କିମ୍ବଦନ୍ତୀ ପରାକ୍ରମୀ ପେଲେ

ମସ୍କୋ: ଫୁଟ୍‌ବଲ୍‌ କହିଲେ ପେଲେ, ପେଲେ କହିଲେ ଫୁଟ୍‌ବଲ୍‌କୁ ବୁଝନ୍ତି ପ୍ରଶଂସକ। ନିଜ ସମୟର ଏହି ପରାକ୍ରମୀ, ପ୍ରଷ୍ଫୁଟିତ ଫୁଟ୍‌ବଲର୍‌ ଏବେ ଜୀବନ୍ତ କିମ୍ବଦନ୍ତୀ। ଯାହାଙ୍କ ନାମ ଶୁଣିଲେ ପ୍ରତିଦ୍ୱନ୍ଦ୍ୱୀ ବି ମନୋବଳ ହରାଏ ଏବଂ ସମ୍ମାନ ଜଣାଇବା ଲାଗି ନତମସ୍ତକ ହୋଇଯାଏ। ଫିଫା ବିଶ୍ୱକପ୍‌ ଆସିଲେ ପେଲେଙ୍କ ଆଲୋଚନା ବିନା ଆଗକୁ ବଢ଼ି ହୁଏ ନାହିଁ, ଅସରନ୍ତି ରହିଯାଏ ସବୁ କାହାଣୀ। ଫୁଟ୍‌ବଲ୍‌ର ରୋମାଞ୍ଚଭରା କାହାଣୀ ବି ଲେଖା ହୋଇପାରିବ ନାହିଁ ପେଲେଙ୍କ ଖେଳ ଜୀବନ ଏବଂ ବ୍ୟକ୍ତିଗତ ଜୀବନ ବିନା। ମାମୁଲି ପରିବାରରୁ ଆସି ବିଶ୍ୱ ଫୁଟ୍‌ବଲ୍‌ରେ ରାଜ କରିଥିବା ଏହି ପ୍ରଚଣ୍ଡ ପ୍ରତିଭାଙ୍କୁ ବି ଯଥାର୍ଥରେ ମିଳିଛି ଏବେ ସର୍ବକାଳୀନ ଶ୍ରେଷ୍ଠ ସମ୍ମାନ। ସବୁ ବିବାଦ ଓ ବିତର୍କର ଅନ୍ତଘଟିଛି। ପଛରେ ପଡ଼ିଯାଇଛନ୍ତି ଅନ୍ୟତମ ମହାନ ଡିଏଗୋ ମାରାଡୋନା, ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋ। ୧୯୯୯ ମସିହାରେ ମଧ୍ୟ ପେଲେଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଫୁଟ୍‌ବଲ୍‌ର ସମ୍ମାନ ମିଳିଥିଲା। ନିର୍ବିବାଦ ଓ ନିର୍ଦ୍ୱନ୍ଦ୍ୱରେ ପେଲେ ହିଁ ପରାକ୍ରମୀ ଏବଂ ସର୍ବକାଳୀନ ଶ୍ରେଷ୍ଠ। ୩ ଥର ବିଶ୍ୱକପ୍‌ ବିଜେତା ଏହି ଆକ୍ରାମକ ମଧ୍ୟମପନ୍ଥୀ ଖେଳାଳି ନିଜର ୨୧ ବର୍ଷର ଖେଳ ଜୀବନରେ ମୋଟ ୭୨୭ ଗୋଲ୍‌ ଦେଇଛନ୍ତି। କିନ୍ତୁ ବ୍ରାଜିଲ୍‌ ପାଇଁ ଜାତୀୟ ଦଳରୁ ପ୍ରତିନିଧିତ୍ୱ ବେଳେ ସେ ୯୨ ମ୍ୟାଚ୍‌ରୁ ୭୭ ଗୋଲ୍‌ ଦେଇଛନ୍ତି। ଫୁଟ୍‌ବଲ୍‌ର ଏହି ପ୍ରଥମ ସୁପରଷ୍ଟାର୍‌ ମାତ୍ର ୧୬ ବର୍ଷ ବୟସରେ ବିଶ୍ୱକପ୍‌ (୧୯୫୮) ପଦାର୍ପଣ କରିବାର ଗୌରବ ବହନ କରିଥିଲେ। ୧୫ ବର୍ଷ ବୟସରେ ସାଣ୍ଟୋସ୍‌ ଏଫ୍‌ସି ପାଇଁ କ୍ଲବ୍‌ ଜୀବନ ଆରମ୍ଭ କରି ୧୯୭୫ ମସିହା ପର୍ଯ୍ୟନ୍ତ ଦଳ ସହ ରହିଥିଲେ। ସର୍ବକାଳୀନ ଫୁଟ୍‌ବଲ୍‌ ଶ୍ରେଷ୍ଠ ତାଲିକାରେ ପେଲେଙ୍କ ପଛକୁ ରହିଛନ୍ତି ଲିଓନେଲ୍‌ ମେସି, କ୍ରିଷ୍ଟିଆନୋ ରୋନାଲ୍‌ଡୋ, ଜର୍ଜ ବେଷ୍ଟ୍‍, ଡିଏଗୋ ମାରାଡ଼ୋନା, ବବି ମୁରେ, ଜୋହାନ୍‌ କ୍ରଫ୍‌, ସାର୍‌ ବବି ଚାର୍ଲଟନ୍‌, ଡେଭିଡ୍‌ ବେକ୍‌ହାମ, ଜିନେଦିନ୍‌ ଜିଦାନ୍‌, ଥିଏରି ହେନରି, ଫ୍ରାଙ୍କ୍‌ ବେକନବର୍‌, ଏସେବିଓ, କେନି ଡାଲଗ୍ଲିସ୍‌, ରୋନାଲ୍‌ଡିନୋ, ର‍୍ୟାନ୍‌ ଗିଗ୍‌ସ, ଗ୍ୟାରୀ ଲିକେନର୍‌, ପଲ୍‌ ଗାସ୍କୋଇନ୍‌, ରୋନାଲ୍‌ଡୋ, ଷ୍ଟିଭେନ୍‌ ଗେରାର୍ଡ, ଡାନିସ ଲ, ଡାନିସ୍‌ ବର୍ଗକ୍ୟାମ୍ପ୍‌, ଆଲଫ୍ରେଡୋ ଡି ଷ୍ଟିଫାନୋ, ଫେରେଙ୍କ୍‌ ପୁସ୍‌କାସ୍‌, ଓ୍ଵନି ରୁନି, ସାର୍‌ ଟମ୍‌ ଫିନି, ମାଇକେଲ୍‌ ଓଏନ୍‌, ମାଇକେଲ୍‌ ପ୍ଳାଟିନି, ଜର୍ଜେନ୍‌ କ୍ଲିନ୍‌ସମ୍ୟାନ୍‌, ଲୋଥାର୍‌ ମାଥାୟୁସ୍‌, ମାର୍କୋ ଭାନ୍‌ ବାସ୍ତେଁ, ମହମ୍ମଦ ସଲାହ, ବ୍ରାଏନ୍‌ ରବ୍‌ସନ୍‌, ଲେଭ୍‌ ୟାସିନ, ଗାରେଥ୍‌ ବେଲ୍‌, ଜଲ୍‌ଟାନ୍‌ ଇବ୍ରାହିମୋଭିକ୍‌, ଫ୍ରାଙ୍କୋ ବାରେସି, ଜାଭି, କେଭିନ୍‌ ଡି ବ୍ରୁଇନ୍‌, ଗିଓଲୁଭି ବଫନ୍‌।

ନିଜ ଖେଳ ଜୀବନରେ ପେଲେ କିନ୍ତୁ ମୋଟ ଉପରେ ଦେଇଥିଲେ ୧୩୬୩ ମ୍ୟାଚ୍‌ରୁ ୧୨୮୧ ଗୋଲ୍‌। ବ୍ରାଜିଲ୍‌ ପାଇଁ ତାଙ୍କ ୯୨ ମ୍ୟାଚ୍‌ ୭୭ ଗୋଲ୍‌ ଏବେ ମଧ୍ୟ ଅତୁଟ କୀର୍ତିମାନ ହୋଇ ରହିଛି। ୧୯୫୮, ୧୯୬୨ ଏବଂ ୧୯୭୦ ମସିହାରେ ୩ ଥର ବିଶ୍ୱକପ୍‌ ବିଜେତା ବ୍ରାଜିଲ୍‌ ଦଳର ସଦସ୍ୟ ଥିଲେ। ତାଙ୍କ ବିଦ୍ୟୁତ ଗତି ଏବଂ ଚମତ୍କାର ଗୋଲ୍‌ ଏବେ ବି ଅନେକ ଫୁଟ୍‌ବଲର୍‌ଙ୍କୁ ଯାଦୁକରୀ ପ୍ରଦର୍ଶନ ଭଳି ଅନୁଭବ ଦିଏ। କ୍ରିକେଟ୍‌ରେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଏବଂ ହକିରେ ମେଜର ଧ୍ୟାନଚାନ୍ଦଙ୍କ ଭଳି ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ପେଲେ। ୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ଜନ୍ମିତ ପେଲେଙ୍କ ମୂଳ ନାମ ହେଉଚି ଏଡସନ୍‌ ଆରାଣ୍ଟେସ୍‌ ଡୋ ନାସିମେଣ୍ଡୋ। ଫୁଟ୍‌ବଲ୍‌କୁ ଯଦି ସୁନ୍ଦରତମ ଖେଳର ଉପାଧି ମିଳିଥାଏ ତେବେ ପେଲେ ଏହାର ଅନ୍ୟତମ ପ୍ରମୁଖ କାରଣ। ବିଶ୍ୱବ୍ୟାପୀ ଫୁଟ୍‌ବଲର ଦୂତ ଭାବେ ତାଙ୍କୁ ସ୍ୱୀକାର କରାଯାଏ।

ହ୍ଵିଲ୍‌ଚେୟାର୍‌ରେ ଜୀବନ

ଅସୁସ୍ଥତା କାରଣରୁ ୭୮ ବର୍ଷୀୟ ପେଲେ ଏବେ ହ୍ଵିଲ୍‌ଚେୟାରରେ ରହିଥାଇ ପାରନ୍ତି। ଜୀବନର ହ୍ଵିଲ୍‌ଚେୟାରରେ ବସିଥିଲେ ମଧ୍ୟ ଗତ ଡିସେମ୍ବର ମାସରେ ଯେତେବେଳେ ମସ୍କୋରେ ୨୦୧୮ ମସିହା ଫିଫା ବିଶ୍ୱକପ୍‌ ଡ୍ର’ ଅନୁଷ୍ଠିତ ହୋଇଥିଲା ସେ ଉପସ୍ଥିତ ରହିଥିଲେ। ଅନ୍ୟତମ କିମ୍ବଦନ୍ତୀ ଡିଏଗୋ ମାରାଡୋନା ତାଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପସ୍ଥିତିରେ ଚୁମ୍ବନ ଦେବାର ଦୃଶ୍ୟ ଏବେ ମଧ୍ୟ ଅନେକଙ୍କ ସ୍ମୃତି ରୋମନ୍ଥନ କରେ। ବିଶେଷ କରି ପେଲେ-ମାରାଡୋନାଙ୍କ ମଧ୍ୟରୁ କିଏ ଶତାବ୍ଦୀର ଶ୍ରେଷ୍ଠ ବୋଲି ହୋଇଥିବା ବିତର୍କ ମନେପଡ଼ିଯାଏ। ଶକ୍ତିହୀନ ଅବସ୍ଥା କାରଣରୁ ଏବେ ଏହି ଶକ୍ତିଶାଳୀ ଫୁଟ୍‌ବଲର୍‌ ଜୀବନର ସାୟାହ୍ନରେ। ସେ ଗତ ଜାନୁଆରି ମାସରେ ମଧ୍ୟ ସଞ୍ଜାହୀନ ହୋଇପଡ଼ିଥିଲେ। ୬୦ ବର୍ଷ ପରେ ଆଜି ମନେ ପଡ଼ିଯାଏ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍‌ କିଭଳି ସମଗ୍ର ଫୁଟ୍‌ବଲ୍‌କୁ ବଦଳାଇ ଦେଇଥିଲା।

ସମ୍ବନ୍ଧିତ ଖବର