ଅର୍ଧଶତାବ୍ଦୀର କାର୍ଡ ଖେଳ

0 58

ମସ୍କୋ,: ଲାଲ୍‌ କାର୍ଡ ବିନା ଆଧୁନିକ ଫୁଟ୍‌ବଲ୍‌ କଥା ଚିନ୍ତା କରାଯାଇ ନପାରେ। ଖେଳାଳିଙ୍କୁ ଚେତାବନୀ ଦେବା ଏବଂ ବିପଜ୍ଜନକ ଖେଳ ସହ ପ୍ରତିପକ୍ଷକୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କିମ୍ବା ଆକ୍ରମଣ କଲେ ସେମାନଙ୍କୁ ପଡ଼ିଆ ବାହାରକୁ ପଠାଇବାର ଧାରା କିନ୍ତୁ ଊନ୍ନବିଂଶ ଶତାବ୍ଦୀ ଶେଷ ଭାଗରୁ ଚାଲି ଆସୁଛି। ତେବେ ଫୁଟ୍‌ବଲ୍‌ରେ ରଙ୍ଗିନ କାର୍ଡର ବ୍ୟବହାର ୧୯୭୦ ମସିହା ମେକ୍ସିକୋ ବିଶ୍ୱକପ୍‌ରୁ ଆରମ୍ଭ ହୋଇଥିଲା। ଚେତାବନୀ ପାଇଁ ହଳଦିଆ ଏବଂ ପଡ଼ିଆ ବାହାରକୁ ଯିବାର ନିର୍ଦେଶ ପାଇଁ ରେଫରି ଲାଲ କାର୍ଡ ଦେଖାଇବାର ଧାରା ସେହିଠାରୁ ହିଁ ଆରମ୍ଭ ହୋଇଥିଲା।
ଟ୍ରାଫିକ୍‌ ସିଗ୍‌ନାଲ୍‌ରୁ ବିଚାର
ଇଂଲିସ୍‌ ରେଫରି କେନ୍‌ ଆଷ୍ଟନଙ୍କୁ ଫୁଟ୍‌ବଲ୍‌ରେ ଲାଲ କାର୍ଡ ଏବଂ ହଳଦିଆ କାର୍ଡ ପ୍ରଚଳନର ଜନକ ମାନ୍ୟତା ମିଳେ । ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଅବସରରେ ସୃଷ୍ଟି ହୋଇଥିବା ବଡ଼ ଧରଣର ବିବାଦ ପାଇଁ ଆଷ୍ଟନଙ୍କ ମନରେ ବିଭିନ୍ନ ରଙ୍ଗର କାର୍ଡ ବ୍ୟବହାର କରିବା ବିଚାର ଆସିଥିଲା। ଏହି ମ୍ୟାଚ୍‌ରେ ଜର୍ମାନି ରେଫରି ରେଫ୍‌ ରୁଡୋଲ୍ଫ କ୍ରେଇଟ୍‌ଲିନ୍‌ ଇଂଲଣ୍ଡ ଦଳରେ ଥିବା ଦୁଇ ଭାଇ ଜ୍ୟାକ୍‌ ଓ ଚାର୍ଲଟନ୍‌ଙ୍କୁ ଚେତାବନୀ ଦେବା ସହ ଆର୍ଜେଣ୍ଟିନାର ଆଣ୍ଟୋନିଓ ରାଟିନଙ୍କୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ। ହେଲେ ତାଙ୍କ ନିଷ୍ପତ୍ତି ସାଧାରଣରେ ପରିପ୍ରକାଶ କରାଯାଇ ନଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆଷ୍ଟନ ମ୍ୟାଚ୍‌ ସାରି ଫେରୁଥିଲା ବେଳେ ଗହଳି ପାଇଁ କିଛି ସମୟ ଟ୍ରାଫିକ୍‌ ସିଗ୍‌ନାଲରେ ଅଟକିବାକୁ ବାଧ୍ୟ ହୋଇଥିଲେ। ସେହିଠାରେ ହିଁ ତାଙ୍କ ମନରେ ଫୁଟ୍‌ବଲ୍‌ରେ ଲାଲ୍‌ ଏବଂ ହଳଦିଆ କାର୍ଡ ବ୍ୟବହାର କରିବାର ଯୋଜନା ଜାଗ୍ରତ ହୋଇଥିଲେ। ଫିଫା ଏହାକୁ ଗ୍ରହଣ କରିନେବା ସହ ୧୯୭୦ ବିଶ୍ୱକପ୍‌ରେ ଲାଗୁ କରିଥିଲା। ହେଲେ ଏହି ବିଶ୍ୱକପ୍‌ରେ କୌଣସି ଖେଳାଳି ଲାଲ୍‌ କାର୍ଡ ପାଇ ନଥିଲେ।
୭୦ରେ ଆରମ୍ଭ, ୨୦୦୬ରେ ସର୍ବାଧିକ
୧୯୭୦ ମସିହାରୁ ରଙ୍ଗିନ କାର୍ଡ ଦେଖାଇବା ପରମ୍ପରା ଆରମ୍ଭ ହେବା ପରଠାରୁ ବିଶ୍ୱକପ୍‌ରେ ରେଫରି ମୋଟ ୧୪୬ ଲାଲ କାର୍ଡ ଦେଖାଇଛନ୍ତି। ସେହିଭଳି ବିଶ୍ୱକପ୍‌ରେ ସେମାନେ ଦେଖାଇଥିବା ଦଳଦିଆ କାର୍ଡ ସଂଖ୍ୟା ୨୧୮୩ରେ ପହଞ୍ଚିଛି। ୧୯୭୦ ମସିହାରେ ଜଣେ ହେଲେ ବି ଖେଳାଳି ଲାଲ କାର୍ଡ ପାଇ ନଥିଲେ। ଅନ୍ୟ ପକ୍ଷରେ ୨୦୦୬ ଜର୍ମାନି ବିଶ୍ୱକପ୍‌ରେ ରେଫରି ସର୍ବାଧିକ ୨୮ ଲାଲ୍‌ କାର୍ଡ ଦେଖାଇଥିଲେ। ବିଶ୍ୱକପ୍‌ର ଏହି ସଂସ୍କରଣରେ ମଧ୍ୟ ରେଫରି ସର୍ବାଧିକ ୩୪୫ ହଳଦିଆ କାର୍ଡ ଦେଇଥିଲେ। ଅର୍ଥାତ୍‌ ପ୍ରତି ମ୍ୟାଚ୍‌ ପିଛା ହଳଦିଆ କାର୍ଡ ହାର ଥିଲା ୫.୩୯।
ଲାଲ୍‌କାର୍ଡ ପାଇବାରେ ବ୍ରାଜିଲ ଏକନମ୍ବର
ଫୁଟବଲ୍‌ ବିଶ୍ୱକପ୍‌ ଇତିହାସର ସଫଳତମ ଦଳ ହେଉଛି ବ୍ରାଜିଲ। ଏହି ଦଳ ବିଶ୍ୱକପ୍‌ରେ ସର୍ବାଧିକ ୧୧ ଲାଲ୍‌ କାର୍ଡ ପାଇଛି। ତା’ ପଛକୁ ବ୍ରାଜିଲର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନା ଅଛି। ଏହି ଦଳ ୧୦ ଲାଲ୍‌ କାର୍ଡ ପାଇଛି। ସେହିଭଳି ଉରୁଗୁଏ ୯ ଏବଂ ଇଟାଲି ଓ କ୍ୟାମେରୁନ ବିଶ୍ୱକପରେ ୮ଟି ଲେଖାଏଁ ଲାଲକାର୍ଡ ପାଇଛି। ଅନ୍ୟପକ୍ଷରେ ନେଦରଲାଣ୍ଡ ଓ ପଶ୍ଚିମ ଜର୍ମାନି ୭, ଫ୍ରାନ୍ସ, ମେକ୍ସିକୋ, ପର୍ତୁଗାଲ, ଚେକ୍‌ ରିପବ୍ଲିକ୍‌ ଓ ଚେକୋସ୍ଲୋଭାକିଆ ୬ଟି ଲେଖାଏଁ ଲାଲ କାର୍ଡ ପାଇବାର ଅଲୋଡ଼ା କୀର୍ତ୍ତିମାନ କରିଛନ୍ତି। ହଙ୍ଗେରି, ଯୁଗୋସ୍ଲୋଭିଆ ଓ ସର୍ବିୟାକୁ ୫ଟି ଲେଖାଏଁ ଲାଲ କାର୍ଡ ମିଳିଛି।
ସ୍ପେନ୍‌ ସବୁଠାରୁ କମ୍‌
ସ୍ପେନ୍‌ ଜାତୀୟ ଫୁଟବଲ୍‌ ଦଳ ଲାଲ୍‌ ରଙ୍ଗର ଜର୍ସି ପିନ୍ଧେ। ହେଲେ ଅନ୍ୟ ସମସ୍ତ ଦେଶଠାରୁ ଏହି ଦେଶ କମ୍‌ ଲାଲ କାର୍ଡ ପାଇଛି। ୧୪ ଥର ବିଶ୍ୱକପ୍‌ ଖେଳି ସ୍ପେନ୍‌ ମାତ୍ର ଗୋଟିଏ ଲାଲ କାର୍ଡ ଅର୍ଜନ କରିଛି। ବିଶ୍ୱକପ୍‌ରେ ସ୍ପେନ୍‌ ଖେଳିଥିବା ୫୯ ମ୍ୟାଚ୍‌ ମଧ୍ୟରୁ କେବଳ ଟେନିସ୍‌ ତାରକା ରାଫେଲ ନାଦାଲଙ୍କ ଦାଦା ମିଗେ୍ଵଲ ଆଞ୍ଜେଲ ନାଦାଲ ୧୯୯୪ ମସିହା ଦକ୍ଷିଣ କୋରିଆ ବିଶ୍ୱକପରେ ଲାଲ କାର୍ଡ ପାଇଥିଲେ।
ତିନିଟି ହଳଦିଆ କାର୍ଡ ପାଇବାରେ ସିମୁନିକ ଏକମାତ୍ର
କ୍ରୋଏସିଆର ଜୋସିପ ସିମୁନିକ ବିଶ୍ୱକପ୍‌ ଇତିହାସର ଏକମାତ୍ର ଖେଳାଳି ଭାବେ ଗୋଟିଏ ମ୍ୟାଚ୍‌ରେ ତିନିଟି ହଳଦିଆ କାର୍ଡ ପାଇଛନ୍ତି। ୨୦୦୬ ବିଶ୍ୱକପ୍‌ର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇଂଲିସ୍‌ ରେଫରି ଗ୍ରାହାମ ପୋଲ୍‌ ସିମୁନିକଙ୍କୁ ତୃତୀୟ ମିନିଟ୍‌ରେ ହଳଦିଆ କାର୍ଡ ଦେଖାଇଥିଲେ। ଏହା ପରେ ସିମୁନିକ ୯୦ ମିିନିଟରେ ତାଙ୍କୁ ଆଉ ଏକ ହଳଦିଆ କାର୍ଡ ଦେଖାଇଥିଲେ। ସେହିଭଳି ୯୩ ମିନିଟ୍‌ରେ ସେ ଆଉ ଏକ ହଳଦିଆ କାର୍ଡ ସିମୁନିକଙ୍କୁ ଦେଇଥିଲେ। ଫିଫା ସେ ୯୦ ମିିନିଟ୍‌ରେ ଦେଇଥିବା ହଳଦିଆ କାର୍ଡକୁ ଉଠାଇ ଦେଇଥିଲା। ତାଙ୍କୁ ମଧ୍ୟ ବିଶ୍ୱକପର ନକଆଉଟ୍‌ ପର୍ଯ୍ୟାୟରୁ ବାହାର କରି ଦେଇଥିଲା।
ଯେତେବେଳେ ଫୁଟ୍‌ବଲ୍‌ ପାଲଟିଥିଲା ଅସୁନ୍ଦର
ଜର୍ମାନିରେ ଆୟୋଜିତ ୨୦୦୬ ବିଶ୍ୱକପ୍‌ ବିଭିନ୍ନ କାରଣରୁ ବିବାଦୀୟ ହୋଇ ଯାଇଥିଲା। ବିଶେଷ କରି ପଡ଼ିଆ ଭିତରେ ଖେଳାଳିଙ୍କ ଉଗ୍ର ଆଚରଣ ପାଇଁ ଅଧିକ ନିନ୍ଦିତ ହୋଇଥିଲା। ବିଶ୍ୱକପ୍‌ର ଏହି ସଂସ୍କରଣରେ ରେଫରି ସର୍ବାଧିକ ଲାଲ ଏବଂ ହଳଦିଆ କାର୍ଡ ଦେଇଥିଲେ। ସବୁଠାରୁ ବେଶୀ ବିବାଦୀୟ ପର୍ତୁଗାଲ ଏବଂ ନେଦରଲାଣ୍ଡ ମଧ୍ୟରେ ନ୍ୟୁରେମବର୍ଗଠାରେ ଖେଳା ଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ହୋଇଥିଲା। ଏହି ମ୍ୟାଚ୍‌ରେ ରୁଷିଆ ରେଫରି ଭାଲେଟିନ୍‌ ଇଭାନୋଭ ଏହି ମ୍ୟାଚ୍‌ରେ ଉଭୟ ଦଳକୁ ଚାରିଟି ଲାଲ ଏବଂ ୧୬ ହଳଦିଆ କାର୍ଡ ଦେଇଥିଲେ। ପର୍ତୁଗାଲର କୋଷ୍ଟିନା, ଡେକୋ ଏବଂ ନେଦରଲାଣ୍ଡର ଜିଓଭାନି ଭାନ୍‌ ବ୍ରଙ୍କହର୍‌ଷ୍ଟଙ୍କ ସହ ଖାଲିଦ ବୌଲାରୋଜ୍‌ ପରସ୍ପରକୁ ଆକ୍ରମଣ କରିବା ପରେ ଲାଲ କାର୍ଡ ପାଇ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ସ୍ଲୋ ମୋସନ ଭିଡିଓ ଦେଖୁଥିବା ରେଫରି ଅଧିକ ଲାଲ୍‌କାର୍ଡ ଦିଅନ୍ତି
ସାଧାରଣ ଭିଡିଓ ଅପେକ୍ଷା ସ୍ଲୋ ମୋସନରେ ଭିଡିଓ ଦେଖୁଥିବା ରେଫରିମାନେ ଅଧିକ ସଂଖ୍ୟକ ଲାଲ କାର୍ଡ ପ୍ରଦାନ କରି ଥାଆନ୍ତି। ଏପରି ଏକ ତଥ୍ୟ ଗବେଷଣାରୁ ସାମ୍ନାକୁ ଆସିଛି। ବେଲଜିୟମର ଲ୍ୟୁଭେନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ କରିଥିବା ଏହି ଗବେଷଣାରୁ ସ୍ଲୋ ମୋସନ୍‌ ଭିଡିଓ ଦେଖିବା ପରେ ୮୮ ଜଣ ଶୀର୍ଷସ୍ତରୀୟ ରେଫରିଙ୍କ କାର୍ଯ୍ୟକଳାପକୁ ତର୍ଜମା କରି ଏହି ନିଷ୍କର୍ସରେ ପହଞ୍ଚିଛନ୍ତି। ଖେଳାଳି ଫାଉଲ୍‌ କରିଛି କି ନାହିଁ ସେ ନିଷ୍ପତ୍ତି ଉପରେ କିନ୍ତୁ ଭିଡିଓ ଗତିର ବିଶେଷ ପ୍ରଭାବ ନଥିବା ଏଥିରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି। ହେଲେ ସ୍ଲୋ ମୋସନ୍‌ ଭିଡିଓ ଦେଖିବା ପରେ ଅଧିକାଂଶ ରେଫରି ପ୍ରତିକ୍ରିୟାଶୀଳ ହୋଇ ଲାଲ କାର୍ଡ ଦେଖାନ୍ତି। ଏହି ତଥ୍ୟ ପଦାକୁ ଆସିଲା ପରେ ରୁଷିଆରେ ଆୟୋଜିତ ହେଉଥିବା ଚଳିତ ବର୍ଷର ବିଶ୍ୱକପୀ ଭିଡିଓ ବିଶ୍ଳେଷକମାନେ ଏହି ଦିଗରେ ଧ୍ୟାନ ଦେବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.