ହୀନାଙ୍କୁ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ

ବ୍ରିସ୍‌ବେନ୍‌: ଭାରତୀୟ ବନ୍ଧୁକଚାଳିକା ହୀନା ସିଧୁ ଚଳିତ ବର୍ଷ ନିଜର ଶ୍ରେଷ୍ଠତ୍ୱ ଜାରି ରଖି ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଏହି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ମହିଳା ଏକକ ଫାଇନାଲ୍‌ରେ ହୀନା ୨୪୦.୮ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନ ପାଇଥିଲା ବେଳେ ଅଷ୍ଟ୍ରେଲିଆର ଏଲିନା ଗାଲିବାବୋଭିଚ୍‌ (୨୩୮.୨)ଙ୍କୁ ପଛରେ ପକାଇ ଦେଇଥିଲେ। ଅନ୍ୟତମ ଅଷ୍ଟ୍ରେଲୀୟ ବନ୍ଧୁକଚାଳିକା କ୍ରିଷ୍ଟି ଗିଲମାନ୍‌ (୨୧୩.୭) କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଅନ୍ୟ ଭାରତୀୟ ଭାବେ ଦୀପକ କୁମାର ୧୦ ମିଟର ଏୟାର ରାଇଫଲ୍‌ ପୁରୁଷ ଏକକରେ କାଂସ୍ୟ ପଦକ ପାଇଥିଲେ। ତେବେ ଲଣ୍ଡନ୍‌ ଅଲିମ୍ପିକ୍ସ କାଂସ୍ୟ ବିଜେତା ଗଗନ ନାରଙ୍ଗ ଚତୁର୍ଥ ଏବଂ ରବି କୁମାର ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଯୋଗ୍ୟତା ମୁକାବିଲାରେ ନାରଙ୍ଗ ୬୨୬.୨ ପଏଣ୍ଟ୍‌ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୀର୍ତ୍ତିମାନ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ମାସରେ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱକପ୍‌ରେ ଜିତୁ ରାଏଙ୍କ ସହ ମିଶି ହୀନା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ମେ ମାସରେ ଲିବେରାସିଅନ୍‌ ପ୍ଲାଜା ବନ୍ଧୁକଚାଳନା ପ୍ରତିଯୋଗିତାରେ ୧୦ ମିଟର ଏୟାର ପିସ୍ତଲ ମହିଳା ଏକକରେ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର