ହର୍ଷ ଭୋଗଲେ, ସମ୍ବଳର ସଦୁପଯୋଗ ଅଶ୍ବିନଙ୍କୁ ଜଣା

ଚଳିତ ବର୍ଷର ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସୁପର ହିଟ୍ ରହିଛି। ପ୍ରତିଯୋଗିତା ଆରମ୍ଭ ବେଳେ କେହି ବି ସେମାନଙ୍କୁ ଗୁରୁତ୍ବ ଦେଉ ନଥି‌ଲେ। ଦଳୀୟ ସନ୍ତୁଳନ ନେଇ କ୍ରିକେଟ୍ ପଣ୍ଡିତମାନେ ନାନା ପ୍ରଶ୍ନ ଉଠାଇଥିଲେ। ସତ କଥା ହେଲା, ଚଳିତ ଥର ଯଦି ପଞ୍ଜାବ ନିଜ ପୁରୁଣା ପ୍ରଦର୍ଶନକୁ ଦୋହରାଇଥାଆନ୍ତା, ତାହାଲେ ଏହି ଦଳ ନିଶ୍ଚିତ ଭାବେ ଇତିହାସ ହୋଇଯାଇଥାଆନ୍ତା। ପଞ୍ଜାବ ପ୍ଲେ ଅଫ୍ ଖେଳିବ କି ନାହିଁ ଆମେ ଜାଣିନେ। ହେଲେ ଉପଲବ୍ଧ ସମ୍ବଳରୁ ଏହି ଦଳ ଯେଭଳି ଫାଇଦା ଉଠାଇ ଚାଲିଛି, ଅନ୍ୟ କୌଣସି ଦଳ ସମ୍ଭବତଃ ତାହା କରି ପାରିନାହାନ୍ତି। ବିପଜ୍ଜନକ ବୋଲିଂ ବାହିନୀ ନଥିବାରୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୮୨ ରନ୍‌ର ଲକ୍ଷ୍ୟକୁ ରକ୍ଷା କରିବା କଷ୍ଟକର ମନେ ହେଉଥିଲା। କାରଣ ଦଳର ପ୍ରମୁଖ ବୋଲର ମହମ୍ମଦ ସାମିଙ୍କ ଟ୍ବେଣ୍ଟି-୨୦ ପରିସଂଖ୍ୟାନ ଅତି ସାଧାରଣ। ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ଧଳା ବଲ୍ କ୍ରିକେଟ୍ ପାଇଁ ଜାତୀୟ ଦଳରେ ବିଚାରକୁ ନିଆଯାଉନାହିଁ। ମୁରୁଗାନ ଅଶ୍ବିନ ଅନେକ ଲେଗ୍ ସ୍ପିନରଙ୍କ ମଧ୍ୟରୁ ଜଣେ। ୨୧ ବର୍ଷୀୟ ଅର୍ଶଦୀପ ସିଂହଙ୍କ ନାଁ ପୂର୍ବରୁ କେହି ବି ଶୁଣି ନଥିଲେ। ଆଫ୍‌ଗାନିସ୍ତାନ ବୋଲର ମୁଜିବଙ୍କୁ ଛାଡ଼ିଲେ ପଞ୍ଜାବ ପାଖରେ ଷଷ୍ଠ ବୋଲିଂ ବିକଳ୍ପ ନାହିଁ କହିଲେ ଚଳେ। ତଥା‌ପି ମାତ୍ର କିଛି ଓଭରକୁ ଛାଡ଼ିଲେ, ରୟାଲ୍ସକୁ ସେମାନେ ଦୃଢ଼ ସ୍ଥିତିରେ ରହିବାକୁ ଦେଇ ନଥିଲେ। ଏଣୁ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସେମାନେ ଏତେ ଭଲ କରୁଛନ୍ତି କେମିତି? କ୍ରିସ୍ ଗେଲ୍ ଏବଂ ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆପଣ ଦେଖିପାରିବେ। କେବେ କେବେ ମାତ୍ରା‌ଧିକ ବଲ୍ ବ୍ୟୟ କରୁଥିବା ଲୋକେଶ ରାହୁଲ ମଧ୍ୟ ନିଜ ନୂଆ ଭୂମିକାକୁ ଭଲ ଭାବରେ ତୁଲାଉଛନ୍ତି। ମୟଙ୍କ ଅଗ୍ରୱାଲ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। କେବଳ ଏତିକି ଦଳକୁ ପ୍ଲେ ଅଫ୍ ନେବ ବୋଲି କିନ୍ତୁ କହିହେବ ନାହିଁ। ଏଥିପାଇଁ ସେମାନଙ୍କୁ ଆହୁରି ଭଲ କ୍ରିକେଟ୍ ଖେଳିବାକୁ ହେବ। ପଞ୍ଜାବ ସଫଳତା ପଛରେ ଅଧିନାୟକ ଅଶ୍ବିନଙ୍କର ବଳିଷ୍ଠ ଭୂମିକା ରହିଛି। ତାଙ୍କ ଦୁର୍ବଳ ଦିଗକୁ ବାରମ୍ବାର ଉଠାଇବା, କେତେକଙ୍କ ପାଇଁ ଅଭ୍ୟାସରେ ପରିଣତ ହୋଇଗଲାଣି। ମୁଁ ଜୋର ଦେଇ କହିବି ଯେ ଚଳିତ ଆଇପିଏଲ୍‌ରେ ଧୋନିଙ୍କ ସହ ଅଶ୍ବିନଙ୍କ ନେତୃତ୍ବ ଶୈଳୀ ହିଁ ବେଶ୍ ପ୍ରଭାବଶାଳୀ ରହିଛି। ଆପଣ ପଞ୍ଜାବ ଦଳକୁ ଦେଖିଲା ମାତ୍ରେ ଜାଣି ପାରିବେ ଯେ ସେମାନଙ୍କ ନେତା କିଏ। କଠୋର ନିଷ୍ପତ୍ତି ନେବାକୁ ସେ ଆଦୌ ପଛଘୁଞ୍ଚା ଦେଉ ନାହାନ୍ତି। ବିବାଦ ଘେରରେ ଥାଇ ମଧ୍ୟ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଉଛନ୍ତି। ସେ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି। ପଞ୍ଜାବ ଯଦି ପ୍ଲେ ଅଫ୍ ଯାଏ, ଏହା ଅଶ୍ବିନଙ୍କ ପାଇଁ ବ୍ୟକ୍ତିଗତ ଭାବେ ବଡ଼ ସଫଳତା ହେବ।

ସମ୍ବନ୍ଧିତ ଖବର