ହାମିଲଟନ୍‌ ଟେଷ୍ଟ: ନ୍ୟୁଜିଲାଣ୍ଡ୍‌ ୩୭୩; େଓ୍ଵଷ୍ଟଇଣ୍ଡିଜ୍‌ ୨୧୫/୮

ହାମିଲଟନ୍‌: ପ୍ରଥମ ଟେଷ୍ଟକୁ ସହଜରେ ଜିତି ନେଇଥିବା ଘରୋଇ ନ୍ୟୁଜିଲାଣ୍ଡ୍‌ ଦଳ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବି ଭଲ ସ୍ଥିତି ପାଇଯାଇଛି। ଟିମ୍‌ ସାଉଦି (୨/୩୪), ଟ୍ରେଣ୍ଟ୍‌ ବୋଲ୍‌ଟ (୨/୬୭), କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ (୨/୪୦) ଓ ନିଲ୍‌ ଓ୍ଵାଗ୍‌ନର (୨/୭୩)ଙ୍କ ମିଳିତ ଆକ୍ରମଣ ଆଗରେ ହାର୍‌ ମାନିଛି ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍‌ ଦଳ। ପ୍ରଥମ ଦିବସରେ ୨୮୬/୭ରୁ ଦ୍ୱିତୀୟ ଦିନ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଆଉ ୮୭ ରନ୍‌ ଯୋଡ଼ି ଅବଶିଷ୍ଟ ୩ ଓ୍ଵିକେଟ୍‌ ହରାଇଥିଲା। ପ୍ରଥମ ଦିନର ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ବ୍ଲଣ୍ଡେଲ୍‌ ୨୮, ସାଉଦି ୩୧ ଓ ବୋଲ୍‌ଟ ଅପରାଜିତ ୩୭ ରନ୍‌ କରି ଇଣ୍ଡିଜ୍‌ ବୋଲରଙ୍କୁ ନିରାଶ କରିଥିଲେ। ସାଇଦି ଓ ବୋଲ୍‌ଟ ଶେଷ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ିବାରୁ ନ୍ୟୁଜିଲାଣ୍ଡ୍‌ ୩୭୩ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ଇଣ୍ଡିଜ୍‌ ପକ୍ଷରୁ ସାନନ୍‌ ଗାବ୍ରିଏଲ୍‌ ୪, କେମାର ରୋଚ୍‌ ୩ ଓ ମିଗୁଏଲ୍‌ କୁମିନ୍‌ସ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍‌ ବୋଲରଙ୍କ ମିଳିତ ଆକ୍ରମଣ ଯୋଗୁଁ ଇଣ୍ଡିଜ୍‌ ଦ୍ୱିତୀୟ ଦିବସରେ ୬୪ ଓଭର ଖେଳି ୨୧୫ ରନ୍‌ରେ ୮ ଓ୍ଵିକେଟ୍‌ ହରାଇଛି। ଅଧିନାୟକ କ୍ରେଗ୍‌ ବ୍ରାଥ୍‌େଓ୍ଵଟ୍‌ (୬୬) ଏକମାତ୍ର ଅର୍ଧଶତକ ଜମାଇଥିଲା ବେଳେ ଓ୍ଵିକେଟ୍‌ ରକ୍ଷକ ଡାଓ୍ଵରିକ୍‌ (୩୫), ହେଟ୍‌ମେର୍‌ (୨୮), ରୋଚ୍‌ (୧୭), ସାଇ ହୋପ୍‌ (୧୫), ରଷ୍ଟନ ଚେଜ୍‌ (୧୨) ପାଭିଲିୟନ୍‌ ଫେରିଛନ୍ତି। ରିଫର୍‌ (୨୨) ଓ କୁମିନ୍‌ସ (୧୦) ଲଢ଼େଇ ଜାରି ରଖିଛନ୍ତି। ତଥାପି ହାତରେ ୨ ଓ୍ଵିକେଟ୍‌ ଥାଇ ଇଣ୍ଡିଜ୍‌ ଏବେ ବି ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ସ୍କୋର୍‌ଠୁ ୧୫୮ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର