ଭାରତୀୟ ହକି ପାଇଁ ଖୁସିର ଦିନ:ସେମିରେ ଉଭୟ ପୁରୁଷ ଓ ମହିଳା

ଭାରତୀୟ ହକି ପାଇଁ ମଙ୍ଗଳବାର ଯୁଗଳ ଖୁସି ଖବର ନେଇ ଆସିଥିଲା। ଭାରତ ଆଜି ଉଭୟ ମହିଳା ଏବଂ ପୁରୁଷ ହକିର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ପୁରୁଷ ଦଳ ମାଲେସିଆକୁ ୨-୧ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ ଟିକେଟ ହାସଲ କରି ନେଇଥିଲା। ସେହିଭଳି ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲ୍‌ରେ ହରାଇ ଶେଷ ଚାରିଟି ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଭାରତୀୟ ମହିଳା ଦଳ ଦୀର୍ଘ ୧୨ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ପ୍ରବେଶ କରିବା ଏହି ଖୁସିକୁ ଦ୍ୱିଗୁଣିତ କରି ଦେଇଥିଲା।
ପୁଲ୍‌ ବି’ରେ ଥିବା ପୁରୁଷ ଦଳ ମଙ୍ଗଳବାର ହର୍‌ମନ୍‌ପ୍ରୀତ ସିଂହ (୩, ୪୪ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ମାଲେସିଆକୁ ମାତ୍‌ ଦେଇଥିଲା। ମାଲେସିଆର ଏକମାତ୍ର ଗୋଲ୍‌ ଫୈଜଲ ସାରି (୧୬ ମିନିଟ୍‌) ଦେଇଥିଲେ। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମ ତିନି କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍‌ ହୋଇଥିଲା। ଶେଷ କ୍ୱାର୍ଟରରେ କିନ୍ତୁ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ପ୍ରଥମ ଏବଂ ତୃତୀୟ କ୍ୱାର୍ଟରରେ ଦୁଇଟି ଗୋଲ୍‌ ଦେଇଥିବା ଭାରତ ଗୋଟିଏ ଗୋଲ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା।
ସେହିପରି ଗତ ତିନିିଟି ମ୍ୟାଚ୍‌ରୁ ୬ ପଏଣ୍ଟ ଅର୍ଜନ କରି ସାରିଥିବା ଭାରତୀୟ ମହିଳା ଦଳର ସେମିଫାଇନାଲ୍‌ ପ୍ରବେଶ ପାଇଁ ମଙ୍ଗଳବାର ମ୍ୟାଚ୍‌କୁ ଅମୀମାଂସିତ ରଖିବା ଦରକାର ଥିଲା। ଅନ୍ୟ ପକ୍ଷରେ ସେମିଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ମାଲେସିଆକୁ ଏହି ମ୍ୟାଚ୍‌ ଜିତିବାର ଆବଶ୍ୟକତା ଥିଲା। ହେଲେ ଅଧିନାୟିକା ରାଣୀ ରାମ୍‌ପାଲଙ୍କ ୪୭ ମିନିଟ୍‌ ଗୋଲ୍‌ ବଳରେ ଭାରତ ଚିତ୍ତାକର୍ଷକ ବିଜୟ ସହ ସେମିଫାଇନାଲ୍‌ ଯାଇଥିଲା ବେଳେ ମାଲେସିଆ ଏହି ଦୌଡ଼ରୁ ବାଦ ପଡ଼ିଥିଲା। ମହିଳା ଦଳ ସେମିଫାଇନାଲ୍‌ ଗୁରୁବାର ଖେଳିବ।
ମନ୍‌ଦୀପଙ୍କ ଶତକ
ମାଲେସିଆ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳର ଯୁବ ଅଗ୍ରଭାଗ ଖେଳାଳି ମନ୍‌ଦୀପ ସିଂହ ନିଜ ଶତକୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ପଞ୍ଜାବର ଜଳନ୍ଧର ସହରରୁ ଆସିଥିବା ମନ୍‌ଦୀପ ୨୦୧୩ ମସିହାରେ ନୂଆଦିଲ୍ଲୀରେ ଖେଳା ଯାଇଥିବା ହକି ବିଶ୍ୱ ଲିଗ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ଫିଜି ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ରହି ଆସିଛନ୍ତି। ଲଣ୍ଡନରେ ଆୟୋଜିତ ଏଫଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି ହକିରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଗତବର୍ଷ ସୁଲତାନ ଆଜଲାନ୍‌ ସାହା ହକିର ଜାପାନ ବିପକ୍ଷ ମ୍ୟାଚ୍‌ରେ ମନଦୀପ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଠିକଣା ସମୟରେ ପେନାଲ୍ଟି କର୍ନର ଅର୍ଜନ କରିବା ଏବଂ ଅଣପାରମ୍ପରିକ ହକି ଖେଳି ଦଳକୁ ବିଜୟୀ କରାଇବାରେ ସେ ସିଦ୍ଧହସ୍ତ।

ସମ୍ବନ୍ଧିତ ଖବର