ଭ‌ାରତ-ପାକିସ୍ତାନ ମିଳନ : ସାମିଆଙ୍କୁ ବାହାହେଲେ ହାସନ୍‌

ଦୁବାଇ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କେନ୍ଦ୍ରକରି ସଂପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ସଂପର୍କ ପ୍ରାୟତଃ ଛିନ୍ନ ହୋଇଛି। ଭାରତୀୟ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଛାଡ଼ିବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ନିର୍ଦେଶ ଦେବା ସାଙ୍ଗକୁ ରେଳ ଓ ବସ୍‌ ସେବା ମଧ୍ୟ ବାତିଲ କରିଦେଇଛି। ପୁଣି ଭାରତୀୟ ଡେଭିସ୍‌ କପ୍‌ ଦଳ ନିରାପତ୍ତା ପ୍ରସଙ୍ଗକୁ ନେଇ ପାକିସ୍ତାନ ଯିବାକୁ ମନା କରିଦେଇଛି। ଏଭଳି ସ୍ଥିତିରେ ପାକିସ୍ତାନ କ୍ରିକେଟ୍‌ ତାରକା ତଥା ଦ୍ରୁତ ବୋଲର ହାସନ୍‌ ଅଲ୍ଲୀ ମଙ୍ଗଳବାର ଦୁବାଇରେ ଭାରତୀୟ ଝିଅ ସାମିଆ ଅର୍ଜୁଙ୍କୁ ବିବାହ କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାହର ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ବନ୍ୟା ସ୍ରୋତ ଭଳି ପ୍ରସାରିତ ହେବାରେ ଲାଗିଛି। ହାସନ୍‌ ଓ ସାମିଆଙ୍କୁ ଭାରତୀୟ ଝିଅ ତଥା ପାକିସ୍ତାନୀ ବୋହୂ ସାନିଆ ମିର୍ଜା ଅଭିନନ୍ଦନ ଜଣାଇଛନ୍ତି।

୨୬ ବର୍ଷ ବୟସ୍କା ସାମିଆ ହରିଆନାର ମେୱତ୍‌ ଜିଲ୍ଲା ବାସିନ୍ଦା। ସେ ଜଣେ ବିଟେକ୍‌ (ଏରୋନଟିକାଲ) ଛାତ୍ରୀ। ସେ ମାନବ ରଚନା ବିଶ୍ବବିଦ୍ୟାଳୟରୁ ଡିଗ୍ରି ହାସଲ କରିଛନ୍ତି। ଜେଟ୍‌ ଏୟାରୱେଜ୍‌ର ପୂର୍ବତନ କର୍ମଚାରୀ ଥିବା ସାମିଆ ଏବେ ଏମିରେଟ୍‌ସ ଏୟାରଲାଇନ୍‌ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ହାସନ୍‌ଙ୍କ ସହ ତାଙ୍କ ବାହାଘର ଦୁବାଇର ଆଟ୍‌ଲାଣ୍ଟିସ୍‌ ପାମ୍‌ ହୋଟେଲରେ ସଂପନ୍ନ ହୋଇଛି। ତେବେ ଭାରତୀୟ ଝିଅକୁ ବାହାହେବାରେ ହାସନ୍‌ ଚତୁର୍ଥ ପାକିସ୍ତାନୀ କ୍ରିକେଟର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ସୋଏବ୍‌ ମଲ୍ଲିକ ଭାରତୀୟ ଟେନିସ୍‌ ଲଳନା ସାନିଆ ମିର୍ଜାଙ୍କୁ ବିବାହ କରିଥିଲା ବେଳେ ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ଜାହିର ଆବାସ୍‌ ଏବଂ ମୋହସିନ୍‌ ଖାନ୍‌ଙ୍କ ପତ୍ନୀ ମଧ୍ୟ ଭାରତୀୟ। ହାସନ୍ ଅଲ୍ଲୀ ୨୦୧୭ ଚାମ୍ପିଅନ୍‌ସ ଟ୍ରଫିରେ ସେ ୫ ମ୍ୟାଚ୍‌ ଖେଳି ୧୩ ୱିକେଟ୍‌ ଅକ୍ତିଆର କରିଥିଲେ। ତାଙ୍କ ସଫଳତା ବଳରେ ପାକିସ୍ତାନ ମଧ୍ୟ ଚାମ୍ପିଅନ୍‌ସ ଟ୍ରଫି ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର