ହାଫିଜଙ୍କ ଶତକ: ପାକିସ୍ତାନ ୨୫୫/୩

ଦୁବାଇ: ରବିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌‌େର ପାକିସ୍ତାନ ପ୍ରଥମ ଦିନରେ ୩ ୱିକେଟ୍‌ରେ ୨୫୫ ରନ୍ କରିଛି। ପ୍ରଥମ ଦୁଇ ଅଧିବେଶନରେ ପ୍ରାଧାନ୍ୟ ବିସ୍ତାର କରିବା ପରେ ପାକିସ୍ତାନ କିନ୍ତୁ ଚା’ପାନ ବିରତି ପରେ ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଛି। ପ୍ରାରମ୍ଭିକ ଯୋଡ଼ି ଇମାମ ଉଲ୍ ହକ୍ ଏବଂ ମହମ୍ମଦ ହାଫିଜ୍ ପ୍ରଥମ ୱିକେଟ୍‌ ପାଇଁ ୨୦୫ ରନ୍ ଉଠାଇଥିଲେ। ଇମାମ (୭୬ ରନ୍, ୧୮୮ ବଲ୍‌, ୭ ଚୌକା, ୨ ଛକା)ଙ୍କୁ ସ୍ପିନର୍ ନାଥନ୍ ଲିଅନ୍ କଟ୍ ବିହାଇଣ୍ଡ୍ କରାଇ ଦ୍ବିଶତକ ଭାଗୀଦାରିକୁ ଭାଙ୍ଗି ଦେଇଥିଲେ। କିଛି ସମୟ ପରେ ଶତକ ହାସଲକାରୀ ମହମ୍ମଦ ହାଫିଜ (୧୨୬, ୨୦୮ ବଲ, ୧୫ ଚୌକା)ଙ୍କୁ ପିଟର୍ ସିଡଲ୍ ଏଲବିଡବଲ୍ୟୁ କରି ଦେଇଥିଲେ। ଆଝାର ଅଲୀ (୧୮, ୮୦ ବଲ, ୨ ଚୌକା) ବହୁ ସମୟ ଲଢ଼ିଥିଲେ ମଧ୍ୟ ବାମହାତୀ ସ୍ପିନର୍‌ ଜନ ହଲାଣ୍ଡ୍‌ଙ୍କ ଶିକାର ହୋଇଥିଲେ। ପାକିସ୍ତାନ ଦିନର ଶେଷ ୨୭ ଓଭରରେ ମାତ୍ର ୫୦ ରନ୍ ଯୋଡ଼ି ଏହି ୩ ୱିକେଟ୍‌ ହରାଇଥିଲା। ପାଖାପାଖି ୨ ବର୍ଷ ପରେ ହାଫିଜଙ୍କ ବ୍ୟାଟରୁ ଶତକ ମିଳିଥିଲା। ଏହା ତାଙ୍କର ୫୧ତମ ଟେଷ୍ଟ୍‌ରୁ ଦଶମ ଶତକ। ଏହି ଟେଷ୍ଟ୍‌ରେ ୪ ଜଣ ପଦାର୍ପଣ କରିଛନ୍ତି। ପାକିସ୍ତାନ ପାଇଁ ୩୩ ବର୍ଷୀୟ ଅଫସ୍ପିନର୍ ମହମ୍ମଦ ବିଲାଲ ଅସିଫ୍ ଏବଂ ଅଷ୍ଟ୍ରେଲିଆ ପାଇଁ ୩ ଜଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଅରୋନ୍ ଫିଞ୍ଚ୍, ମଧ୍ୟକ୍ରମ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ବ୍ୟାଟିଂ ଅଲରାଉଣ୍ଡର୍ ମାର୍ନସ ଲବୁଚାଗନେ ‌େଟଷ୍ଟ୍ ଜୀବନ ଆରମ୍ଭ କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୯୦ ଓଭରରେ ୨୫୫/୩ (ହାଫିଜ-୧୨୬, ଇମାମ ଉଲ୍ ହକ୍-୭୬, ସୋହେଲ-୧୫*, ଆବାସ-୧*, ପିଟର୍ ସିଡଲ୍-୧/୨୩, ନାଥନ୍ ଲିଅନ୍-୧/୬୩, ଜନ୍ ହଲାଣ୍ଡ-୧/୭୨)।

ସମ୍ବନ୍ଧିତ ଖବର