କିମ୍ବଦନ୍ତୀ: ରୋନାଲ୍‌ଡୋ

ମସ୍କୋ: ରୋନାଲ୍‌ଡୋ ନାମଟି ଚର୍ଚାକୁ ଆସିଲେ ସମ୍ଭବତଃ କିଛି ପ୍ରଶଂସକ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। କାରଣ ଫୁଟ୍‌ବଲ୍‌ର ବିଶ୍ୱ ମଇଦାନରେ ସମାନ ନାମରେ ଦୁଇ ଜଣ ଖ୍ୟାତି ଅର୍ଜନ କରିଥିଲେ। ଜଣେ ହେଲେ ବ୍ରାଜିଲୀୟ ରୋନାଲ୍‌ଡା (ଲୁଇସ୍‌ ନାଜାରିଓ ଡି ଲିମା) ଏବଂ ଅନ୍ୟ ଜଣଙ୍କ ହେଲେ ପର୍ତୁଗିଜ୍‌ ରୋନାଲ୍‌ଡୋ (କ୍ରିିଷ୍ଟିଆନୋ)। କ୍ରିିଷ୍ଟିଆନୋଙ୍କ ସମ୍ପର୍କରେ ଆମେ ଆଲୋଚନା କରି ସାରିଛୁ। ଗତ ଶତାବ୍ଦୀର ଶେଷ ଭାଗ ଏବଂ ଏ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଚର୍ଚିତ ଥିଲେ ବ୍ରାଜିଲ୍‌ ତାରକା ରୋନାଲ୍‌ଡୋ। ଅବସରପ୍ରାପ୍ତ ଏହି ତାରକା ଷ୍ଟ୍ରାଇକର୍‌ ନବେ ଦଶକରେ ଥିଲେ ଶ୍ରେଷ୍ଠ ସମୟରେ। ଏପିରିକି ତାଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ତାଲିକାରେ ବି ମିଳୁଥିଲା ସୁଯୋଗ। ଗତିଶୀଳ ଅବସ୍ଥାରେ ଅସାଧାରଣ ଡିବିଲିଂ ଏବଂ ଫିନିସିଂ କ୍ଷମତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ନବେ ଦଶକରେ କ୍ଲବ୍‌ ସ୍ତରରେ ସେ କ୍ରୁଜିରୋ, ପିଏସ୍‌ଭି, ବାର୍ସିଲୋନା ଏବଂ ଇଣ୍ଟରମିଲାନ୍‌ ପାଇଁ ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ। ବୟସ ୨୧ ନପୁରୁଣୁ ଡିଏଗୋ ମାରାଡୋନାଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଦୁଇ ଥର ସର୍ବୋଚ୍ଚ ରାଶିରେ ଦଳ ବଦଳରେ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ବୟସ ୨୩ ବର୍ଷରେ ପହଞ୍ଚିବା ବେଳକୁ ସେ କ୍ଲବ୍‌ ଓ ଦେଶ ପାଇଁ ୨୦୦ରୁ ଊର୍ଧ୍ୱ ଗୋଲ୍‌ ଦେଇ ସାରିଥିଲେ। ଆଣ୍ଠୁ ସମସ୍ୟା ପାଇଁ ୩ ବର୍ଷର ନିରବତା ପରେ ଫେରି ୨୦୦୨ରେ ରୋନାଲ୍‌ଡୋ ମଧ୍ୟ ରିୟଲ୍‌ ମାଦ୍ରିିଦ୍‌ ଯୋଗ ଦେଇଥିଲେ। ପରେ ପରେ ଏସି ମିଲାନ୍‌ ଓ କୋରିନ୍ଥିଆନ୍‌ସରେ ସାମିଲ ହୋଇଥିଲେ।

୧୯୯୬, ୧୯୯୭ ଏବଂ ୨୦୦୨ ମସିହାରେ ୩ ଥର ଫିଫାର ବିଶ୍ୱ ଶ୍ରେଷ୍ଠ ଫୁଟ୍‌ବଲର୍‌ ବିଜେତା ହୋଇଥିଲେ। ୧୯୯୮ରେ ମଧ୍ୟ ୟ୍ରୁଫାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଫୁଟ୍‌ବଲ୍‌ ଖେଳାଳିଙ୍କ ବଜାର ଚାହିଦା ଦେଖିଲେ ରୋନାଲଡୋ ଥିଲେ ଅନ୍ୟତମ ଅଗ୍ରଜ। ୧୯୯୮ ମସିହାରେ ଫିଫାରେ ଶୀର୍ଷ ୧୦୦ ଖେଳାଳିଙ୍କ ମଧ୍ୟରେ ବି ରହିଥିଲା ତାଙ୍କ ନାମ। ବ୍ରାଜିଲ୍‌ ଏବଂ ଇଟାଲିର ଫୁଟ୍‌ବଲ୍‌ ହଲ୍‌ ଅଫ୍‌ ଫେମ୍‌ରେ ବି ସାମିଲ ହୋଇଥିଲା ରୋନାଲ୍‌ଡୋଙ୍କ ନାମ। ଦେଶ ପାଇଁ ୯୮ ମ୍ୟାଚ୍‌ରୁ ୬୨ ଗୋଲ୍‌ ଦେଇଥିଲେ। ପେଲେଙ୍କ ପରେ ଦ୍ୱିତୀୟ ସର୍ବାଧିକ ଗୋଲ୍‌ ସ୍କୋରର୍‌ ଅଛନ୍ତି ନିଜ ଜାତୀୟ ଦଳର। ମାତ୍ର ୧୭ ବର୍ଷ ବୟସରେ ୧୯୯୪ ମସିହାରେ ବିଶ୍ୱକପ୍‌ ବିଜେତା ବ୍ରାଜିଲ୍‌ ଦଳର ସେ ଥିଲେ ସର୍ବକନିଷ୍ଠ ଖେଳାଳି। ସେହି ବର୍ଷ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ମଧ୍ୟ ବିଶ୍ୱକପ୍‌ରେ ଖେଳିବା ସୁଯୋଗ ପାଇ ନ ଥିଲେ। ୧୯୯୮ରେ ବ୍ରାଜିଲ୍‌ ଉପ ବିଜେତା ହୋଇଥିଲା ସତ ରୋନାଲ୍‌ଡୋ କିନ୍ତୁ ଶ୍ରେଷ୍ଠ ଖେଳାଳି ଭାବେ ଜିତିଥିଲେ ସୁନା ବଲ୍‌। ୨୦୦୨ ମସିହାରେ ବ୍ରାଜିଲ୍‌କୁ ବିଶ୍ୱ ବିଜେତା କରାଇଥିବା ତ୍ରିମୂର୍ତିଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ଅନ୍ୟ ଦୁଇ ଜଣେ ହେଲେ ରୋନାଲ୍‌ଡିନୋ ଏବଂ ରିଭାଲ୍‌ଡୋ। ଫାଇନାଲ୍‌ରେ ଦୁଇ ଗୋଲ୍‌ ଦେଇଥିଲେ ରୋନାଲ୍‌ଡୋ। ଦ୍ୱିତୀୟ ଥର ବିଶ୍ୱକପ୍‌ ଜିତିବା ସହିତ ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ଭାବେ ସୁନା ଜୋତା ହାତେଇଥିଲେ। ୨୦୦୬ ବିଶ୍ୱକପ୍‌ରେ ସେ ନିଜର ୧୫ତମ ବିଶ୍ୱକପ୍‌ ଗୋଲ୍‌ ଦେଇ ବିଶ୍ୱ କୀର୍ତିମାନ କରିଥିଲେ। ଯାହାକୁ ଜର୍ମାନିର ମିରୋସ୍ଲାଭ କ୍ଲୋଜା (୧୬ ଗୋଲ୍‌) ପଛରେ ପକାଇ ଦେଇଥିଲେ। ପୁଣି ଥରେ ଆଘାତଜନିତ ସମସ୍ୟାରେ ପଡ଼ିବାରୁ ରୋନାଲ୍‌ଡୋ ୨୦୧୧ ମସିହାରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଇଯାଇଥିଲେ। ନିଜର ଖେଳ ଜୀବନରେ କ୍ଲବ୍‌ ସ୍ତରରେ ୩୪୩ ମ୍ୟାଚ୍‌ରୁ ୨୪୭ ଗୋଲ୍‌ ଏବଂ ଦେଶ ପାଇଁ ୯୮ ମ୍ୟାଚ୍‌ରୁ ୬୨ ଗୋଲ୍‌ ଦେଇଥିଲେ ଏହି ଷ୍ଟାଇଲିସ୍‌ ଖେଳାଳି।

ସମ୍ବନ୍ଧିତ ଖବର