ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତକୁ ଆଉ ୨ ପଦକ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତ ମଙ୍ଗଳବାର ଆଉ ୨ ପଦକ ହାସଲ କରିଛି। ଦୁଇଟିଯାକ ପଦକ ଭାରତକୁ କନିଷ୍ଠ ବନ୍ଧୁକଚାଳକମାନେ ଦେଇଛନ୍ତି। କନିଷ୍ଠ ପୁରୁଷ ସ୍କିଟ୍‌ ଦଳଗତ ବର୍ଗରେ ରୌପ୍ୟ ଏବଂ ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପଦକ ମିଳିଛି। ଆଉ ଉଭୟ ପଦକରେ ଗୁର୍ନିହାଲ୍‌ ସିଂହ ଗାର୍ଚାଙ୍କ ଯୋଗଦାନ ରହିଛି। ଗୁର୍ନିହାଲ୍‌ (୧୧୯), ଅନନ୍ତଜିତ୍‌ ସିଂହ ନାରୁକା (୧୧୭) ଓ ଆୟୁଷ ରୁଦ୍ରରାଜୁ (୧୧୯) ଦଳଗତ ଫାଇନାଲ୍‌ରେ ମିଳିତ ଭାବେ ୩୫୫ ପଏଣ୍ଟ୍‌ ସ୍କୋର୍‌ କରି ଦ୍ୱିତୀୟ ସ୍ଥାନ ପାଇଥିଲେ। ଏହି ତିନିଜଣ ସୋମବାର ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହିଥିଲେ ମଧ୍ୟ ଶେଷରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଦଳଗତ ବର୍ଗରେ ଚେକ୍‌ ଗଣରାଜ୍ୟ (୩୫୬) ଓ ଇଟାଲି (୪୫୪) ଯଥାକ୍ରମେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ କରାୟତ କରିଥିଲେ।
ସେହିପରି ୧୯ ବର୍ଷ ବୟସ୍କ ଗୁର୍ନିହାଲ୍‌ ୬ ଜଣିଆ ଫାଇନାଲ୍‌ରେ ବ୍ୟକ୍ତିଗତ ଭାବେ ୪୬ ସ୍କୋର୍‌ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଲାଭ କରିଥିଲେ। ଗୁର୍ନିହାଲ୍‌ଙ୍କର ଏହା ତାଙ୍କ ଆନ୍ତର୍ଜାତିକ ଜୀବନର ସର୍ବଶ୍ରେଷ୍ଠ ସଫଳତା ଥିଲା। ବ୍ୟକ୍ତିଗତ ବର୍ଗରେ ଇଟାଲିର ଈଲିଆ ସ୍ରୁସିଓଲି (୫୫) ସ୍ୱର୍ଣ୍ଣ ଏବଂ ଆମେରିକାର ନିକ୍‌ ମାଶ୍ଚେଟି (୫୪) ରୌପ୍ୟ ପଦକ ପାଇଥିଲେ।
ମଙ୍ଗଳବାରର ଏହି ୨ ପଦକ ସହିତ ଚଳିତ ବିଶ୍ୱ ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୨୨ରେ ପହଞ୍ଚିଯାଇଛି। ସେଥିରେ ୭ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୭ କାଂସ୍ୟ ପଦକ ସାମିଲ ରହିଛି। ୨୨ ପଦକ ସହ ଭାରତ ମଧ୍ୟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର