ଗପ୍ଟିଲଙ୍କ ଶତକରେ ନ୍ୟୁଜିଲାଣ୍ଡ ବିଜୟୀ, ବାଂଲାଦେଶ ୮ ୱିକେଟ୍‌ରେ ପରାସ୍ତ

ନାପିଏର: ଟ୍ବେଣ୍ଟି-୨୦ରେ ଭାରତକୁ ଧରାଶାୟୀ କରିବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ବୁଧବାର ଆଉ ଏକ ଶୃଙ୍ଖଳା ବିଜୟର ମୂଳଦୂଆ ପକାଇଛି। ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ କିୱି ଦଳ ଏକତରଫା ଭାବେ ୮ ୱିକେଟ୍‌ରେ ଜିତି ନେଇଛି। ତା’ ସହ ୧-୦ରେ ଆଗୁଆ ହୋଇଯାଇଛି। ଘରୋଇ ଦଳର ଏହି ସହଜ ବିଜୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାର୍ଟିନ୍ ଗପ୍ଟିଲ ପ୍ରମୁଖ ଭୂମିକା ତୁଲାଇଛନ୍ତି। ପଞ୍ଚଦଶ ଶତକ ହାସଲ କରି ନ୍ୟୁଜିଲାଣ୍ଡକୁ ମ୍ୟାଚ୍ ଜିତାଇବା ସହ ଗପ୍ଟିଲ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ତାଙ୍କ ବିସ୍ଫୋରକ ଶତକ ପାଇଁ ବାଂଲାଦେଶ ଧାର୍ଯ୍ୟ କରିଥିବା ୨୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୫.୩ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହେନରି ନିକୋଲ୍ସ ୫୩ ଏବଂ ରସ୍ ଟେଲର ୪୫* ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଏହା ପୂର୍ବରୁ ମ୍ୟାଟ୍ ହେନରି ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡ଼ି ମିଳିତ ଭାବେ ୫ ୱିକେଟ୍ ନେଇ ବାଂଲାଦେଶ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ଏହି ଦଳ ୪୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୨ ରନ୍ କରି ପାରିଥିଲା। ବାଂଲାଦେଶ ବୁଧବାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଯେମିତି ଆରମ୍ଭ କରିବା ଆଶାରେ ଥିଲା, ସେମିତି କରି ପାରି ନଥିଲା। ଦଳର ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ ଓ ଲିଟନ୍ ଦାସ ମାତ୍ର ୧୯ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଅଭିଜ୍ଞ ମୁସ୍‌ଫିକର ରହିମ (୫) ଓ ସୌମ୍ୟ ସରକାର (୩୦) ମଧ୍ୟ ବିଶେଷ ସଫଳତା ପାଇ ନଥିଲେ। କେବଳ ମହମ୍ମଦ ମିଥୁନ (୬୨) ଲଢ଼ୁଆ ଅର୍ଧଶତକ ହାସଲ କରିବା ସହ ବାଂଲାଦେଶ ସ୍କୋରକୁ ୨୦୦ ରନ୍ ପାର କରାଇଥିଲେ। ନବାଗତ ମହମ୍ମଦ ସୈଫୁଦ୍ଦିନ ୪୧ ରନ୍‌ର ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହେନରି ୨ ଏବଂ ବୋଲ୍ଟ ଓ ମିଚେଲ ସାଣ୍ଟନର ତିନିଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୫୦ ଓଭରରେ ୨୩୨ (ମହମ୍ମଦ ମିଥୁନ ୬୨, ମହମ୍ମଦ ସୌଫୁଦ୍ଦିନ ୪୧, ସୌମ୍ୟ ସରକାର ୩୦, ମେହଦି ହାସନ ମିରାଜ ୨୬, ଟ୍ରେଣ୍ଟ ବୋଲ୍ଟ ୩/୪୦, ମ୍ୟାଟ୍ ହେନରି ୨/୪୮, ମିଚେଲ ମାଣ୍ଟନର ୩/୪୫)। ନ୍ୟୁଜିଲାଣ୍ଡ ୪୪.୩ ଓଭରରେ ୨୩୩/୨ (ମାର୍ଟିନ ଗପ୍ଟିଲ ୧୧୭*, ହେନରି ନିକୋଲାସ ୫୩*, ରସ୍ ଲେଟର ୪୫*, ମହମ୍ମଦୁଲ୍ଲା ୧/୨୭, ମେହଦି ହାସନ ମିରାଜ ୧/୪୦)।

ସମ୍ବନ୍ଧିତ ଖବର