୬୦)କୁ ହରାଇ ବିଦାୟର ରାସ୍ତା ଦେଖାଇଛି। ପ୍ରଥମ ମ୍ୟାଚ୍‌ରେ ମିଆଁମାରଠୁ ୦-୩ ଗୋଲ୍‌ରେ ହାରିଥିବା ନେପାଳ ଦ୍ବିତୀୟ ମ୍ୟାଚ୍‌ରେ ଭାରତକୁ ୨-୧ ଗାଲ୍‌ରେ ହରାଇ ବିପର୍ଯ୍ୟୟ ଘଟାଇଥିଲା। ପୁଣି ଥରେ ଏହି ଦଳ ତା’ଠୁ ଉଚ୍ଚ ମାନ୍ୟତା ଦଳକୁ ହରାଇ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ୍‌ ପାଇ ଫାଇନାଲ୍‌ ଖେଳିବା ଦ୍ବାରରେ ପହଞ୍ଚିଛି। ମ୍ୟାଚ୍‌ ଆରମ୍ଭରୁ ନେପାଳ ଚମତ୍କାର ଖେଳିଥିଲା। କମ୍‌ ମାନ୍ୟତାରେ ଥିଲେ ମଧ୍ୟ ନେପାଳ ଖେଳରେ ଏହା ବାରି ହେଉନଥିଲା। ୪୦ ମିନିଟ୍‌ରେ ଅନିତା ବାସନେଟ୍‌ ଗୋଲ୍‌ ଦେଇ ନେପାଳକୁ ଆଗୁଆ କରିଥିଲେ। ପ୍ରଥମାର୍ଧ ୧-୦‌ରେ ଶେଷ ହୋଇଥିଲା। ପ୍ରଥମାର୍ଧ ଭଳି ଦ୍ବିତୀୟାର୍ଧରେ ମଧ୍ୟ ନେପାଳ ଚମତ୍କାର ଖେଳିଥିଲା। ଭାରତ ବିପକ୍ଷରେ ଯୁଗଳ ଗୋଲ୍‌ ଦେଇଥିବା ସବିତ୍ରା ଭଣ୍ଡାରି (୫୯ ମିନିଟ୍‌)ଙ୍କ ଗୋଲ୍‌ରେ ‌ନେପାଳ ୨-୦ ଅଗ୍ରଣୀ ପାଇଥିଲା। ୦-୨ରେ ପଛୁଆ ହେବାପରେ ଇରାନ୍‌ ଆକ୍ରମଣତ୍ମକ ଆଭିମୁଖ୍ୟ ଦେଖାଇଥିଲା। ୮୪ ମିନିଟ୍‌ରେ ଇରାନ୍ ଏକ ସୁଯୋଗ ପାଇଥିଲା। ହେଲେ ସଫଳ ହୋଇନଥିଲା। ବଲ୍‌ ନେପାଳ ଗୋଲ୍‌ ପୋଷ୍ଟ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଏହାକୁ ରେଫରି ଅଫ୍‌ସାଇଡ୍‌ ଘୋଷଣା କରିଥିଲେ। ‌ଫଳରେ ଇରାନ ‌ନିରାଶ ହୋଇଥିଲା। ‌ମ୍ୟାଚ୍‌ର ନିର୍ଧାରିତ ସମୟ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ସବିତ୍ରା (୮୯ ମିନିଟ୍‌) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେବାରୁ ନେପାଳ ୩-୦ ଅଗ୍ରଣୀ ସହ ବିଜୟ ହାସଲ କରିଥିଲା। ସବିତ୍ରା ଯୁଗଳ ସଫଳତା ପାଇବା ସହ ପ୍ରତିଯୋଗିତାର ସର୍ବାଧିକ ଗୋଲ୍‌ ସ୍କୋରର୍‌ ହୋଇଥିଲେ। ଇଂଜୁରି ସମୟରେ ଇରାନକୁ ୨ଟି କର୍ଣ୍ଣର ମିଳିଥିଲା। ହେଲେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। ଶେଷରେ ଇରାନ୍‌ ୦-୩ ଗୋଲ୍‌ରେ ହାରିବା ସହ ବିଜୟ ଶୁନ୍ୟ ଭାବେ ପ୍ରତିଯୋଗିତାରୁ ବିଦାୟ ନେଇଥିଲା।

ଭଲ କରିବି ବୋଲି ବିଶ୍ବାସ ଥିଲା: ସବିତ୍ର‌ା
ଭଲ କରିବାର ଆତ୍ମବିଶ୍ବାସ ଥିଲା। ଏହା ହିଁ ହେଲା। ଆମ ଦଳ ନିମ୍ନମାନ୍ୟତା ଥିବାରୁ ପରାଜୟ ପାଇଁ ଭୟ ନଥିଲା। କାରଣ ଆମର କିଛି ହରାଇବାର ନାହିଁ। ଏହା ହିଁ ଆମକୁ ପ୍ରଶିକ୍ଷକ କହିଥିଲେ। ସବୁ ଭୁଲି ଶ୍ରେଷ୍ଠ ଦେବାକୁ ପରାମର୍ଶ ଦେଇଥିଲେ। ଯାହାପାଇଁ ଫାଇନାଲ୍‌ ଦ୍ବାରରେ ପହଞ୍ଚିଛୁ। ଭାରତରେ ମହିଳା ଫୁଟ୍‌ବଲ୍‌ ଲିଗ୍‌ରେ ‌ଖେଳିବା ପାଇଁ ‌ଯଦି ସୁଯୋଗ ମିଳେ ତେବେ ନିଶ୍ଚିତ ଏହାକୁ ଗ୍ରହଣ କରିବି ବୋଲି କହିଛନ୍ତି ସବିତ୍ରା ଭଣ୍ଡାରି।

ଇନ୍ଦୁମତି ଡାକ୍ତରଖାନାରେ ଭର୍ତି
ବୁଧବାର ‌ମିଆଁମାର ବିପକ୍ଷ ମ୍ୟାଚ୍‌ ବେଳେ ଭାରତୀୟ ମଧ୍ୟଭା‌ଗ ଖେଳାଳି ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ମ୍ୟାଚ୍‌ର ୮୪ତମ ମିନିଟ୍‌ରେ ମିଆଁମାର ଗୋଲ୍‌ ପୋଷ୍ଟ୍‌ ‌ନିକଟରେ ଇନ୍ଦୁମତିଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ପଡ଼ିଆରେ ଆଶୁ ଚିକିତ୍ସା ହୋଇଥିଲେ ମଧ୍ୟ ଏଥିରେ ସୁଧାର ନ ଆସିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆମ୍ରି ହସ୍‌ପିଟାଲରେ ଭର୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲୁ ରହିଛି। ସ୍କାନିଂ ପରେ ତାଙ୍କର ଆଘାତ ସମସ୍ୟ କେତେ ଗୁରୁତର ଜଣା ପଡ଼ିବ ବ‌ୋଲି ଭାରତୀୟ ଦଳର ପ୍ରଶିକ୍ଷିକା ମେମୋଲ ରକି କହିଛନ୍ତି।

ସମ୍ବନ୍ଧିତ ଖବର