ସେମିରେ ହାଲେପ୍‌-ମୁଗୁରୁଜା ମୁହାଁମୁହିଁ

ସାରାପୋଭା ବିଦା

ପ୍ୟାରିସ୍‌ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଖେଳାଳି ସିମୋନା ହାଲେପ୍‌ ଏବଂ ତୃତୀୟ ମାନ୍ୟତା ଗାର୍ବିନେ ମୁଗୁରୁଜା ମୁହାଁମୁହିଁ ହେବେ। ବୁଧବାର କ୍ୱାର୍ଟର୍‌ ଫାଇନାଲ୍‌ରେ ରୋମାନିଆ ସୁନ୍ଦରୀ ହାଲେପ୍‌ ପ୍ରଥମ ସେଟ୍‌ ହାରିବା ସତ୍ତ୍ୱେ ୬-୭, ୬-୩, ୬-୨ରେ ପୂର୍ବତନ ଶୀର୍ଷ ମାନ୍ୟତା ଜର୍ମାନିର ଆଞ୍ଜେଲିକ୍‌ କେର୍ବର୍‌ଙ୍କୁ ପରାସ୍ତ କରିଥିଲେ। ଏଥିସହ ହାଲେପ୍‌ ତୃତୀୟ ଥର ଲାଗି ରୋଲାଁ ଗ୍ୟାରସ୍‌ରେ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଅନ୍ୟ ଏକ କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ପେନ୍‌ ଲଳନା ମୁଗୁରୁଜା ସିଧାସଳଖ ୬-୨, ୬-୧ ସେଟ୍‌ରେ ୨୮ ମାନ୍ୟତା ତଥା ଦୁଇ ଥର ବିଜୟିନୀ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭାଙ୍କୁ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ପୁରୁଷ ଏକକର ଶେଷ ଦୁଇଟି କ୍ୱାର୍ଟର ଫାଇନାଲ୍‌ ବାଧାପ୍ରାପ୍ତ ହୋଇଛି। ଡିଏଗୋ ସ୍କାର୍ଚମ୍ୟାନ୍‌ଙ୍କ ବିପକ୍ଷରେ ଶୀର୍ଷ ମାନ୍ୟତା ରାଫେଲ ନାଦାଲ ପ୍ରଥମ ସେଟ୍‌କୁ ୪-୬ରେ ହାରିବା ପରେ ଦ୍ୱିତୀୟ ସେଟ୍‌ରେ ୫-୩ରେ ଆଗୁଆ ରହିଛନ୍ତି। ସେହିପରି ମାରିନ୍‌ ସିଲିକ୍‌ ଓ ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟୋଙ୍କ ପ୍ରଥମ ସେଟ୍‌ ୬-୬ରେ ରହିଛି।

ସମ୍ବନ୍ଧିତ ଖବର