କୋହଲି ଏବଂ ଡି’ଭିଲିୟର୍ସଙ୍କ ଓ୍ଵିକେଟ୍‌ ଦଖଲ ପରେ ଗୋପାଳ ଉଲ୍ଲସିତ

ଜୟପୁର: ଆଇପିଏଲ-୧୧ରେ ରାଜସ୍ଥାନ ରୟାଲ୍‌ସ ଲେଗ୍‌ ସ୍ପିନର୍‌ ଶ୍ରେୟସ ଗୋପାଳଙ୍କ ମନ ଏବେ ଆକାଶଛୁଆଁ। ରବିବାର ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ଦୁଇ ତାରକା ଖେଳାଳି ତଥା ବିଶ୍ୱ କ୍ରିକେଟ୍‌ର ବଡ଼ ତାରକା ବିରାଟ କୋହଲି ଏବଂ ଏବି ଡି’ଭିଲିୟର୍ସଙ୍କ ଓ୍ଵିକେଟ୍‌ ନେଇଥିଲେ ଶ୍ରେୟସ। ଏଥି ପାଇଁ ୨୪ ବର୍ଷୀୟ ଏହି କର୍ଣାଟକ ବୋଲର୍‌ ଏବେ ନିଜକୁ ଚନ୍ଦ୍ରପୃଷ୍ଠରେ ଥିବା ଭଳି ଅନୁଭବ କରିଛନ୍ତି। ରାଜସ୍ଥାନ ଦଳର ପରାମର୍ଶଦାତା ସେନ୍‌ ଓ୍ଵର୍ନଙ୍କ ସହିତ ଅନ୍ୟମାନେ ବି ଚାହୁଁଥିଲେ ମୁଁ ଏଭଳି ପଡ଼ିଆରେ ଭଲ ବୋଲିଂ କରେ। ମୁଁ କେବଳ ଯୋଜନାକୁ ୧୦୦ ପ୍ରତିଶତ କାର୍ଯ୍ୟକାରୀ କରିଛି ବୋଲି ଗୋପାଳ କହିଛନ୍ତି। ଏହି ମ୍ୟାଚ୍‌ରେ ମୋଟ ୪୧୫ ରନ୍‌ ସଂଗ୍ରହ ହୋଇଥିବାବେଳେ ଗୋପାଳଙ୍କ ବୋଲିଂ ଚିତ୍ର ୪-୦-୨୨-୨ ସବୁଠାରୁ ପ୍ରଭାବୀ ଥିଲା। କିନ୍ତୁ ସେ ଯେଉଁ ବଲ୍‌ରେ କୋହଲି ଏବଂ ଡି’ଭିଲିୟର୍ସଙ୍କ ଓ୍ଵିକେଟ୍‌ ପାଇଛନ୍ତି ତାହା ତାଙ୍କର ଶ୍ରେଷ୍ଠ ନ ଥିଲା ବୋଲି ପ୍ରକାଶ କରିଛନ୍ତି। ବିଶ୍ୱ କ୍ରିକେଟ୍‌ର ଦୁଇ ବଡ଼ ଖେଳାଳିଙ୍କ ଓ୍ଵିକେଟ୍‌ ପାଇଥିବାରୁ ମୁଁ ଭାଗ୍ୟବାନ। ଏଭଳି ଦିନ ସବୁବେଳେ ଆସେ ନାହିଁ, ମୁଁ ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ମନେ ରଖିବି ବୋଲି ଗୋପାଳ କହିଛନ୍ତି।

ସମ୍ବନ୍ଧିତ ଖବର