ଗୁରବାଣୀ ହ୍ୟାଟ୍ରିକ୍‌, ଦିଲ୍ଲୀ ଘାଇଲା, ବିଦର୍ଭ ଦୃଢ଼

ଇନ୍ଦୋର: କୋଲକାତା ଭଳି ଇନ୍ଦୋରରେ ମଧ୍ୟ ବିଦର୍ଭ ଦ୍ରୁତ ବୋଲର ରଜନୀଶ ଗୁରବାଣୀଙ୍କ ଯାଦୁ ଦେଖିବାକୁ ମିଳିଛି। କୋଲକାତାରେ ୧୨ ଓ୍ଵିକେଟ୍‌ ନେଇ ନାଟକୀୟ ଢଙ୍ଗରେ ବିଦର୍ଭକୁ ଚଳିତ ରଣଜୀ ଟ୍ରଫିର ଫାଇନାଲ୍‌କୁ ନେଇଥିବା ଗୁରବାଣୀ ଇନ୍ଦୋରରେ ହ୍ୟାଟ୍ରିକ୍‌ ଅର୍ଜନ କରି ଶକ୍ତିଶାଳୀ ଦିଲ୍ଲୀର ହୋସ୍‌ ଉଡ଼ାଇ ଦେଇଛନ୍ତି। ଶନିବାର ସକାଳେ ତାଙ୍କ ହ୍ୟାଟ୍ରିକ୍‌ରେ ଘାଇଲା ହୋଇ ଦିଲ୍ଲୀ ମାତ୍ର ୨୯୫ ରନ୍‌ରେ ସୀମିତ ହୋଇ ଯାଇଥିଲା। ଏହା ପରେ ବିଦର୍ଭ ଅଧିନାୟକ ଫୈଜ ଫଜଲ (୬୭) ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ୍ଵାସିମ ଜାଫର (୬୧*)ଙ୍କ ଅର୍ଧଶତକ ବଳରେ ଦୃଢ଼ ସ୍ଥିିତିରେ ଦ୍ୱିତୀୟ ଦିନର ଖେଳ ଶେଷ କରିଥିଲା। ଶନିବାର ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିଦର୍ଭ କେବଳ ୪ ଓ୍ଵିକେଟ୍‌ ହରାଇ ୨୦୬ ରନ୍‌ କରି ନେଇଥିଲା। ଫଳରେ ହାତରେ ୬ ଓ୍ଵିକେଟ୍‌ ଥାଇ ଦିଲ୍ଲୀଠାରୁ ୮୯ ରନ୍‌ ପଛରେ ରହିଥିଲା। ଖେଳ ବନ୍ଦ ବେଳକୁ ଜାଫରଙ୍କ ସହ ଅକ୍ଷୟ ଓ୍ଵାଖରେ (୦) ଅପରାଜିତ ରହିଥିଲେ। ଗୁରବାଣୀ ରଣଜୀ ଫାଇନାଲରେ ୪୫ ବର୍ଷ ପରେ ହ୍ୟାଟ୍ରିକ୍‌ ହାସଲ କରିବା ପରେ ଫଜଲ ଏବଂ ଜାଫରଙ୍କ ପାଇଁ ଦ୍ୱିତୀୟ ଦିନର ସବୁ ସମ୍ମାନ ବିଦର୍ଭ ହାତେଇ ନେଇଥିଲା। ରଣଜୀ ଫାଇନାଲରେ ହ୍ୟାଟ୍ରିକ୍‌ ନେବାରେ ଗୁରବାଣୀ ଦ୍ୱିତୀୟ ବୋଲର ହୋଇଥିଲେ। ଅନ୍ୟପକ୍ଷରେ ବିଦର୍ଭର ତୃତୀୟ ବୋଲର ଭାବେ ସେ ରଣଜୀ ଟ୍ରଫିରେ ହ୍ୟାଟ୍ରିକ୍‌ କରିଥିଲେ। ଦିଲ୍ଲୀ ଶୁକ୍ରବାର ସ୍କୋର ୨୭୧/୬ରୁ ଶନିବାର ଖେଳ ଆରମ୍ଭ କରିଥିଲା। ସହଜରେ ୨୯୦/୬ରେ ବି ପହଞ୍ଚି ଯାଇଥିଲା। ହେଲେ ଠିକ୍‌ ସେତିକି ବେଳେ ଗୁରବାଣୀଙ୍କ ଯାଦୁ ଆରମ୍ଭ ହୋଇ ଯାଇଥିଲା। ରକ୍ଷଣାତ୍ମକ ବ୍ୟାଟିଂ କରି ୮୧ ବଲ୍‌ରୁ ୭ ରନ୍‌ କରିଥିବା ବିକାଶ ମିଶ୍ରଙ୍କ ଏକାଗ୍ରତାକୁ ଭାଙ୍ଗିବାକୁ ସେ ସକ୍ଷମ ହୋଇଥିଲେ। ଦିଲ୍ଲୀ ପାଳିର ୧୦୧ତମ ଓଭରର ଶେଷ ଦୁଇ ବଲ୍‌ରେ ବିକାଶଙ୍କ ସହ ନଭଦୀପ ସାଇନି (୦)ଙ୍କୁ ବୋଲ୍ଡ କରି ଦେଇଥିଲେ। ସେହିଭଳି ନିଜ ପରବର୍ତୀ ଓଭରର ପ୍ରଥମ ବଲ୍‌ରେ ଶତକ ହାସଲକାରୀ ଧୃବ ସୁରୀ (୧୪୫)ଙ୍କ ଅଫ୍‌ ଷ୍ଟମ୍ପ ଭାଙ୍ଗି ଇତିହାସ ରଚିଥିଲେ। ସେହି ଓଭରର ପଞ୍ଚମ ବଲ୍‌ରେ କୁଲବନ୍ତ ଖେଜ୍ରୋଲିଆଙ୍କୁ ଆଉଟ୍‌ କରି ଦିଲ୍ଲୀ ପାଳିରେ ମୁଣ୍ଡି ମାରି ଦେଇଥିଲେ।

ବିଦର୍ଭ ପାଇଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଫଜଲ ଏବଂ ସଂଜୟ ରାମାସ୍ୱାମୀ ଭଲ ଆରମ୍ଭ କରିଥିଲେ। ଉଭୟ ୯୬ ରନ୍‌ ଯୋଡ଼ି ନେଇଥିଲେ। ସଂଜୟ ଆଉଟ୍‌ ହେବା ପରେ ଜାଫର ମଙ୍ଗ ସମ୍ଭାଳି ଥିଲେ। ଜାଫର ଏବଂ ଫଜଲଙ୍କ ପାଇଁ ପ୍ରଥମ ଥର ଫାଇନାଲ୍‌ ଖେଳୁଥିବା ବିଦର୍ଭ ଦୃଢ଼ ସ୍ଥିତିରେ ଦିନ ଶେଷ କରିଥିଲା।
ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ ୧୦୨.୫ ଓଭରରେ ୨୯୫ (ଧୃବ ସୁରୀ ୧୪୫, ହିମନ୍ତ ସିଂହ ୬୬, ରଜନୀଶ ଗୁରବାଣୀ ୬/୫୯, ଆଦିତ୍ୟ ଥକରେ ୨/୭୪)। ବିଦର୍ଭ ୬୭ ଓଭରରେ ୨୦୬/୪ (ଫୈଜ ଫଜଲ ୬୭, ଓ୍ଵାସିମ ଜାଫର ୬୧, ଆକାଶ ସୁଦନ ୨/୫୩)।

ରଣଜୀ ଫାଇନାଲରେ ୪୫ ବର୍ଷ ପରେ ହ୍ୟାଟ୍ରିକ୍‌

ବିଦର୍ଭର ୨୪ ବର୍ଷୀୟ ଦ୍ରୁତ ବୋଲର ରଜନୀଶ ଗୁରବାଣୀ ଶନିବାର ନିଜ ନାଁକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଥିଲେ। ରଣଜୀ ଟ୍ରଫି ଫାଇନାଲରେ ହ୍ୟାଟ୍ରିକ୍‌ ନେବାରେ ସେ ଦେଶର ଦ୍ୱିତୀୟ ବୋଲର ହୋଇଥିଲେ। ଦୀର୍ଘ ୪୫ ବର୍ଷ ପରେ ଗୁରବାଣୀ ରଣଜୀ ଫାଇନାଲରେ ହ୍ୟାଟ୍ରିକ୍‌ ନେଇ ପ୍ରତିପକ୍ଷ ଦିଲ୍ଲୀକୁ ମଧ୍ୟ ଜବରଦସ୍ତ ଝଟକା ଦେଇଥିଲେ। ତାଙ୍କ ପୂର୍ବରୁ ପ୍ରଥମ ବୋଲର ଭାବେ ତାମିଲନାଡୁର ବି କଲ୍ୟାଣସୁନ୍ଦରମ୍‌ ୧୯୭୨/୭୩ ରଣଜୀ ଋତୁର ଫାଇନାଲରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଗୁରବାଣୀ ନିଜ ୨୩ତମ ଓଭରର ଶେଷ ଦୁଇ ବଲ୍‌ ଏବଂ ୨୪ତମ ଓଭରର ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ନେଇ ସ୍ମରଣୀୟ ହ୍ୟାଟ୍ରିକ୍‌ ପୂରଣ କରିଥିଲେ। ଦିଲ୍ଲୀର ବିକାଶ ମିଶ୍ର, ନଭଦୀପ ସାଇନି ଏବଂ ଧୃବ ସୁରୀ ତାଙ୍କ କ୍ରମାଗତ ଶିକାର ହୋଇଥିଲେ। ମହାରାଷ୍ଟ୍ରର ନାଗପୁରରେ ଜନ୍ମ ଗ୍ରହଣ କରିଥିବା ୨୪ ବର୍ଷୀୟ ବିଦର୍ଭ ପକ୍ଷରୁ ରଣଜୀ ଖେଳନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମାତ୍ର ୯ ମ୍ୟାଚ୍‌ ଖେଳି ସେ ୪୪ ଓ୍ଵିକେଟ୍‌ ଅକ୍ତିଆର କରି ସାରିଲେଣି। ଗତବର୍ଷ ଝାଡ଼ଖଣ୍ଡ ବିପକ୍ଷରେ ଗୁରବାଣୀ ନିଜ ରଣଜୀ ଜୀବନ ଆରମ୍ଭ କରିଥିଲେ। ସେ ମଧ୍ୟ ୧୦ଟି ଲିଷ୍ଟ ଏ ଏବଂ ୯ ଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଆସନ୍ତାବର୍ଷ ଆଇପିଏଲ୍‌ ନିଲାମରେ ସେ ବିଭିନ୍ନ ଦଳର ପ୍ରଥମ ପସନ୍ଦ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର