ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌, ଡିଏଗୋ ମାରାଡୋନା:କେବଳ ମେସିଙ୍କ ଉପରେ ନିର୍ଭର କଲେ ଚଳିବନି

ମାତ୍ର ଗୋଟିଏ ମ୍ୟାଚ୍‌ ପୂର୍ବରୁ ଆର୍ଜେଣ୍ଟିନା ନିଜ ଗ୍ରୁପର ସବାଶେଷ ସ୍ଥାନରେ ରହିବା ଦୁଃଖର ବିଷୟ। କେବଳ ନିଶ୍ଚିତ ବିଜୟ ଦରକାର ବୋଲି କାମ କଠିନ ନୁହେଁ। ଆମକୁ କ୍ରୋଏସିଆ-ଆଇସଲାଣ୍ଡ୍‌ ମ୍ୟାଚ୍‌ ଉପରେ ମଧ୍ୟ ନିର୍ଭରଶୀଳ ରହିବାକୁ ହେବ। ହେଲେ ନିଜ ଉପରେ ବିଶ୍ୱାସ ରଖୁଥିବା ମଣିଷ ଭାବେ ମୁଁ ଏବେବି ଆଶା ହରାଇ ନାହିଁ। ସାଂପ୍ରତିକ ସ୍ଥିତି ମୋତେ ୧୯୮୨ ଏବଂ ୧୯୯୦ କଥା ମନେ ପକାଇ ଦେଉଛି। ପୂର୍ବ ସଂସ୍କରଣର ବିଜେତା ଥାଇ ମଧ୍ୟ ଏହି ଦୁଇ ବର୍ଷ ଆମେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲୁ। ପ୍ରଥମ ଘଟଣାରେ ଆମେ ପରବର୍ତୀ ଦୁଇ ମ୍ୟାଚ୍‌ ଜିତି ପ୍ରି-କ୍ୱାର୍ଟରକୁ ଯାଇଥିଲୁ, ହେଲେ ସେଠାରୁ ବିଦାୟ ନେଇଥିଲୁ। ଦ୍ୱିତୀୟ ଘଟଣାରେ ମୁଁ ଅଧିନାୟକ ଥିଲି। ଆମେ ସେଥର ଫାଇନାଲ୍‌ ଯାଇଥିଲୁ। ଦୁଇ ଥର ଯାକ ଅଡ଼ୁଆରେ ପଡ଼ି ଆମେ ସଫଳତାର ସହ ଏଥିରୁ ବାହାରି ଆସିଥିଲୁ। ଏଥିର ମଧ୍ୟ ଆମେ ଏଭଳି ସ୍ଥିତିରୁ ମୁକୁଳି ପାରିବୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ଏଥିଲାଗି କିନ୍ତୁ ନାଇଜେରିଆ ବିପକ୍ଷରେ ଆର୍ଜେଣ୍ଟିନାକୁ ଏକ ବୃହତ୍‌ ବିଜୟର ଦରକାର ଅଛି।

ଏଥିପାଇଁ ଆମୂଳ ଚୂଳ ପରିବର୍ତନର ଆବଶ୍ୟକତା ରହିଛି। ଆମ ଖେଳାଳିମାନଙ୍କୁ ମଧ୍ୟ ମନେ ରଖିବାକୁ ହେବ ଯେ ବିଶ୍ୱ ସମୁଦାୟକୁ ନିଜ ମହତ୍ୱ ଦେଖାଇବାର ଏହା ସେମାନଙ୍କ ପାଇଁ ଶେଷ ସୁଯୋଗ। ପ୍ରଶିକ୍ଷକ ଜର୍ଜ ସାମ୍ପୋଲିଙ୍କୁ ସେହି ଅନୁସାରେ ପ୍ରସ୍ତୁତି କରିବାକୁ ହେବ। ଲିଓନେଲ୍‌ ମସିଙ୍କୁ ଏହି ମ୍ୟାଚ୍‌ରେ ନିଜର ଅସଲ କରିସ୍ମା ଦେଖାଇବାକୁ ହେବ। ହେଲେ କେବଳ ଜଣକ ଉପରେ ନିର୍ଭର ନକରି ଆର୍ଜେଣ୍ଟିନାକୁ ଦଳଗତ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଆମେ ପ୍ରଥମ ମ୍ୟାଚ୍‌ରେ ଆଧିପତ୍ୟ ବିସ୍ତାର କରିଥିଲୁ। ହେଲେ ଆଇସଲାଣ୍ଡର ରକ୍ଷଣଭାଗକୁ ଭେଦ କରି ପାରି ନଥିଲୁ। ଗୋଲ୍‌ ରକ୍ଷକ ଓ୍ଵିଲି କାବାଲେରୋ ପ୍ରଥମ ଗୋଲ୍‌ ଉପହାର ଦେବା ପରେ ଦ୍ୱିତୀୟ ମ୍ୟାଚରେ କ୍ରୋଏସିଆ ପଲ୍ଲା ଭାରି ରହିଥିଲା। ସର୍ଗିଓ ରୋମେରୋଙ୍କ ଅନୁପସ୍ଥିତିରୁ ମଧ୍ୟ କ୍ରୋଏସିଆ ଲାଭ ଉଠାଇଥିଲା। ନାଇଜେରିଆ ଏକ ବିପଜ୍ଜନକ ପ୍ରତିପକ୍ଷ। ବିଶ୍ୱକପରେ ଆମେ ସେମାନଙ୍କ ବିପକ୍ଷରେ ଅନେକ ମ୍ୟାଚ୍‌ ଖେଳିଛୁ। ନାଇଜେରିଆ ଖେଳାଳି ଶକ୍ତିଶାଳୀ ଏବଂ ସେମାନଙ୍କ ଗତି ମଧ୍ୟ ଦ୍ରୁତ। ଆର୍ଜେଣ୍ଟିନା ସେମାନଙ୍କୁ ଖାଲି ସ୍ଥାନ ଦେବାର ଭୁଲ କରିବା କଥା ନୁହେଁ। ମୁଁ ପୁଣି ଥରେ କହିବି ଆଜେଣ୍ଟିନା କେବଳ ମେସିଙ୍କ ଉପରେ ନିର୍ଭର ନ କରି ଦଳଗତ ଖେଳ ଉପରେ ଧ୍ୟାନ ଦେଉ।

ସମ୍ବନ୍ଧିତ ଖବର