ଭୁକିଲେ ଚଳିବନି, କାମୁଡ଼ିବାକୁ ହେବ

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

ନକ୍‌ଆଉଟ୍‌ ପର୍ଯ୍ୟାୟର ପ୍ରଥମ ରାତିରେ କିଏ ଜିତିବ କହିବା ଏକ ପ୍ରକାର ମୁସ୍କିଲ ବ୍ୟାପାର ଥିଲା। ରବିବାରର ଦୁଇଟି ଯାକ ମ୍ୟାଚ୍‌ର ଭବିଷ୍ୟବାଣୀ କରିବା କିନ୍ତୁ ସମ୍ଭବତଃ ସେତେଟା କଷ୍ଟକର ନୁହେଁ। ଫୁଟ୍‌ବଲ୍‌ ଅସ୍ଥିରତାର ଖେଳ ହେବା ସହ ଚଳିତ ବିଶ୍ୱକପ୍‌ରେ କେତେକ ବିପର୍ଯ୍ୟୟ ସୃଷ୍ଟି ହୋଇଥିବା ସତ୍ତ୍ୱେ ସ୍ପେନ୍‌ ଏବଂ କ୍ରୋଏସିଆ ଆୟୋଜକ ରୁଷିଆ ଏବଂ ଡେନ୍‌ମାର୍କ ପାଇଁ ଭାରି ସାବ୍ୟସ୍ତ ହେବାର ଆଶା ଅଧିକ। ୨୦୧୦ ବିଜେତା ସ୍ପେନ୍‌ ଚାରିବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ରେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଚଳିତ ଥର ଜର୍ମାନି ଏଭଳି ଦଶା ଭୋଗିଛି। ଉଭୟ ଥରର ଏହି ଅପ୍ରତ୍ୟାଶିତ ଫଳାଫଳର କାରଣ କିନ୍ତୁ ସମାନ । ଦୁଇଟି ଯାକ ଦଳ ନିଜ ଶ୍ରେଷ୍ଠ ସମୟ ଅତିବାହିତ କରି ସାରିଥିବା ପୁରୁଖା ଖେଳାଳିଙ୍କୁ ନେଇ ବିଶ୍ୱକପ୍‌ ଆସିଥିଲେ। ୮ ବର୍ଷ ତଳେ ସ୍ପେନ୍‌କୁ ବିଜେତା କରାଇଥିବା କେତେକ ଖେଳାଳି ଏବେ ମଧ୍ୟ ଏହି ଦଳରେ ଅଛନ୍ତି। ପାର୍ଥକ୍ୟ ଏତିକି ଯେ ସେମାନେ କେତେକ ପ୍ରତିଭାବାନ୍‌ ଯୁବ ତାରକାଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି। ପଡ଼ିଆ ଭିତରେ ଏବଂ ବାହାରେ ଆହ୍ଵାନପୂର୍ଣ୍ଣ ପରିସ୍ଥିତିର ଅଭିଜ୍ଞତା କରିବା ପରେ ସେମାନେ ରୁଷିଆକୁ ତଗଡ଼ା ଟକ୍କର ଦେବେ ବୋଲି ମୋର ବିଶ୍ୱାସ। ଏହା କହିବା ସତ୍ତ୍ୱେ ଡେନ୍‌ମାର୍କ ଏବଂ ରୁଷିଆ ନିଜର ଶକ୍ତିଶାଳୀ ପ୍ରତିପକ୍ଷଙ୍କ କାମକୁ ଅତ୍ୟନ୍ତ କଷ୍ଟକର କରନ୍ତୁ ବୋଲି ମୁଁ ଚାହିଁଛୁ। କଳା କୌଶଳରେ ରୁଷିଆ ହୁଏତ ପଛରେ ଥାଇପାରେ। ତେବେ ଏହି ଦଳର ଖେଳାଳି ନିଜ ସାହସିକତାର ପରିଚୟ ଦେଇ ସାରିଛନ୍ତି। ନିଜ ଅର୍ଧରେ ସଂଖ୍ୟାତ୍ମକ ଶ୍ରେଷ୍ଠତ୍ୱ ଦେଖାଇ ବଡ଼ ଦଳଗୁଡ଼ିକୁ କିଭଳି ରୋକାଯାଇ ପାରିବ ତାର ପରିଚୟ ଅପେକ୍ଷାକୃତ ଛୋଟ ଦଳଗୁଡ଼ିକ ମସ୍କୋରେ ଦେଇ ସାରିଛନ୍ତି। ଆଇସ୍‌ଲାଣ୍ଡ-ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ-ଜର୍ମାନି, ସ୍ୱିଜରଲଣ୍ଡ-ବ୍ରାଜିଲ ମ୍ୟାଚ୍‌ ଏହାର ଉଦାହରଣ। ମୁଁ ଭାବୁଛି ରୁଷିଆ ସେହି କୌଶଳ ଦୋହରାଇବ ଏବଂ ପ୍ରତିଆକ୍ରମଣରେ ଗତିକୁ ବ୍ୟବହାର କରିବ। କାରଣ ସ୍ପେନ୍‌ ନିଶ୍ଚିତ ଭାବେ ରକ୍ଷଣାତ୍ମକ ଫୁଟ୍‌ବଲ୍‌ ଖେଳିବ। ବିଶ୍ୱକପ୍‌ରେ ଲଗାତାର ତିନିଟି ବିଜୟ ହାସଲ କରିଥିଲା ତିିନିଟି ଦଳ ମଧ୍ୟରେ କ୍ରୋଏସିଆ ଅନ୍ୟତମ। ଲୁକା ମୋଡ୍ରିକ୍‌ ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଇଭାନ ରାକିଟିକ୍‌ ବି କିଛି କମ୍‌ ନୁହନ୍ତି। ଅଭିଜ୍ଞତା ଏବଂ ଉଚ୍ଚ ଗୁଣବତ୍ତା ପାଇଁ ସେମାନଙ୍କୁ ଚଳିତ ବିଶ୍ୱକପ୍‌ର ଡାର୍କ ହର୍ସ କୁହାଯାଇପାରେ। ସେପଟେ ଡେନ୍‌ମାର୍କ ଫ୍ରାନ୍ସ ବିପକ୍ଷରେ ଖେଳିଥିବା ଖେଳକୁ ଦୋହରାଇବାକୁ ଚେଷ୍ଟା କରିବ। ସେମାନେ ମାତ୍ର ଦୁଇଟି ଗୋଲ୍‌ ଦେଇଛନ୍ତି। ହେଲେ ମାତ୍ର ଗୋଟିଏ ଗୋଲ୍‌ ବରଣ କରିଛନ୍ତି। ସେମାନେ ଶୃଙ୍ଖଳିତ ଏବଂ ଦଳଗତ ଖେଳ ଖେଳୁଛନ୍ତି। ଯାହା କ୍ରୋଏସିଆ କାମକୁ କଷ୍ଟକର କରିଦେବ। ସେମାନଙ୍କୁ ମୋର ଶୁଭେଚ୍ଛା। ତେବେ ଆଗକୁ ବଢ଼ିବା ପାଇଁ ଭୁକିବା ସହ କାମୁଡ଼ିବାକୁ ମଧ୍ୟ ହେବ।

ସମ୍ବନ୍ଧିତ ଖବର