କରୋନା ମହାମାରୀ ଲଢ଼େଇ ଲାଗି ଗୋପୀଚାନ୍ଦ ଦାନ କଲେ ୨୬ ଲକ୍ଷ

ନୂଆଦିଲ୍ଲୀ: ପୂର୍ବତନ ଅଲ୍ ଇଂଲଣ୍ଡ୍ ବିଜେତା ତଥା ବ୍ୟାଡମିଣ୍ଟନ୍‌ ଦ୍ରୋଣାଚାର୍ଯ୍ୟ ପୁଲେଲା ଗୋଚୀଚାନ୍ଦ କରୋନା ମହାମାରୀ ଲଢ଼େଇ ଲାଗି ନିଜ ସଞ୍ଚୟରୁ ୨୬ ଲକ୍ଷ ଟଙ୍କା ଦାନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ମୋ ନିଜ ଛୋଟିଆ ଅବଦାନ ଦେଉଛି। ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ଏହି ମହାନ ଖେଳାଳି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଯଥାକ୍ରମେ ୧୦ ଓ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଭାରତ ଏକ ବିବିଧତାର ଦେଶ ହୋଇଥିବାରୁ ବହୁ ଆହ୍ବାନ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଭଲ କାମ କରୁଛନ୍ତି। ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାର ବେଳ ଆସିଛି। ଘରେ ରହି ସରକାରଙ୍କ ନିୟମକୁ ମାନିବା ଉଚିତ୍‌ ବୋଲି ଗୋପୀଚାନ୍ଦ କହିଥିଲେ। ଏହି ମହାମାରୀ ଆମ ଅର୍ଥନୀତିକୁ ବଡ଼ କ୍ଷତି ପହଞ୍ଚାଇବ, ସେହି ଦୃଷ୍ଟିରୁ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। ଆମେ ମିଳିତ ଭାବେ ଏହାକୁ ଜିତିପାରିବା ବୋଲି ଦେଶକୁ ପିଭି ସିନ୍ଧୁ, ସାଇନା ନେହ୍ବାଲ, କିଦାମ୍ବି ଶ୍ରୀକାନ୍ତ ଏବଂ ସାଇ ପ୍ରଣୀତଙ୍କ ଭଳି ବଡ଼ ବଡ଼ ତାରକା ପ୍ରଦାନ କରିଥିବା ଗୋପୀଚାନ୍ଦ ପ୍ରକାଶ କରିଥିଲେ। ଗୋପୀଚାନ୍ଦଙ୍କ ପୂର୍ବରୁ ବହୁ କ୍ରିକେଟର୍‌ ଏବଂ କ୍ରୀଡ଼ାବିତ୍‌ ମଧ୍ୟ ନିଜ ନିଜ ଅବଦାନ ରଖି ସାରିଛନ୍ତି। ସଚିନ ତେନ୍ଦୁଲକର ୫୦ ଲକ୍ଷ, ସୁରେଶ ରାଇନା ୫୨ ଲକ୍ଷ, ଯୁବରାଜ ସିଂହ ୫୦ ଲକ୍ଷ ପ୍ରଦାନ କରିଥିବା ବେଳେ ସୌରଭ ଗାଙ୍ଗୁଲି ଦୈନିକ ୧୦,୦୦୦ ଲୋକଙ୍କ ଖାଇବା ଲାଗି ଖାଦ୍ୟ ପ୍ରଦାନ କରିଛନ୍ତି। ବିସିସିଆଇ ସର୍ବାଧିକ ୫୧ କୋଟି, ହକି ଇଣ୍ଡିଆ ୧ କୋଟି ମଧ୍ୟ ଅନ୍ୟତମ ପ୍ରମୁଖ ଅବଦାନ ରହିଛି। ହିମା ଦାସ, ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ରୋହିତ ଶର୍ମା, ବିରାଟ କୋହଲି, ଦେବାଶିଷ ମହାନ୍ତି, ବିପ୍ଳବ ସାମନ୍ତରାୟ ମଧ୍ୟ ନିଜ ନିଜ ଅବଦାନ ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର