ଗୌହାଟୀ ଦିନିକିଆ: କୋହଲି-ରୋହିତଙ୍କ ଶତକୀୟ ଭାଗିଦାରୀ, ୮ ଓ୍ଵିକେଟରେ ହାରିଲା ୱେଷ୍ଟଇଣ୍ଡିଜ୍‌, ଭାରତ ୧-୦ରେ ଅଗ୍ରଣୀ

ଗୌହାଟୀ: ଅଧିନାୟକ ବିରାଟ କୋହଲି(୧୪୦ ରନ୍‌, ୧୦୭ ବଲ୍‌, ୨୧ ଚୌକା ଓ ୨ ଛକା) ଓ ଓପନର ରୋହିତ ଶର୍ମା(ଅପରାଜିତ ୧୫୨ ରନ୍‌, ୧୧୭ ବଲ୍‌,୧୫ ଚୌକା ଓ ୮ ଛକା)ଙ୍କ ଶତକୀୟ (୧୪୬ ରନ୍‌) ଭାଗିଦାରୀ ବଳରେ ରବିବାର ଭାରତ ୮ ଓ୍ଵିକେଟ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୩୨୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ କରିଥିଲା। କୋହଲି ଓ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୪୨.୧ ଓଭରରେ ୨ ଓ୍ଵିକେଟ ହରାଇ ଭାରତ ୩୨୬ ରନ୍‌ ସଂଗ୍ରହ କରଛି। ଫଳରେ ଭାରତ ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ ରହିଛି।

ଭାରତ ପ୍ରଥମ ଓ୍ଵିକେଟ ଭାବରେ ଶିଖର ଧାଓ୍ଵନ (୪)ଙ୍କୁ ହରାଇଥିଲା। ଧାଓ୍ଵନ ୧.୬ ଓଭରରେ ଓସେନ ଥୋମାସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ରୋହିତ ଓ କୋହଲି ୨ୟ ଓ୍ଵିକେଟରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ୨ୟ ଓ୍ଵିକେଟ ଭାବରେ କୋହଲିଙ୍କୁ ୨୫୬ ରନ୍‌ରେ ହରାଇଥିଲା। ଅବାନ୍ତି ରାୟଡୁ ୨୬ଟି ବଲ ଖେଳି ଅପରାଜିତ ୨୨ ରନ୍‌ ଯୋଡ଼ିଥିବା ବେଳେ ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଅଛି।

ପ୍ରଥମ ଇନିଂସରେ ସିମରୋନ୍‌ ହେଟ୍‌ମେୟରଙ୍କ ବିସ୍ଫୋରକ ଶତକ(୧୦୬ ରନ୍‌, ୭୮ ବଲ, ୬ ଚୌକା, ୬ ଛକା) ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୩୨୨ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ୩୨୩ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଆସାମର ଗୌହାଟୀ ଷ୍ଟାଡିୟମରେ ୫ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ରବିବାର ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ୩ଟି ଓ୍ଵକେଟ୍‌, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥବା ବେଳେ ଖଲିଲ ଅହମଦ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

କିରଣ ପାେଓ୍ଵଲ ଓ ଚନ୍ଦ୍ରପଲ ହେମରାଜ ୱେଷ୍ଟଇଣ୍ଡିଜ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଭାରତର ମହମ୍ମଦ ସାମି ୫ମ ଓଭରରେ ଚନ୍ଦ୍ରପଲଙ୍କୁ ବୋଲଡ୍‌ କରି ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ। ପାେଓ୍ଵଲଙ୍କୁ ଖଲିଲ ଅହମଦ ଶିକାର କରିଥିଲେ ଓ ଶିଖର ଧାଓ୍ଵନ କ୍ୟାଚ ନେଇଥିଲେ। ଏହା ପରେ ମାର୍ଲୋନ ସାମୁଏଲ(୦)ଙ୍କୁ ୟୁଜବେନ୍ଦ୍ର ଚହଲ ଏଲବିଡବ୍ଲୁ କରିଥିଲେ।

ସାଈ ହୋପ୍‌(୩୨) ମହମ୍ମଦ ସାମିଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ହୋପ୍‌ ୫୧ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ରୋଭମ୍ୟାନ ପାେଓ୍ଵଲଙ୍କ ଓ୍ଵିକେଟ ସହିତ ୱେଷ୍ଟଇଣ୍ଡିଜ ୫ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିଲା। ପାେଓ୍ଵଲଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍‌ କରିଥିଲେ। ଶତକ ହାସଲ କରିବା ପରେ ସିମରୋନ ହେଟମେୟର ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ। ସେ ଋଷଭ ପନ୍ତଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ ଏସ୍ଲେ ନର୍ସଙ୍କୁ ଏଲ୍‌ବିଡବ୍ଲୁ କରିଥିଲେ। ଭାରତର ୮ମ ଶିକାର ହୋଇଥିଲେ ଅଧିନାୟକ ଜେସନ୍‌ ହେଲଡର(୩୮)। ସେ ୟୁଜବେନ୍ଦ୍ର ଚଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦେବେନ୍ଦ୍ର ବିଶୋ ଅପରାଜିତ ୨୨ ରନ୍‌ ଓ କେମରନ୍‌ ରୋଚ୍‌ ଅପରାଜିତ ୨୬ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର