ଗ୍ରାଣ୍ଡ୍‌ ମାଷ୍ଟର୍‌ ମୁକୁଟ ଅସଲ ଲକ୍ଷ୍ୟ: ପଦ୍ମିନୀ

ଲଗାତାର ଚତୁର୍ଥ ଥର ଜାତୀୟ ଟ୍ରଫି ବିଜୟିନୀ

ଭୁବନେଶ୍ୱର: ବୁଧବାର ରାତିରେ ଲଗାତାର ଚତୁର୍ଥ ଜାତୀୟ ପ୍ରମିୟର୍‌ ମହିଳା ଚେସ୍‌ ଟ୍ରଫି ଜିତିଥିବା ରାଜ୍ୟର ଏକମାତ୍ର ମହିଳା ଚେସ୍‌ ଆଇଏମ୍‌ ପଦ୍ମିନୀ ରାଉତ ଗୁରୁବାର ନିଜ ସହର ଭୁବନେଶ୍ୱର ଫେରିଛନ୍ତି। ବିମନବନ୍ଦରରେ ନିରାଡ଼ମ୍ବର ସ୍ୱାଗତ ପାଇଥିଲେ ମଧ୍ୟ ପଦ୍ମିନୀ ନିଜ ପ୍ରଦର୍ଶନକୁ ନେଇ ଢ଼େର ଖୁସୀ ଅଛନ୍ତି। ପଦ୍ମିନୀଙ୍କୁ କ୍ରୀଡ଼ା ବିଭାଗର କେହି ସ୍ୱାଗତ କରିନଥିଲେ କି ଚେସ୍‌ ସଂଘରୁ କେହି ଆନୁଷ୍ଠାନିକ ଭାବେ ଉପସ୍ଥିତ ହୋଇ ନଥିଲେ। କିନ୍ତୁ ଅନେକ ପ୍ରତିବଂଧକ ଓ ପ୍ରତିକୂଳ ପରିସ୍ଥିତିକୁ କାଟି ଆଗକୁ ବଢ଼ି ଚାଲିଥିବା ପଦ୍ମିନୀ ସେସବୁକୁ ଗୌଣ ବିବେଚନା କରିଥିଲେ। ପରବର୍ତୀ ପ୍ରତିଯୋଗିତା ଉପରେ ତାଙ୍କ ନଜର କେନ୍ଦ୍ରୀଭୂତ ରହିବ ବୋଲି ସେ ‘ସମ୍ବାଦ’କୁ କହିଥିଲେ।

‘ଜାତୀୟ ପ୍ରିମିୟର ଟ୍ରଫି ଜିତିବା ମୋତେ ନୂଆ ଆରମ୍ଭର ସୁଯୋଗ ଦେଇଛି। ବିଶ୍ୱକପ୍‌ ଏବଂ ଗ୍ରାଣ୍ଡ୍‌ ମାଷ୍ଟର୍‌ ଟାଇଟଲ୍‌ ଲାଗି ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ମୋ ମନୋବଳ ବଢ଼ାଇଛି। ମୋ ପାଖରେ ଗୋଟିଏ ଜିଏମ୍‌ ନର୍ମ ରହିଛି। ଅବଶିଷ୍ଟ ପଏଣ୍ଟ୍‌ ଓ ନର୍ମକୁ ଜଲ୍‌ଦି ପାଇଯିବା ନେଇ ମୁଁ ଆଶାବାଦୀ ବୋଲି କହିଥିଲେ ୨୩ ବର୍ଷୀୟା ପଦ୍କିନୀ। ଚଳିତ ମାସରେ ପ୍ରଥମ ଥର ପାଇଁ ବିଶ୍ୱ ର‍୍ୟାପିଡ୍‌ ଓ ବ୍ଲିଜ୍‌ ଖେଳିବାକୁ ଯିବି (ସାଉଦୀ ଆରବ, ଡିସେମ୍ବର ୨୪-୩୧), ଏହା ପୂର୍ବରୁ ମୁଁ ଆସାମରେ ପିଏସ୍‌ପିବି ପ୍ରତିଯୋଗିତା ଖେଳିବି। ଏହା ମୋ ପାଇଁ ଅନ୍ୟତମ ପ୍ରସ୍ତୁତି ଭଳି ହେବ। କିନ୍ତୁ ଆସନ୍ତା ବର୍ଷର ବିଶ୍ୱକପ୍‌ ଏବଂ ଏସୀୟ ପ୍ରତିଯୋଗିତା ସହିତ ବିଦେଶରେ କିଛି ଭଲ ପ୍ରତିଯୋଗିତା ଖେଳି ଗ୍ରାଣ୍ଡ୍‌ ମାଷ୍ଟର୍‌ ଟାଇଟଲ୍‌ ଅର୍ଜ୍ଜନ କରିବା ମୋ ଅସଲ ଲକ୍ଷ୍ୟ ହେବ ବୋଲି କହିଥିଲେ ପଦ୍ମିନୀ। ପ୍ରଶିକ୍ଷଣରେ ଅସୁବିଧା ରହିଥିଲେ ମଧ୍ୟ ମୁଁ ବ୍ୟକ୍ତିଗତ ଭାବେ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହେଉଛି। ସାଥୀ ଖେଳାଳିଙ୍କୁ ନେଇ ଅଭ୍ୟାସ କରୁଛି ବୋଲି କହିଥିଲେ ପଦ୍ମିନୀ।

ବୁଧବାର ସୁରଟରେ ଶେଷ ହୋଇଥିବା ଦେଶର ଶ୍ରେଷ୍ଠ ମହିଳା ଚେସ୍‌ ପ୍ରତିଯୋଗିତା ୪୪ତମ ଜାତୀୟ ପ୍ରିମିୟର୍‌ରେ ବିଜୟିନୀ ହେବାକୁ ସେ ତାଙ୍କ ଖେଳ ଜୀବନର ସବୁଠାରୁ ମଜାଦାର ଦର୍ଶାଇଥିଲେ। ପ୍ରଥମାର୍ଧ ମୁଁ ଭଲ ଖେଳିଥିଲି, କିନ୍ତୁ ଦ୍ୱିତୀୟାର୍ଧରେ ମୋତେ ଅଧା ଅଧା ଫଳ ମିଳିଥିଲା। କ୍ଲାନ୍ତି ହେଉ କି ହୋଟେଲ୍‌ ପରିବର୍ତନ ସମ୍ଭବତଃ କାହାରି ନା କାହାରି ପ୍ରଭାବ ପଡ଼ିଥିଲା। ଦୁଇଟି ପରାଜୟ ବରଣ କରିଥିଲି, ନିର୍ଣ୍ଣାୟକ ଦଶମ ରାଉଣ୍ଡ୍‌ରେ ଭକ୍ତି କୁଲକର୍ଣିଙ୍କୁ କୌଶଳକ୍ରମେ ରୋକିବା ସବୁଠାରୁ କଷ୍ଟକର ଥିଲା। ମୁଁ ପିସ୍‌ ବ୍ଲଣ୍ଡର୍‌ କରିଥିଲି ବୋଲି ସେ ଭାବିଥିଲେ, ପ୍ରକୃତରେ ମୁଁ ଏହାକୁ କୌଶଳକ୍ରମେ ହରାଇ ସଫଳ ହୋଇଥିଲି। ଏହି ଗେମ୍‌କୁ ମୁଁ ସ୍ୱାଭାବିକ ଖେଳିଥିଲି ବୋଲି ସ୍ୱୀକାର କରିଥିଲେ ଚେସ୍‌ ଯୁବରାଣୀ ପଦ୍ମିନୀ। ଶେଷରେ ଆୟୋଜକ ମାନେ ଶାଢ଼ୀ ଉପହାର ଦେଇ ପୁରସ୍କାର ଉତ୍ସବରେ ପିନ୍ଧିବା ଲାଗି କହିବା ମୋ ପାଇଁ ନୂଆ ଅଭିଜ୍ଞତା ଥିଲା। ପ୍ରଥମ ଥର ପାଇଁ ଜୀବନରେ ଶାଢ଼ୀ ପିନ୍ଧିଥିଲି ଏବଂ ଏହା ସବୁ ଖେଳାଳିଙ୍କ ମଧ୍ୟରେ ମଜାଳିଆ ପରିବେଶ ଆଣିଥିଲା ବୋଲି କହିଥିଲେ ପଦ୍ମିନୀ। ପଦ୍ମିନୀ କିନ୍ତୁ ତାଙ୍କ ୪ଟି ଯାକ ଜାତୀୟ ମୁକୁଟ ମଧ୍ୟରୁ ୨୦୧୪ ମସିହାରେ ସାଙ୍ଗଲୀରେ ଜିତିଥିବା ପ୍ରଥମ ଟ୍ରଫିକୁ ଅଧିକ ସ୍ମରଣୀୟ କହିଥିଲ। ପ୍ରଥମଟି ମୋ ପାଇଁ ଅଧିକ ସ୍ମରଣୀୟ ରହିଛି, ୨୦୧୫ (କୋଲ୍‌କାତା) ଓ ୨୦୧୬ (ନୂଆଦିଲ୍ଲୀ) ବିଜୟ ମୋତେ ବିଶ୍ୱକପ୍‌ ସୁଯୋଗ ଦେଇଥିବାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୭ (ସୁରଟ) ପ୍ରତିଯୋଗିତା କିନ୍ତୁ ମଜାଦାର ରହିଲା ବୋଲି କହିଥିଲେ ପଦ୍ମିନୀ।

ବୁଧବାର ସୁରଟ ଟେନିସ୍‌ କ୍ଲବ୍‌ ପରିସରରେ ଉଦ୍‌ଯାପିତ ୪୪ତମ ଜାତୀୟ ପ୍ରତିଯୋଗିତା ନାଟକୀୟ ଢ଼ଙ୍ଗରେ ଶେଷ ହୋଇଥିଲା। ଶେଷ ରାଉଣ୍ଡ୍‌ ପୂର୍ବରୁ ପଦ୍ମିନୀଙ୍କ ସହିତ ଭକ୍ତି କୁଲକର୍ଣ୍ଣି, ଏସ୍‌ ମୀନାକ୍ଷୀ ଏବଂ ସୌମ୍ୟା ସ୍ୱାମୀନାଥନ୍‌ ସମାନ ୬.୫ ପଏଣ୍ଟ୍‌ରେ ଥିଲେ। ସମସ୍ତଙ୍କ ପାଇଁ ଟ୍ରଫି ବିଜୟର ସୁଯୋଗ ଥିଲା। ପଦ୍ମିନୀ କିନ୍ତୁ ନିଜ ପ୍ରତିଦ୍ୱନ୍ଦୀ ସାଖୀ ଚିଟଲାଙ୍ଗେଙ୍କୁ ପରାସ୍ତ କରିଥିବାବେଳେ ଅନ୍ୟ ୩ ଜଣ ଅମୀମାଂସିତ ଫଳାଫଳ ପାଇବାରୁ ବିଜେତା ମୁକୁଟ ପରିଧାନ ସହିତ ୧, ୭୫,୦୦୦ ଟଙ୍କାର ପୁରସ୍କାର ପାଇଥିଲେ। ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପଦ୍ମିନୀଙ୍କୁ ବରିଷ୍ଠ ଖେଳାଳି ରଂଜନ ମହାନ୍ତିଙ୍କ ସହିତ ତାଙ୍କ ପରିବାର ବର୍ଗ ସ୍ୱାଗତ କରିଥିଲେ। ଅସୁସ୍ଥ ପିତା ଅଶୋକ ରାଉତଙ୍କ ସହିତ ମା’ ସସ୍ମିତା ଧଳ ଏବଂ ମାଉସୀ ମଧୁସ୍ମିତା ଧଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର