ହୃଦୟଙ୍କୁ ସ୍ୱର୍ଣ୍ଣ, ମହିଳା ଦଳର ନୂଆ କୀର୍ତିମାନ

ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତା

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ତାରକା ହୃଦୟ ହଜାରିକା ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ କରାୟତ କରିଥିଲା ବେଳେ ମହିଳା ଦଳ ନୂଆ ବିଶ୍ୱ କୀର୍ତିମାନ ସହ ସ୍ୱର୍ଣ୍ଣ ଜିତିଛି। ସେହିପରି ଇଲାଭେନିଲ୍‌ ଭାଲାରିଭାନ୍‌ ମହିଳା ବ୍ୟକ୍ତିଗତ ବର୍ଗରେ ରୌପ୍ୟ  ଓ ଶ୍ରେୟା ଅଗ୍ରଓ୍ଵାଲ୍‌ କାଂସ୍ୟ ଜିତିଥିବାରୁ ଷଷ୍ଠ ଦିବସରେ ଭାରତ ମୋଟ ୪ ପଦକ ହାସଲ କରିଛି। ଆଉ ଏହି ୪ ପଦକ ସହ ଭାରତ ଚଳିତ ପ୍ରତିଯୋଗିତାରେ ତା’ର ମୋଟ ପଦକ ସଂଖ୍ୟାକୁ ୧୮କୁ ବଢ଼ାଇଛି। ଶୁକ୍ରବାର ୧୬ ବର୍ଷ ବୟସ୍କ ଯୁବ ବନ୍ଧୁକଚାଳକ ହୃଦୟ କନିଷ୍ଠ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ସୁଟ୍‌ଆଉଟ୍‌ ଜରିଆରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏକମାତ୍ର ଭାରତୀୟ ଭାବେ ଫାଇନାଲ୍‌ରେ ପ୍ରବେଶ କରିଥିବା ହୃଦୟ ଓ ଇରାନ୍‌ର ଆମିର୍‌ ନିଓକୁନାମ୍‌ ସମାନ ୨୫୦.୧ ପଏଣ୍ଟ୍‌ ଲେଖାଏଁ ହାସଲ କରିଥିଲେ। ଶେଷରେ ପ୍ରଥମ ସ୍ଥାନ ପାଇଁ ଉଭୟଙ୍କ ମଧ୍ୟରେ ସୁଟ୍‌ଆଉଟ୍‌ ହୋଇଥିଲା। ପ୍ରଥମ ସଟ୍‌ରେ ହିଁ ହୃଦୟ ୦.୧ ବ୍ୟବଧାନରେ ଆଗେଇ ଯାଇଥିଲେ। ହୃଦୟ ୧୦.୩ ପରେ ଆମିର ୧୦.୨ ସ୍କୋର୍‌ କରିଥିଲେ। ଫଳରେ ହୃଦୟ ସ୍ୱର୍ଣ୍ଣ ଓ ଆମିର ରୌପ୍ୟ ପଦକ ପାଇଥିଲେ। ଏହି ବର୍ଗରେ କାଂସ୍ୟ ପଦକ ରୁଷିଆର ଗ୍ରିଗୋରିଲ୍‌ ସାମାକୋଭ୍‌ଙ୍କୁ ମିଳିଥିଲା। ତେବେ ହୃଦୟ, ଦିବ୍ୟାଂଶ ପନ୍‌ଓ୍ଵାର ଓ ଅର୍ଜୁନ ବାବୁତାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ମୋଟ ୧୮୭୨.୩ ପଏଣ୍ଟ୍‌ ସ୍କୋର୍‌ କରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ପୁରୁଷ ଦଳ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ ୧୦ ମିଟର ଏୟାର ରାଇଫଲ୍‌ରେ ଇଲାଭେନିଲ୍‌ (୬୩୧), ଶ୍ରେୟା ଅଗ୍ରଓ୍ଵାଲ (୬୨୮.୫) ଓ ମାନିନି କୌଶିକ୍‌ (୬୨୧.୨)ଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ମୋଟ ୧୮୮୦.୭ ସ୍କୋର୍‌ କରି ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିବା ସାଙ୍ଗକୁ ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିନେଇଥିଲେ। ଇଲାଭେନିଲ୍‌ଙ୍କ ବ୍ୟକ୍ତିଗତ ସ୍କୋର୍‌ ମଧ୍ୟ ନୂଆ ବିଶ୍ୱ କୀର୍ତିମାନ ଥିଲା।

 

ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ଇଲାଭେନିଲ୍‌ (୨୪୯.୮) ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲା ବେଳେ ଶ୍ରେୟା (୨୨୮.୪) କାଂସ୍ୟ ପଦକ ହାସଲ କରିଥିଲେ। ଏହି ବର୍ଗରେ ଚରନ୍‌ର ସି ମେଙ୍ଗ୍‌ୟାଓ (୨୫୦.୫) ସ୍ୱର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଅନ୍ୟପକ୍ଷରେ ୫୦ ମିଟର ବରିଷ୍ଠ ପୁରୁଷ ରାଇଫଲ୍‌ ବର୍ଗରେ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ସଂଜୀବ ରାଜ୍‌ପୁତ (୧୧୫୮), ସ୍ୱପ୍ନୀଲ କୁସାଲେ (୧୧୬୧) ଓ ଅଖିଲ ସିଓରାନ୍‌ (୧୧୬୭) ଯଥାକ୍ରମେ ୫୮, ୫୫ ଓ ୪୪ତମ ସ୍ଥାନରେ ରହି ନିରାଶ କରିଥିଲେ। ଏମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ମଧ୍ୟ ଏକାଦଶ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର