ବିଶ୍ବକପ୍‌ ତୋଳି ଧରିବାକୁ ପାଣ୍ଡ୍ୟାଙ୍କ ଇଚ୍ଛା

ନଟିଂହାମ୍‌: ଭାରତୀୟ ଦଳର ଉଦୀୟମାନ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ନଜର ଏବେ କେବଳ ୨୦୧୯ ମସିହା ଜୁଲାଇ ୧୪ ତାରିଖ ଉପରେ। ସେହିଦିନ ଚଳିତ ବିଶ୍ବକପ୍‌ର ଫାଇନାଲ୍ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ପାଣ୍ଡ୍ୟା ଟ୍ରଫି ତୋଳି ଧରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଉଚ୍ଚ ଅଭିଳାଷୀ ପାଣ୍ଡ୍ୟାଙ୍କ କହିବା କଥା‌ ହେଲା, ‘କେବଳ ୧୫୦ କୋଟିରୁ ଅଧିକ ଲୋକ ଆଶା କରୁଛନ୍ତି ଭାରତ ବିଶ୍ବକପ୍‌ ଜିତୁ’। ‌ତେଣୁ ଆମ ଉପରେ କୌଣସି ଚାପ ନାହିଁ। ବିଶ୍ବକପ୍‌ ଜିତିବା ମୋର ଏକମାତ୍ର ଲକ୍ଷ୍ୟ ‌ବୋଲି ୨୫ ବର୍ଷୀୟ ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ‘ମୁଁ ଚାହୁଁଛି, ଜୁଲାଇ ୧୪ ତାରିଖରେ କପ୍‌ ମୋ ହାତରେ ଥାଉ। ଏହି କଥା ଭାବିବା ବେଳକୁ ମୋ ଶରୀର ଶୀତେଇ ଉଠୁଛି। ମୋ ଯୋଜନା ବି ଅତି ସରଳ, କେବଳ ବିଶ୍ବକପ୍‌ ଜିତିବି। ମୁଁ ଏଭଳି ଇଚ୍ଛା କରିଛି ଏବଂ ନିଜଠାରୁ ମଧ୍ୟ ଏଭଳି ଆଶା ରଖିଛି ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ଦେଶ ପାଇଁ ଖେଳିବା ମୋ ପାଇଁ ସବୁକିଛି, ଏହା ମୋ ଜୀବନ। ମୁଁ ଏଭଳି ଜଣେ ଖେଳାଳି ଯିଏ କ୍ରିକେଟ୍‌କୁ ଭଲ ପାଏ, କ୍ରିକେଟ୍‌ ପାଇଁ ପାଗଳ ଏବଂ ଆହ୍ବାନକୁ ଭଲ ପାଏ ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ବିଶ୍ବକପ୍‌ ‌ଖେଳିବାକୁ ମୁଁ ସାଢ଼େ ୩ ବର୍ଷ ହେବ ପ୍ରସ୍ତୁତି କରିଛି, ଏବେ ସମୟ ଆସି ପହଞ୍ଚିଛି। ମୁଁ ଓ ମୋ ଭାଇ କୃନାଲ ସବୁବେଳେ ଖୁସି ରହିଥାଉ, କ୍ରିକେଟ୍ କଥା ଆଲୋଚନା କରିଥାଉ। ଆମେ ଯେଉଁଠୁ ଆସିଛୁ, ଯାହା କିଛି ପାଇଛୁ ସବୁକିଛି ଆମ ପାଇଁ ବୋନସ ଭଳି। ୨୦୧୧ ମସିହାର ବିଶ୍ବକପ୍‌ ବିଜୟ ପରେ ହିଁ ମୁଁ ଦିନେ ଦେଶ ପାଇଁ ଖେଳିବି ବୋଲି ଚିନ୍ତା କରିଥିଲି। କିଛି ଦିନ ତଳେ ମୋର ଜଣେ ବଂଧୁ ଏକ ଫଟୋ ପଠାଇ ମନେ ପକାଇ ପାରୁଛୁ ବୋଲି ପ୍ରଶ୍ନ କରିଥି‌ଲା। ଏହା ଥିଲା ୨୦୧୧ ବିଶ୍ବକପ୍‌ ବିଜୟ ପରେ ଆମେ ଏକ ଗଳିରେ ବିଜୟ ଉତ୍ସବ ପାଳିବାର ମୁହୂର୍ତ। ଏହି ଫଟୋ ସତରେ ମୋତେ ଭାବବିହ୍ବଳ କରି ଦେଇଥିଲା। ୮ ବର୍ଷ ପରେ ମୁଁ ବିଶ୍ବକପ୍‌ ଖେଳୁଛି, ସ୍ବପ୍ନ ସତ ହେବା ଭଳି ଲାଗୁଛି। ସାଥୀ ଖେଳାଳିମାନେ ଭାଇ ଭଳି ହୋଇଛନ୍ତି ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର