ହରି ପ୍ରସାଦ ‘କାଇ’ର ନୂଆ ବୈଷୟିକ ନିର୍ଦେଶକ

ଭୁବନେଶ୍ବର: ଚତୁର୍ଥ ଥର ପାଇଁ ସର୍ବଭାରତୀୟ କରାଟେ ସଂଘ ‘କାଇ’ର ଉପସଭାପତି ପଦ ବଜାୟ ରଖିଥିବା ଓଡ଼ିଶା ରାଜ୍ୟ କରାଟେ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଜାତୀୟ ସଂଘର ନୂଆ ‌ବୈଷୟିକ ନିର୍ଦେଶକ ମନୋନୀତ ହୋଇଛନ୍ତି। ଏକ୍ଷେତ୍ରରେ ସେ ପର୍‌ଭେଜ୍‌ ମିସ୍ତ୍ରି ଓ କନହରାଜ୍‌ଙ୍କ ପରେ ତୃତୀୟ ହେଲେ। ଯାହାକି ଓଡ଼ିଶା ପାଇଁ ଏକ ସଫଳତାର ଫର୍ଦ ଯୋଡ଼ି ହୋଇଯାଇଛି। ଗତ ୮ ତାରିଖରେ ଦିଲ୍ଲୀରେ ଜାତୀୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ୪ ବର୍ଷ ପାଇଁ କର୍ମକର୍ତା ନିର୍ବାଚିତ ହୋଇଥିଲେ। ସେଥିରେ ଓଡ଼ିଶାର ଏହି କରା‌ଟେ ଗୁରୁ ଉପସଭାପତି ପଦ ବଜାୟ ରଖିବା ସାଙ୍ଗକୁ ବୈଷୟିକ ନିର୍ଦେଶକ ପଦ ମଣ୍ଡନ କରିଥିଲା ବେଳେ ଅରୁଣାଚଳ ପ୍ରଦେଶର ସେନ୍‌ସାଇ ଲିଖାତାରା ସଭାପତି, ଜମ୍ମୁ ଓ କଶ୍ମିରର ସେନ୍ସାଇ ଆମ୍ବେଦକର ଗୁପ୍ତା ସଂପାଦକ, ପଶ୍ଚିମବଙ୍ଗର ପ୍ରେମଜିତ ସେନ୍‌ କୋଷାଧ୍ୟକ୍ଷ, ପୂର୍ବତନ ସଂପାଦକ ସିହାନ ଭରତ ଶର୍ମା ଉପସଭାପତି ଏବଂ ମଧ୍ୟପ୍ରଦେଶର ରତନ ଗମ୍ଭିର ମୁଖ୍ୟ ପ୍ରଶିକ୍ଷକ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ଡ. ପଟ୍ଟନାୟକ ଓଡ଼ିଶା ସଂଘର ପ୍ରତିଷ୍ଠାତା ସଦସ୍ୟ, ସଂପାଦକ ଓ ପ୍ରଶିକ୍ଷକ ଭାବେ କାର୍ଯ୍ୟକରି ଚାଲିଥିଲା ବେଳେ ୧୨ ବର୍ଷ ଧରି ଜାତୀୟ ସଂଘର ଉପସଭାପତି ରହି ଆସିଛନ୍ତି।

ଏନେଇ ଶୁକ୍ରବାର ରାଜ୍ୟ କରାଟେ ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲ୍‌ଠାରେ ଡ. ହରିପ୍ରସାଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମ୍ବର୍ଧନା ଉତ୍ସବରେ କାର୍ଯ୍ୟକାରୀ ସଭାପତି ସନତ ନାୟକ, ଉପସଭାପତି ସଂଜୟ ଦାସ, ସୌମ୍ୟରଂଜନ ସାସମଲ, ସହସମ୍ପାଦକ ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ଖାରବେଳ ମଲ୍ଲିକ, କାର୍ଯ୍ୟକାରୀ ସଦସ୍ୟ ଦୀପକ ସାମନ୍ତରା, ସନ୍ଦୀପ ମହାନ୍ତି, ଚିତ୍ତରଞ୍ଜନ ସ୍ବାଇଁ, ହିମାଂଶୁ ଶେଖର ଦାସ, ମିର ଅଜମଦ୍‌ ଅଲ୍ଲୀ, ପ୍ରଦୀପ ସରକାର, ଦିଲୀପ ଜେନା, ଅନୁପମା ସ୍ବାଇଁ, କ୍ରିଷ୍ଣା ଶିକାରୀ, ଅନୁରାଧା ପାତ୍ର, ସୁସ୍ମିନୀ ପାଲ୍‌ଟାସିଂହ, ସନ୍ଦୀପ ଦାସ, ଶୁଭସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର