ହାମିଲଟନ୍‌ ଟେଷ୍ଟ୍‌, ନ୍ୟୁଜିଲାଣ୍ଡ୍‌ ୩୭୫; ଇଂଲଣ୍ଡ ୩୯/୨

ହାମିଲଟନ୍‌: ସ୍ଥାନୀୟ ସେଡନ୍‌ ପାର୍କରେ ଚାଲିଥିବା ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଶେଷ ଟେଷ୍ଟ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଦଳର ପ୍ରଥମ ପାଳି ସ୍କୋର୍‌ ୩୭୫ ଜବାବରେ ଭ୍ରମଣକାରୀ ଇଂଲଣ୍ଡ ୨ ୱିକେଟ୍‌ ହରାଇ ୩୯ ରନ୍‌ କରିଛି। ପ୍ରଥମ ଦିବସରେ ଟମ୍‌ ଲାଥାମ୍‌ଙ୍କ ଶତକ ଓ ରସ୍‌ ଟେଲରଙ୍କ ଅର୍ଧଶତକ ବଳରେ ୧୭୩/୩ କରିଥିବା ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିବସରେ ଆଉ ୧୦୨ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। ଲାଥାମ୍‌ ପୂର୍ବଦିନ ସ୍କୋର୍‌ରେ ୪ ରନ୍‌ ଯୋଡ଼ି ୧୦୫ରେ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ୱିକେଟ୍‌ରକ୍ଷକ ବିଜେ ୱାଟ୍‌ଲିଙ୍ଗ୍‌ (୫୫) ଓ ଡାରିଲ୍‌ ମିଚେଲ (୭୩) ଦମ୍‌ଦାର ଅର୍ଧଶତକ ଜମାଇ ସ୍କୋର୍‌ ଆଗେଇ ନେଇଥିଲେ। ଉଭୟ ୱାଟ୍‌ଲିଙ୍ଗ୍‌ ଓ ମିଚେଲ ଷଷ୍ଠ ୱିକେଟ୍‌ରେ ୧୨୪ ରନ୍ ଯୋଡ଼ିବା ହିଁ ଘରୋଇ ଦଳ ପାଇଁ ଦ୍ବିତୀୟ ଦିବସର ଉଲ୍ଲେଖନୀୟ ଥିଲା। ନିମ୍ନକ୍ରମରେ ମିଚେଲ ସାଣ୍ଟନର୍‌ (୨୩) ଓ ଟିମ୍‌ ସାଉଦି (୧୮) ମୁଲ୍ୟବାନ ଯେଗାଦାନ କରିବାରୁ ସ୍କୋର୍‌ ୩୭୫ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୪/୭୩, କ୍ରିସ୍‌ ୱକ୍‌ସ ୩/୮୩, ସାମ୍‌ କରନ ୨/୬୩ ଓ ଜୋଫ୍ରା ଆର୍ଚର ୧/୭୫ ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଟିମ୍‌ ସାଉଦି ଓ ମ୍ୟାଟ୍‌ ହେନ୍‌ରିଙ୍କ ଚମତ୍କାର ବୋଲିଂ ଯୋଗୁଁ ଇଂଲଣ୍ଡ ତା’ ପ୍ରଥମ ପାଳିରେ ସିବ୍‌ଲେ (୪) ଓ ଡେନ୍‌ଲି (୪)ଙ୍କ ୱିକେଟ୍‌ ହରାଇ ୩୯ ରନ୍‌ କରିଛି। ବର୍ନସ ୨୪ ଓ ଅଧିନାୟକ ଜୋ ରୁଟ୍‌ ୬ ରନ୍‌ରେ ଅପରାଜିତ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ପ୍ରଥମ ପାଳି ୧୨୯.୧ ଓଭରରେ ୩୭୫ (ଟମ୍‌ ଲାଥାମ୍‌ ୧୦୫, ଡାରିଲ୍‌ ମିଚେଲ ୭୩, ବିଜେ ୱାଟ୍‌ଲିଙ୍ଗ୍‌ ୫୫, ରସ୍‌ ଟେଲର ୫୩, ଷ୍ଟୁଆର୍ଟ ବ୍ରଡ୍‌ ୪/୭୩, କ୍ରିସ୍‌ ୱକ୍‌ସ ୩/୮୩, ସାମ୍‌ କରନ୍‌ ୨/୬୩)। ଇଂଲଣ୍ଡ ପ୍ରଥମ ପାଳି ୧୮ ଓଭରରେ ୩୯/୨ (ବର୍ନସ ୨୪*, ଟିମ୍‌ ସାଉଦି ୧/୨୪, ମ୍ୟାଟ୍‌ ହେନ୍‌ରି ୧/୧୦)।

ସମ୍ବନ୍ଧିତ ଖବର