ହରଭଜନ୍‌ଙ୍କୁ ଖେଳିବା ସବୁଠୁ କଷ୍ଟ: ଗିଲକ୍ରିଷ୍ଟ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ମହାନ କ୍ରିକେଟର୍ ଆଦମ୍ ଗିଲକ୍ରିଷ୍ଟ୍‌ ଭାରତୀୟ ଅଫ୍ ସ୍ପିନର ହରଭଜନ୍‌ ସିଂହଙ୍କୁ ଖେଳିବା ସବୁଠାରୁ କଷ୍ଟକର ଥିଲା ବୋଲି କହିଛନ୍ତି। ହରଭଜନଙ୍କ ସହ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ୍‌ଙ୍କୁ ଖେଳିବାରେ ବହୁତ ଅସୁବିଧା ହେଉଥିଲା ବୋଲି ସ୍ବୀକାର କରିଛନ୍ତି। ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିନେଇଥିଲା। ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ବିଜୟ ରଥକୁ (ଲଗାତାର ୧୫ ବିଜୟ) ମଧ୍ୟ ଅଟକାଇବାରେ ଭାରତ ସଫଳ ହୋଇଥିଲା। ଏହି ଶୃଙ୍ଖଳା ବିଜୟର ମୁଖ୍ୟ ନାୟକ ହରଭଜନ୍ ଥିଲେ ବୋଲି ଗିଲକ୍ରିଷ୍ଟ୍ କହିଛନ୍ତି। ଏହି ଶୃଙ୍ଖଳାରେ ହରଭଜନ ମୋଟ୍ ୩୨ ଵିକେଟ୍‌ ନେଇଥିଲେ, ଯାହା ଅଷ୍ଟ୍ରେଲିଆ ପରାଜୟର କାରଣ ଥିଲା। ମୋ କ୍ରିକେଟ୍‌ ଜୀବନ ଭିତରେ ହରଭଜନ ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କ ପାଇଁ ଅସୁବିଧାର କାରଣ ହୋଇ ରହିଥିଲେ ବୋଲି ଗିଲ୍‌କ୍ରିଷ୍ଟ କହିଛନ୍ତି। ପ୍ରଥମ ଟେଷ୍ଟ୍‌କୁ ତିନିଦିନରେ ଜିତିବା ପରେ ହରଭଜନଙ୍କ ଚମତ୍କାର ବୋଲିଂ ପାଇଁ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଜିତିବା ସହ ଶୃଙ୍ଖଳା କବ୍‌ଜା କରିଥିଲା। ଏହି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଲକ୍ଷ୍ମଣଙ୍କ ୨୮୧ ରନ୍‌ର ପାଳି ଓ ହରଭଜନଙ୍କ ଟେଷ୍ଟ୍‌ ହ୍ୟାଟ୍ରିକ୍ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର