ଅମିତ, ଯୁବରାଜ ହ୍ୟାଟ୍ରିକ୍‌ ରାଜା

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଚୌକା ଓ ଛକାର ବର୍ଷା ହୋଇଥାଏ। ବୋଲରଙ୍କୁ ନୟାନ୍ତ ହେବାକୁ ପଡ଼ିଥାଏ। କିନ୍ତୁ ବୋଲରମାନେ ଅଧିକାଂଶ ସମୟ ନିର୍ଣ୍ଣାୟକ ହୋଇଥାନ୍ତି। ବୋଲରଙ୍କ ପାଇଁ ‘ହ୍ୟାଟ୍ରିକ୍‌’ ଏଭଳି ଏକ ବିରଳ ସଫଳତା ଯାହା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ଶନିବାରଠୁ ଆରମ୍ଭ ହୋଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ବାଦଶ ସଂସ୍କରଣର ତୃତୀୟ ମ୍ୟାଚ୍‌ ପର୍ଯ୍ୟନ୍ତ ‌ଏଭଳି ସଫଳତା ନଜରକୁ ଆସିନାହିଁ। ଆଇପିଏଲ୍‌ ଇତିହାସର ‌ପ୍ରଥମ ୫ ହ୍ୟାଟ୍ରିକ୍‌କୁ ନେଇ ଆମର ଉପସ୍ଥାପନା। ଭାରତର ଦୁଇ ସ୍ପିନର ଅମିତ ମିଶ୍ର ଓ ଯୁବରାଜ ସିଂହ ସବୁଠୁ ଆଗରେ ରହି ହ୍ୟାଟ୍ରିକ୍‌ ରାଜାର ମାନ୍ୟତା ପାଇଛନ୍ତି। ଅମିତ୍‌ ଏକା ୩ ଥର ହ୍ୟାଟ୍ରିକ୍‌ ସଫଳତା ହାତେଇଥିଲା ବେଳେ ଗୋଟିଏ ସଂସ୍କରଣରେ ଦୁଇ ଥର ହ୍ୟାଟ୍ରିକ୍ ନେବାର ସଫଳତା ଯୁବରାଜ ସିଂହଙ୍କ ନାମରେ ରହିଛି। ସେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୯ ସଂସ୍କରଣରେ ହିଁ ଦୁଇ ଥର ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

୧୫ ମେ’ ୨୦୧୮: ଦିଲ୍ଲୀ ଡେୟାର ଡେଭିଲ୍ସ ବନାମ ଡେକାନ ଚାର୍ଜର୍ସ (ସ୍ଥାନ-ଦିଲ୍ଲୀ)
ଅମିତ ମିଶ୍ର ନିଜର ପ୍ରଥମ ହ୍ୟାଟ୍ରିକ୍‌ ଉଦ୍‌ଘାଟନୀ ସଂସ୍କରଣରେ ହିଁ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଡେକାନ ଚାର୍ଜର୍ସ ସମ୍ମୁଖରେ ୧୯୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଡେକାନ ଚାର୍ଜର୍ସ ପାଳିର ‌ଶେଷ ଉଭ‌ରରେ ହ୍ୟାଟ୍ରିକ୍‌ ମିଳିଥିଲା। ଅମିତ (୫/୧୭) ରବି ତେଜା, ପ୍ରଜ୍ଞାନ୍‌ ଓଝା ଓ ରୁଦ୍ରପ୍ରତାପ ସିଂହଙ୍କୁ ପ୍ରଥମ ୩ ବଲ୍‌ରେ ଆଉଟ୍‌ କରି ଏହି ସଫଳତା ହାସଲ କରିଥିଲେ। ଏହି ମ୍ୟାଚ୍‌କୁ ଦିଲ୍ଲୀ ଦଳ ୧୨ ରନ୍‌ରେ ଜିତି ନେଇଥିଲା।

୧ ମେ’ ୨୦୦୯: କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ସ୍ଥାନ-ଡର୍ବାନ)
ଆଇପିଏଲ୍‌ରେ ଗୋଟିଏ ସଂସ୍କରଣରେ ଦୁଇ ଥର ହ୍ୟାଟ୍ରିକ୍ ନେବାର ସଫଳତା ଯୁବରାଜ ସିଂହଙ୍କ ନାମରେ ରହିଛି। ସେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୯ ସଂସ୍କରଣରେ ହିଁ ଦୁଇ ଥର ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ତାଙ୍କ ପ୍ରଥମ ହ୍ୟାଟ୍ରିକ୍‌ ଡର୍ବାନ୍‌ରେ ପାଇଥିଲେ। ଏହି ମ୍ୟାଚ୍‌ରେ ଯୁବରାଜଙ୍କ ହ୍ୟାଟ୍ରିକ୍‌ ବଳରେ ଆର୍‌ସିବିକୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪୯/୯ରେ ଅଟକାଇ ଦେଇଥିଲା। ଏକ ସମୟରେ ୧୧.୪ ଓଭରରେ ଆର୍‌ସିବି ୮୦/୩ରେ ଭଲ ସ୍ଥିତିରେ ରହିଥିଲା ‌ବେଳେ ରବିନ ଉଥପ୍ପା ଓ ଜ୍ୟାକ୍ସ କାଲିସଙ୍କୁ ଲଗାତାର ଦୁଇ ବଲ୍‌ରେ ଆଉଟ୍‌ କରିଥିଲେ ଯୁବି। ନିଜର ପରବର୍ତୀ ଓଭରର ପ୍ରଥମ ବଲ୍‌ରେ ମାର୍କ ବାଉଚରଙ୍କୁ ପାଭିଲିଅନ୍‌ ପଠାଇ ଯୁବି ହ୍ୟାଟ୍ରିକ୍‌ ‌ହାସଲ କରିଥିଲେ।

୧୭ ମ‌େ’ ୨୦୦୯: କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବନାମ ଡେକାନ ଚାର୍ଜର୍ସ (ସ୍ଥାନ-ଜୋହାନେସ୍‌ବର୍ଗ)
ଡର୍ବାନ୍‌ ପରେ ଜୋହାନ୍‌ଦବର୍ଗରେ ମଧ୍ୟ ଯୁବିଙ୍କ ହ୍ୟାଟ୍ରିକ୍‌ କମାଲ୍‌ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ଯୁବରାଜଙ୍କ ୨୦ ରନ୍‌ ବଳରେ ୧୩୪/୭ କରିଥିଲା। ଏହି କମ୍‌ ସ୍କୋରିଂ ମ୍ୟାଚ୍‌ରେ ଯୁବରାଜଙ୍କ ୩/୧୩ ବୋଲିଂ ସଫଳତା ‌ଯୋଗୁଁ ଡେକାନ ଚାର୍ଜର୍ସକୁ ୧୩୩/୮ରେ ଅଟକାଇ ପଞ୍ଜାବ ୧ ରନ୍‌ରେ ବିଜୟୀ ହୋଇଥିଲା। ଯୁବରାଜ ୧୨ତମ ଓଭରର ଶେଷ ବଲ୍‌ରେ ହର୍ଶ୍ଚେଲ ଗିବ୍ସଙ୍କୁ ଏବଂ ନିଜର ପରବର୍ତୀ ଓଭର (୧୪ ତମ)ର ପ୍ରଥମ ଦୁଇ ବଲ୍‌ରେ ଆଣ୍ଡ୍ରିଉ ସାଇମଣ୍ଡ୍ସ ଏବଂ ଭେନୁଗୋପାଳ ରାଓଙ୍କୁ ଆଉଟ୍‌ କରି ଡେକାନ୍‌ର ମଧ୍ୟଭାଗକୁ ସ୍ଥାଣୁ କରିଦେଇଥିଲେ।

୨୧ମେ’ ୨୦୧୧: ଡେକାନ ଚାର୍ଜର୍ସ ବନାମ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ (ସ୍ଥାନ-ଧର୍ମଶାଳା)
୧୯୯ ରନ୍‌ ବିଜୟ ଲକ୍ଷ୍ୟ ପରେ ଅମିତ ମିଶ୍ରା (୪/୯)ଙ୍କ ବୋଲିଂ ସଫଳତା ପଞ୍ଜାବକୁ ପଛକୁ ଠେଲି ଦେଇଥିଲା। ଅମିତ ପଞ୍ଜାବ ପାଳିର ମଝି ଓଭରରେ ରିଆନ୍‌ ମ୍ୟାକ୍‌ଲରେନ, ମନଦୀପ ସିଂହ ଓ ରିଆନ୍‌ ହାରିସଙ୍କୁ ଆଉଟ୍‌ କରି ସ୍ଥିତି ୧୦୨/୫ରୁ ୧୦୨/୮କୁ ନେଇଯାଇଥିଲେ। ପଞ୍ଜାବ ୧୯ ଓଭରରେ ୧୧୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଡେକାନ୍‌ ୮୨ ରନ୍‌ରେ ଏହି ମ୍ୟାଚ୍‌ ଜିତି ନେଇଥିଲା।

୧୭ ଏପ୍ରିଲ୍‌ ୨୦୧୩: ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ପୁନେ ୱାରିୟର୍ସ (ସ୍ଥାନ-ପୁନେ)
ଅମିତ ମିଶ୍ର ନିଜର ଶ୍ରେଷ୍ଠ ଆଇପିଏଲ୍‌ ହ୍ୟାଟ୍ରିକ୍‌ ପୁନେ ଓ୍ବାରିୟର୍ସ ବିପକ୍ଷରେ ପାଇଥିଲେ। ୧୨୦ ରନ୍‌କୁ ପିଛା କରୁଥିବା ପୁନେ ଦଳକୁ ୧୨ ବଲ୍‌ରେ ଆଉ ୧୪ ରନ୍‌ ଦରକାର ଥିଲା ବେଳେ ହାତରେ ୪ ୱିକେଟ ଥିଲା। ଅମିତ ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ। ଅମିତ (୪-୦-୧୯-୪) ଦ୍ବିତୀୟ ବଲ୍‌ରେ ପ୍ରଥମେ ଆଞ୍ଜେଲୋ ‌ମ୍ୟାଥ୍ୟୁସ୍‌ (୨୦)ଙ୍କୁ ଆଉଟ୍‌ କରିଥିଲେ। ଓଭରର ଶେଷ ୩ ବଲ୍‌ରେ ଯଥାକ୍ରମେ ଭୁବନେଶ୍ବର କୁମାର, ରାହୁଲ ଶର୍ମା ଏବଂ ଅଶୋକ ଦିଣ୍ଡାକୁ ଆଉଟ୍‌ କରି ପୁନେର ସ୍କୋର୍‌ ୧୦୮ରେ ସୀମିତ ରଖି ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର