ମୁମ୍ବାଇ: ପିଚ୍ ହେଉଛି ଟେଷ୍ଟ୍ କ୍ରିକେଟ୍ର ହୃଦୟ। ଭଲ ପିଚ୍ ମିଳିଲେ ଟେଷ୍ଟ୍ କ୍ରିକେଟ୍ କେବେ ବି ରୋମାଞ୍ଚହୀନ କିମ୍ବା ଉତ୍ସାହହୀନ ରହିବନି। ବରଂ ଏହା ଅଧିକ ମନୋରଞ୍ଜନଭରା, ଆକର୍ଷଣୀୟ ହେବ। ପ୍ରଶଂସକ ଚାହୁଁଥିବା ମନ୍ତ୍ରମୁଗ୍ଧକର ବ୍ୟାଟିଂ ଓ ବୋଲିଂ ମଧ୍ୟ ଦେଖିବାକୁ ମିଳିବ। ଟେଷ୍ଟ କ୍ରିକେଟ୍ର ଭବିଷ୍ୟତ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ମୁମ୍ବାଇ ହାଫ୍ ମାରାଥନରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ନିଜ ମତର ସମର୍ଥନରେ ସଚିନ ଗତ ସପ୍ତାହର ଅଷ୍ଟ୍ରେଲିଆ-ଇଂଲଣ୍ଡ ଦ୍ବିତୀୟ ଆସେସ୍ ଟେଷ୍ଟ୍ରେ ବ୍ୟବହୃତ ହୋଇଥିବା ପିଚ୍ର ଉଦାହରଣ ଦେଇଛନ୍ତି। ଏହି ପିଚ୍ରେ ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର ଏବଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା। ସେଥିପାଇଁ ଆର୍ଚର-ସ୍ମିଥ୍ ମୁକାବିଲା ହିଁ ଏବର୍ଷର ଆସେସ୍କୁ ଅଧିକ ରୋଚକ କରିଛି ବୋଲି ସଚିନ ମତ ପ୍ରକାଶ କରିଛନ୍ତି। ଲର୍ଡସରେ ଖେଳା ଯାଇଥିବା ଏହି ମ୍ୟାଚ୍ର ଦେଢ ଦିନର ଖେଳ ବର୍ଷା ଧୋଇ ନେଇଥିଲା। ତଥାପି ଇଂଲଣ୍ଡ ନିୟମିତ ୱିକେଟ୍ ନେଇ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲା। ମ୍ୟାଚ୍ ବଞ୍ଚାଇବାକୁ ଅଷ୍ଟ୍ରେଲିଆକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଟେଷ୍ଟ କ୍ରିକେଟ୍ର ଏହି ରୋମାଞ୍ଚକ ରୂପ ପାଇଁ ବିଶ୍ବକପ୍ ମାତ୍ର କିଛି ଦିନ ତଳେ ଖେଳା ଯାଇଥିଲା ବୋଲି ପ୍ରଶଂସକ ଭୁଲି ଯାଇଥିଲେ। ସମସ୍ତେ ଟେଷ୍ଟ୍ କ୍ରିକେଟ୍କୁ ନେଇ ଆଲୋଚନା କରୁଥିଲେ। ସେଥିପାଇଁ ଭଲ ପିଚ୍ ପ୍ରସ୍ତୁତ କରିବା ଲାଗି ୨୦୦ ଟେଷ୍ଟ୍ ଖେଳି ସର୍ବାଧିକ ୧୫୯୨୧ ରନ୍ କରିଥିବା ସଚିନ ଆଇସିସିକୁ ଆହ୍ବାନ କରିଛନ୍ତି। ସେ ମଧ୍ୟ ଆଇସିସି ଦ୍ବାରା ଚଳିତ ବର୍ଷଠାରୁ ଆରମ୍ଭ କରାଯାଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପକୁ ସ୍ବାଗତ କରିଛନ୍ତି। ଟେଷ୍ଟ୍ କ୍ରିକେଟ୍ରେ କେଉଁ ବଲ୍କୁ ଖେଳିବ ଓ କାହାକୁ ଛାଡ଼ିବା କଥା ସେ ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଏହିକ୍ରମରେ ସଚିନ ଅଷ୍ଟ୍ରେଲିଆର ନବାଗତ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସାନେଙ୍କୁ ପ୍ରଶଂସା କରିଥିଲେ।
‘ଟେଷ୍ଟ କ୍ରିକେଟ୍ର ପୁନରୁଦ୍ଧାର ପାଇଁ ଭଲ ପିଚ୍ ପ୍ରସ୍ତୁତ କର’
/sambad/media/post_attachments/wp-content/uploads/2019/08/sachin-tendulkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)