ହାମିଲଟନ୍‌ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ଅଷ୍ଟନ୍‌,: ମର୍ସିଡିଜ୍‌ ଦଳର ଲୁଇସ୍‌ ହାମିଲଟନ୍‌ ଚଳିତ ଋତୁରେ ନିଜର ଦବ୍‌ଦବା ଜାରି ରଖି ଫର୍ମୁଲା ଓ୍ଵାନ୍‌ ଚାଳକ ଟ୍ରଫି ହାସଲ କରିବାର ନିକଟତର ହୋଇଛନ୍ତି। ଚଳିତ ମାସରେ ଜାପାନିଜ୍‌ ଗ୍ରାଁ ପ୍ରି ଜିତିିଥିବା ଏହି ବ୍ରିଟେନ୍‌ ତାରକା ରବିବାର ଏଠାରେ ଆୟୋଜିତ ୟୁଏସ୍‌ ଗ୍ରାଁ ପ୍ରି ଟ୍ରଫି ନିଜ ନାମରେ କରି ନେଇଛନ୍ତି। ଟ୍ରଫି ଜିତି ପୂରା ୨୫ ପଏଣ୍ଟ ପାଇ ସେ ନିଜ ବ୍ୟକ୍ତିଗତ ପଏଣ୍ଟ ସଂଖ୍ୟା ୩୩୧ରେ ପହଞ୍ଚାଇ ଦେଇଛନ୍ତି। ତା’ ସହ ପୁଣି ଥରେ ବିଶ୍ୱ ବିଜେତା ହେବା ଦିଗରେ ଏକ ବଡ଼ ପାଦ ବଢ଼ାଇଛନ୍ତି। ଚଳିତ ବର୍ଷର ଆଉ ୩ ରେସ୍‌ ବାକିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଫେରାରି ଚାଳକ ସେବାସ୍ତିଆନ୍‌ ଭେଟେଲ୍‌ଙ୍କଠାରୁ ୬୬ ପଏଣ୍ଟ୍‌ ଆଗୁଆ ରହିଛନ୍ତି। ଫଳରେ ସେ ଚତୁର୍ଥ ଥର ଲାଗି ବିଶ୍ୱ ବିଜେତା ହେବାର ସମ୍ଭାବନା ବଢ଼ି ଯାଇଛି। ସେହିଭଳି ମର୍ସିଡିଜ୍‌ ମଧ୍ୟ ଦଳଗତ ଭାବେ ୫୭୫ ପଏଣ୍ଟ୍‌ ସହ ସର୍ବାଗ୍ରେ ରହିଛି।
ରବିବାର ଅଷ୍ଟିନ୍‌ରେ ଆୟୋଜିତ ଚଳିତ ବର୍ଷର ସପ୍ତଦଶ ଗ୍ରାଁ ପ୍ରିରେ ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିସନ୍‌ ମିଳିଥିଲା। କିନ୍ତୁ ଆରମ୍ଭରୁ ୫ ଲ୍ୟାପ୍‌ ପର୍ଯ୍ୟନ୍ତ ଫେରାରି ଚାଳକ ଭେଟେଲ୍‌ ଆଗୁଆ ରହିଥିଲେ। ଏହା ପରେ ହାମିଲଟନ୍‌ ତାଙ୍କୁ ୧୦ ସେକେଣ୍ଡ୍‌ ସମୟ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିନେଇଥିଲେ। ଭେଟେଲ୍‌ ଦ୍ୱିତୀୟରେ ରହିଥିଲା ବେଳେ ତାଙ୍କ ଫେରାରି ସାଥୀ କିମି ରାଇକୋନେନ୍‌ ତୃତୀୟରେ ରହିଥିଲେ। ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍‌, ମର୍ସିଡିଜ୍‌ର ଭାଲ୍‌ଟେରି ବୋତାସ, ଫୋର୍ସ ଇଣ୍ଡିଆର ଏସ୍ତାବନ ଓକନ, ରେନୋ’ର କାର୍ଲୋସ୍‌ ସେଞ୍ଜ, ଫୋର୍ସ ଇଣ୍ଡିଆର ସର୍ଗିଓ ପେରେଜ୍‌, ଓ୍ଵିଲିୟମ୍ସର ଫିଲିପ୍‌ ମାସା ଏବଂ ଟୋରୋ ରୋସୋର ଦାନିଲ କିବାତ୍‌ ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ।
ପ୍ରତିଯୋଗିତା ଶେଷରେ ହାମିଲଟନ୍‌ଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଟ୍ରଫି ପ୍ରଦାନ କରିଥିଲେ। ଏହାପରେ ହାମିଲଟନ୍‌ ଅଲିମ୍ପିକ୍ସ ବିଜେତା ଜାମାଇକା ଧାବକ ଓସେନ୍‌ ବୋଲ୍ଟଙ୍କ ସହ ଫଟୋ ପୋଜ୍‌ ଦେଇଥିଲେ। ‘ମୁଁ ଏହି ଟ୍ରାକ୍‌କୁ ଭଲପାଏ, ସଚ୍ଚୋଟତାର ସହ କହିବାକୁ ଗଲେ ଏବେ ଏହା ମୋର ପ୍ରିୟ ଟ୍ରାକ୍‌’ ବୋଲି ବିଜୟ ପରେ ହାମିଲଟନ୍‌ ପ୍ରକାଶ କରିଥିଲେ। ହାମିଲଟନ୍‌ଙ୍କ ଏହା ୬୨ତମ ବିଜୟ ଏବଂ ଚଳିତ ବର୍ଷର ନବମ ଟ୍ରଫି।

ସମ୍ବନ୍ଧିତ ଖବର