କିମ୍ବଦନ୍ତୀ: ମହାନ ମାରାଡୋନା

ମସ୍କୋ: ପେଲେଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଫୁଟ୍‌ବଲର୍‌ ସମ୍ମାନ ମିଳିଥିବା ବେଳେ ମାରାଡୋନାଙ୍କୁ ସର୍ବକାଳୀନ ମହାନ ଫୁଟ୍‌ବଲର୍‌ ବୋଲି ବିବେଚନା କରନ୍ତି କ୍ରୀଡ଼ା ଲେଖକ, ଖେଳାଳି, ପ୍ରଶଂସକ ଏବଂ ଅନ୍ୟବର୍ଗର ବ୍ୟକ୍ତିତ୍ୱମାନେ। ପେଲେଙ୍କ ସହିତ ମଧ୍ୟ ମାରାଡୋନାଙ୍କୁ ବିଂଶ ଶତାବ୍ଦୀର ଫିଫା ଶ୍ରେଷ୍ଠ ଫୁଟ୍‌ବଲର୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ଏକ ଗରିବ ପରିବାରୁ ଆସି ବିଶ୍ୱ ଫୁଟ୍‌ବଲର୍‌ ଶିଖର ଛୁଇଁଥିଲେ ଡିଏଗୋ ମାରାଡୋନା। ଫୁଟ୍‌ବଲ୍‌ରେ ଅସମ୍ଭବ କଳା କୌଶଳକୁ କରାୟତ କରିଥିବା ଏହି ଫୁଟ୍‌ବଲର୍‌ ଖେଳିଥିଲେ ୪ ବିଶ୍ୱକପ୍‌। ୧୯୮୨, ୧୯୮୬, ୧୯୯୦ ଏବଂ ୧୯୯୪ ସଂସ୍କରଣରେ ଲଗାତାର ୪ ଥର ଖେଳି କରିଥିଲେ ଜାତୀୟ କୀର୍ତିମାନ। କିନ୍ତୁ ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଜେତା କରାଇବାରେ ମାରାଡୋନା ଥିଲେ ଅସଲ ନାୟକ। ବିବାଦ ଓ ବିତର୍କିତ ଭରା ତାଙ୍କ ଖେଳ ଓ ଘରୋଇ ଜୀବନ ପାଇଁ ବି ଚର୍ଚିତ ହୋଇଥାନ୍ତି ମାରାଡୋନା। ଫୁଟ୍‌ବଲ୍‌ରେ ୧୦ ନମ୍ବର ଜର୍ସିର କଥା ଉଠିଲେ ନିଶ୍ଚିତ ଭାବେ ପ୍ରଥମେ ମନେ ପଡ଼ନ୍ତି ମାରାଡୋନା। ଏହି ନମ୍ବର ଜର୍ସିର ଗୁରୁତ୍ୱ, ଦାୟିତ୍ୱ ଏବଂ ମହତ୍ୱ ନିଆରା। ଫୁଟ୍‌ବଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ସର୍ବୋଚ୍ଚ ମୂଲ୍ୟରେ ଦୁଇ ଥର ଦଳ ବଦଳ କରିଥିଲେ। ବାର୍ସିଲୋନାରୁ ନାପୋଲି ଅଦଳବଦଳ କରିଥିଲେ ଯଥାକ୍ରମେ ୫ ନିୟୁତ ଏବଂ ୬.୯ ନିୟୁତ ପାଉଣ୍ଡ୍‌ରେ। ମାତ୍ର ୮ ବର୍ଷ ବୟସରୁ ଫୁଟ୍‌ବଲ୍‌ ଖେଳକୁ ଆସିଥିବା ମାରାଡୋନା ଆର୍ଜେଣ୍ଟିନୋ ଜୁନିୟର୍ସ, ବୋକା ଜୁନିୟର୍ସ, ବାର୍ସିଲୋନା, ନାପୋଲି, ସେଭିଲା, ନିେଓ୍ଵଲ୍‌ସ ଓଲ୍‌ଡ ବୟଜ ଆଦିରେ ନିଜ କ୍ଲବ୍‌ ଜୀବନ ବିତାଇଥିଲେ। କିନ୍ତୁ ନାପୋଲି ଏବଂ ବାର୍ସିଲୋନା ସହ ଥିବାବେଳେ ବହୁ ଖ୍ୟାତି ଓ ସମ୍ମାନ ଅର୍ଜନ କରିଥିଲେ। ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ ଖେଳ ଜୀବନରେ ୯୧ ମ୍ୟାଚ୍‌ ଖେଳି ୩୪ ଗୋଲ୍‌ ଦେଇଥିଲେ ଏହି ଗୋଲ୍‌ଡେନ୍‌ ବୟ।

ମାରାଡୋନାଙ୍କ ଦୂରଦୃଷ୍ଟି, ବଲ୍‌ ପାସ୍‌, ନିୟନ୍ତ୍ରଣ, ପଦଚାଳନା ଦକ୍ଷତା, ଗତି, କୌଶଳ, ସୃଜନଶୀଳତା ଏବଂ ପ୍ରତିକ୍ରିୟା ଆଦି ଥିଲା ଅସାଧାରଣ। ସ୍ୱଳ୍ପ ଉଚ୍ଚତା (୫ଫୁଟ୍‌ ୫ ଇଞ୍ଚ ତଥା ୧୬୫ ସେଣ୍ଟିମିଟର) ସତ୍ତ୍ୱେ ନିଜ ସମୟର ସମସ୍ତ ସମସାମୟିକ ଫୁଟ୍‌ବଲର୍‌ଙ୍କୁ ପଛରେ ପକାଇ ଦେଇଥିଲେ ସେ। ପଡ଼ିଆ ଭିତରେ ତାଙ୍କୁ ଯେତେ ଜଣ ଖେଳାଳି ପିଛା କରୁଥିଲେ ବି ବଲ୍‌ ଛଡ଼ାଇ ପାରୁନଥିଲେ। ନିଜର ୪ ବିଶ୍ୱକପ୍‌ ମଧ୍ୟରୁ ୧୯୮୬ ମସିହାରେ ନେତୃତ୍ୱ ନେଇ ବିଶ୍ୱ ବିଜେତା କରାଇଥିଲେ ଆର୍ଜେଣ୍ଟିନାକୁ। ମେକ୍ସିକୋରେ ଆୟୋଜିତ ଏହି ସଂସ୍କରଣରେ ଫାଇନାଲ୍‌ରେ ଆର୍ଜେଣ୍ଟିନା ହରାଇଥିଲା ପଶ୍ଚିମ ଜର୍ମାନିକୁ। ତେବେ ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଦଳର ୨-୧ ବିଜୟରେ ମାରାଡୋନାଙ୍କ ଉଭୟ ଗୋଲ୍‌ ଦୁଇଟି କାରଣ ପାଇଁ ଏବେ ବି ଚର୍ଚିତ ରହିଛି। ପ୍ରଥମଟି ଅଣଦଣ୍ଡିତ ହାତସ୍ପର୍ଶ ଫାଉଲ୍‌ ଯାହା କି ‘ହ୍ୟାଣ୍ଡ ଅଫ୍‌ ଗଡ୍‌’ ଭାବେ ବିତର୍କିତ ରହିଛି ଏବଂ ଦ୍ୱିତୀୟଟି ୬୬ ଗଜ ଦୂରରୁ ବଲ୍‌କୁ ଡ୍ରିବଲ୍‌ କରି ନେବା ଅବସରରେ ୫ ଜଣ ଇଂଲିସ୍‌ ଖେଳାଳିଙ୍କୁ ପଛରେ ପକାଇବା ଥିଲା ସବୁଠାରୁ ଉଲ୍ଲେଖନୀୟ। ଯାହାକୁ ୨୦୦୨ ମସିହାରେ ଫିଫା ଡଟ୍‌ କମ୍‌ ପ୍ରଦାନ କରିଥିଲା ‘ଗୋଲ୍‌ ଅଫ୍‌ ଦି ସେଞ୍ଚୁରି’ ଆଖ୍ୟା। ମେକ୍ସିକୋରେ ମଧ୍ୟ ଶ୍ରେଷ୍ଠ ଖେଳାଳି ଭାବେ ସୁନା ବଲ୍‌ ଜିତିଥିଲେ ମାରାଡୋନା। ୨୦୦୮ ମସିହାରେ ମାରାଡୋନା ଆର୍ଜେଣ୍ଟିନା ଜାତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ ଏବଂ ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ରେ ଦାୟିତ୍ୱ ତୁଲାଇଥିଲେ ନିଷ୍ଫଳତାର ସହିତ। ୧୯୬୦ ମସିହା ଅକ୍ଟୋବର ୩୦ ତାରିଖରେ ଜନ୍ମିତ ମାରାଡୋନା ବୁଏନସ୍‌ ଏୟାରସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସମ୍ପୂର୍ଣ୍ଣ ନାମ ଡିଏଗୋ ଅର୍ମାଣ୍ଡୋ ମାରାଡୋନା ଫ୍ରାଙ୍କୋ। ପିତାମାତାଙ୍କ ଔରସରୁ ଜନ୍ମିତ ୩ କନ୍ୟା ସନ୍ତାନ ପରେ ଆସିଥିବା ୩ ପୁତ୍ରଙ୍କ ମଧ୍ୟରୁ ମାରାଡୋନା ଥିଲେ ୫ ନମ୍ବର। ଅନ୍ୟ ଦୁଇ ଭାଇ ହୁଗୋ ଏବଂ ରାଉଲ ମଧ୍ୟ ପେସାଦାର ଫୁଟ୍‌ବଲ୍‌ ଖେଳାଳି। ପେଲେଙ୍କ ଭଳି ମାରାଡୋନା ମଧ୍ୟ ମାତ୍ର ୧୬ ବର୍ଷ ବୟସରେ ହଙ୍ଗେରି ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ବିବାଦୀୟ ଓ ବିତର୍କିତ
ବିବାଦୀୟ ବ୍ୟକ୍ତିତ୍ୱଭାବେ ମାରାଡୋନାଙ୍କ ଦୁର୍ନାମ ବି ରହିଛି କ୍ରୀଡ଼ା ଦୁନିଆରେ। ପଡ଼ିଆ ଭିତର ବିବାଦକୁ ଛାଡ଼ିଦେଲେ କୋକେନ୍‌ ସେବନ ପାଇଁ ସେ ଯେତିକି ଘୃଣାର ପାତ୍ର ଖେଳ ଦକ୍ଷତା ପାଇଁ ସେତିକି ପ୍ରଶଂସିତ। ଅଶି ଦଶକରୁ ଆରମ୍ଭ କରି ୨୦୦୪ ମସିହା ପର୍ଯ୍ୟନ୍ତ କୋକେନ କବଳିତ ଥିଲେ ମାରୋଡୋନା। ସ୍ୱାସ୍ଥ୍ୟ ସମସ୍ୟା ତାଙ୍କୁ ଅଡୁଆରେ ପକାଇଥିଲା। ଏକଦା ତାଙ୍କ ଓଜନ ୧୨୭ କିଲୋଗ୍ରାମରେ ପହଞ୍ଚିଯାଇଥିଲା। ଏକାଧିକ ଅତ୍ସୋପଚାର ପରେ ସାଧାରଣ ଜୀବନ ବିତାଇଥିଲେ। କିନ୍ତୁ ବ୍ୟକ୍ତିଗତ ଜୀବନ ଏବଂ ବିବାହ ବିଛେଦ ବି ତାଙ୍କୁ ଅଶାନ୍ତ ରଖିଥିଲା। କ୍ୟୁବା ନେତା ଫିଡେଲ କାଷ୍ଟ୍ରୋ ଏବଂ ପୋପ୍‌ ଜନ୍‌ ପଲ୍‌ ଦ୍ୱିତୀୟଙ୍କ ସହ ବଂଧୁତା ବି ତାଙ୍କୁ ନିଆରା ବ୍ୟକ୍ତିତ୍ୱ କରିଥିଲା। ଇଟାଲି ସରକାରଙ୍କୁ ଟିକସ ପ୍ରଦାନରେ ହେଳା କରିବାରେ ମଧ୍ୟ ତାଙ୍କୁ ବିବାଦ ଛାଡ଼ିନଥିଲା। କୋଟି କୋଟି ଜନତାଙ୍କ ପସନ୍ଦର ଖେଳାଳିଙ୍କୁ ମଧ୍ୟ ଡି୧୦ଏସ୍‌ କୁହାଯାଉଥିଲା। ଯାହାକି ତାଙ୍କ ଜର୍ସି ନମ୍ବର ଏବଂ ସ୍ପେନୀୟ ଭାଷାରେ ଈଶ୍ୱରଙ୍କ ସହ ତୁଳନାର ପ୍ରତିଫଳନ ଥିଲା।

ସମ୍ବନ୍ଧିତ ଖବର