ହରମନପ୍ରୀତଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ, ଭାରତର ବିଜୟ ଅଭିଯାନ

ଗାଏନା: ୱେଷ୍ଟଇଣ୍ଡିଜରେ ଶୁକ୍ରବାରଠାରୁ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହୋଇଛି। ଭାରତୀୟ ଦଳ ମଧ୍ୟ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ୩୪ ରନ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛି। ଅଧିନାୟିକା ହରମନପ୍ରୀତ୍ କୌରଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୫ ୱିକେଟ୍‌ ବିନିମୟରେ ୧୯୪ ରନ୍ କରିଥିଲା। ୩୩ ବଲରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୧୬ ବଲରୁ ଦ୍ବିତୀୟ ୫୦ ରନ୍ ଯୋଡ଼ିଥିଲେ। ଖେଳ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକକୁ ବିଶ୍ବକପ୍ ମଇଦାନରେ ହାସଲ କରିଥିଲେ। ୫୧ ବଲରୁ ୧୦୩ ରନ୍ କରି ଆଉଟ୍ ହୋଇଥିବା ହରମନପ୍ରୀତ୍‌ଙ୍କ ପାଳିରେ ୭ ଚୌକା ଓ ୮ ଛକା ସାମିଲ ଥିଲା। ଯୁବ ତାରକା ଜେମିମା ରଡ୍ରିଗ୍ବେଜ (୫୯, ୪୫ ବଲ, ୭ ଚୌକା)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଭଲ ଅବଦାନ ଦେଇନଥିଲେ। ୪୦ ରନ୍ ଭିତରେ ୩ ୱିକେଟ୍‌ ହରାଇଥିବା ଭାରତ ଅଧିନାୟିକାଙ୍କ ଚମତ୍କାର ପାଳି କାରଣରୁ ଆହ୍ବାନଭରା ସ୍କୋର କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଭଲ ଆରମ୍ଭ ଏବଂ‌ ଶେଷ କରିଥିଲେ ମଧ୍ୟ ମ୍ୟାଚ୍ ଜିତି ପାରିନଥିଲା। ନିର୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ୧୬୦ ରନ୍ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍ ସୁଜି ବେଟ୍ସ (୬୭*, ୫୦ ବଲ, ୮ ଚୌକା) ଏବଂ ୱିକେଟରକ୍ଷିକା କାଟି ମାର୍ଟିନ (୩୯, ୨୫ ବଲ, ୮ ଚୌକା)ଙ୍କ ଛଡ଼ା ଅନ୍ୟ କେହି ଭାରତୀୟ ବୋଲରଙ୍କୁ ଖେଳିପାରିନଥିଲେ। ୪ ଜଣିଆ ସ୍ପିନ ଆକ୍ରମଣ ଏବଂ ଜଣେ ମାତ୍ର ଦ୍ରୁତ ବୋଲରଙ୍କୁ‌ ନେଇ ଭାରତ ଖେଳିଥିଲା। ତାମିଲ ସ୍ପିନର ଦୟାଲନ ହେମଲତା ପ୍ରଥମ ପଦାର୍ପଣ କରି (୪-୦-୨୬-୩) ସବୁଠୁ ମିତ୍ତବ୍ୟୟୀ ଏବଂ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ପୁନମ ଯାଦବ (୩/୩୩), ରାଧା ଯାଦବ (୨/୩୧), ଅରୁନ୍ଧତି ରେଡ୍ଡୀ (୧/୩୬) ମଧ୍ୟ ୱିକେଟ୍ ଦଖଲରେ ସଫଳ ହୋଇଥିଲେ। ହରମନପ୍ରୀତ୍ କୌର କିନ୍ତୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ୍‌ରେ ରବିବାର ପାକିସ୍ତାନ ସହିତ ଖଳିବ।

ସମ୍ବନ୍ଧିତ ଖବର