ବଡ଼ ଅଗ୍ରଣୀ ଅଭିମୁଖେ ଇଂଲଣ୍ଡ

ସେଣ୍ଟ୍ ଲ୍ୟୁସିଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ୧୬ ୱିକେଟ୍‌ର ପତନ ପରେ ଭ୍ରମଣକାରୀ ଇଂଲଣ୍ଡ ଦଳ ସୋମବାର ତୃତୀୟ ଦିନ ନିଜ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଚା’ପାନ ବିରତି ବେଳକୁ ଇଂଲଣ୍ଡ ୩ ୱିକେଟ୍ ହରାଇ ୨୬୫ରନ୍ ସଂଗ୍ରହ କରିବା ସହିତ ମୋଟ ଉପରେ ୩୮୮ ରନ୍‌ରେ ଆଗୁଆ ହୋଇସାରିଥିଲା।
ଇଂଲଣ୍ଡ ନିଜର ପ୍ରଥମ ପାଳିରେ ୨୭୭ ରନ୍ କରିଥିଲେ ମଧ୍ୟ ବୋଲରମାନେ ଚମତ୍କାର ଭାବେ ଘରୋଇ ଦଳକୁ ୧୫୪ ରନ୍‌ରେ ଅଲ୍ ଆଉଟ୍ କରି ଦେଇଥିଲେ। ମାର୍କ ଉଡ୍‌ ନିଜର ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର (୮.୨-୨-୪୧-୫) ପାଇ ଏହି ଅପ୍ରତ୍ୟାଶିତ ବିପର୍ଯ୍ୟୟ ଘଟାଇଥିଲେ। ନିଜର ୧୩ତମ ଟେଷ୍ଟ୍‌ରେ ପ୍ରଥମ ଥର ୫ ୱିକେଟ୍ ସଫଳତା ‌ନେଇଥିଲେ ୨୯ ବର୍ଷୀୟ ମାର୍କ ଉଡ୍‌। ଅନ୍ୟପଟରେ ସ୍ପିନର ମୋଇନ୍ ଅଲୀ (୧୫-୪-୩୬-୪) ମଧ୍ୟ ଇଣ୍ଡିଜକୁ ଅଥୟ କରି ଦେଇଥିଲେ। ରବିବାର ମୋଇନ୍ ଅଲୀ ଏବଂ ମାର୍କ ଉଡ୍‌ ଦୁଇ ଥର ଲଗାତାର ବଲ୍‌ରେ ୱିକେଟ୍ ନେବାରୁ ଇଣ୍ଡିଜ୍ ହଠାତ୍‌ ୫୭/୦ରୁ ୫୯/୪ରେ ସଂଘର୍ଷ କରିଥିଲା। ଏହା ପରେ ହେଟମେୟର ଏବଂ ରସ୍ତନ ଚେଜ୍‌ଙ୍କୁ ମାର୍କ ଉଡ୍ ନିଜ ଥଳିରେ ପକାଇ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ। ସାନନ୍ ଗାବ୍ରିଏଲଙ୍କୁ ବୋଲଡ୍ କରି ମାର୍କ ଉଡ୍‌ ନିଜର ପଞ୍ଚମ ୱିକେଟ୍ ଦଖଲ କରିବା ସହିତ ଇଣ୍ଡିଜ୍ ପାଳିକୁ ୪୮ତମ ଓଭରରେ ଶେଷ କରି ଦେଇଥିଲେ। ପ୍ରଥମ ପାଳିରେ ଜୋ ରୁଟଙ୍କ ଦଳକୁ ୧୨୩ ରନ୍ ଅଗ୍ରଣୀ ମିଳିଯାଇଥିଲା।
ଚଳିତ ଶୃଙ୍ଖଳାରେ ପ୍ରଥମ ଥର ସୁବିଧାଜନକ ସ୍ଥିତିକୁ ଆସିଥିବା ଇଂଲଣ୍ଡ ସୋମବାର ସକାଳେ ୧୯/୦ରୁ ଖେଳିଥିଲା। ପ୍ରଥମ ଓଭରରେ ରୋରି ବର୍ନସଙ୍କୁ କିମୋ ପଲ୍‌ ଆଉଟ୍ କରିଦେଇଥିଲେ। କିନ୍ତୁ ଜୋ ଡେନଲିଙ୍କ ସହିତ ଦ୍ବିତୀୟ ୱିକେଟ୍‌ରେ ୫୪ ରନ୍ ଯୋଡ଼ିବା ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କିଟନ୍ ଜେନିଙ୍ଗ୍ସ (୨୩) ଯୋସେଫଙ୍କ ଦ୍ବାରା ବୋଲ୍‌ଡ ହୋଇଯାଇଥିଲେ। ଏହା ପରେ କିନ୍ତୁ ଜୋ‌ ଡେନଲି ଏବଂ ଜୋ ରୁଟ୍‌ ତୃତୀୟ ୱିକେଟ୍‌ ପାଇଁ ଆଉ ଏକ ଅର୍ଧଶତକୀୟ ଭାଗୀଦାରି (୭୪) ଗଢ଼ି ଇଂଲଣ୍ଡକୁ ବଡ଼ ଅଗ୍ରଣୀ ଦିଗରେ ଅଗ୍ରସର କରାଇଥିଲେ। ଡେନଲି (୬୯, ୯୯ ବଲ, ୧୧ ଚୌକା) କିନ୍ତୁ ଗାବ୍ରିଏଲଙ୍କ ବୋଲିଂରେ କଟ୍ ବିହାଇଣ୍ଡ୍ ହୋଇଯାଇଥିଲେ। ଏହା ପରେ‌ ଜୋସ୍ ବଟଲର୍‌ଙ୍କୁ ସାଥୀ କରି ରୁଟ୍ ଆଉ ଏକ ଅର୍ଧଶତକ ଭାଗୀଦାରି କରିଥିଲେ।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୭୭ (ବେନ୍ ଷ୍ଟୋକ୍ସ-୭୯, ଜୋସ୍ ବଟ୍‌ଲର-୬୭, କେମାର ରୋଚ୍‌-୪/୪୮, ସାନନ୍‌ ଗାବ୍ରିଏଲ୍‌-୨/୪୯, କିମୋ ପଲ୍‌-୨/୫୮, ଅଲଜାରି ଯୋସେଫ-୨/୬୧ )। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୪୭.୨ ଓଭରରେ ୧୫୪ (ଜନ୍ କ୍ୟାମ୍ପ୍‌ବେଲ୍‌-୪୧, ସନ୍ ଡାଓରିଚ୍‌-୩୮, ମାର୍କ ଉଡ୍‌-୫/୪୧, ମୋଇନ୍ ଅଲୀ-୪/୩୬, ଷ୍ଟୁଆର୍ଟ ବ୍ରଡ୍‌-୧/୪୨)। ଇଂଲଣ୍ଡ ଦ୍ବିତୀୟ ପାଳି: ୮୫ ଓଭରରେ ୨୬୫/୪ (ଜୋ ଡେନଲି-୬୯, ଜୋସ୍ ବଟଲର୍‌-୫୬, ଜୋ ରୁଟ୍‌-୭୬*, ବେନ୍‌ ‌ଷ୍ଟୋକ୍ସ-୮*, କିମୋ ପଲ୍‌-୧/୧୧, କେମାର ରୋଚ୍‌-୧/୨୮, ଅଲଜାରି ଯୋସେଫ-୧/୩୮, ସାନନ୍‌ ଗାବ୍ରିଏଲ୍‌-୧/୭୫)।

ସମ୍ବନ୍ଧିତ ଖବର