ଇତିହାସ ଓ ସଂସ୍କୃତିର ସଙ୍ଗମ

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଇନ୍ସଲ୍ୟାଣ୍ଡ ପ୍ରଦେଶର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ବୁଧବାର ଅପରାହ୍ନରେ ହୋଇଯାଇଛି। ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ ଆଜି ଔପଚାରିକ ଭାବେ ଏହି ୭୧ ଦଳୀୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୬,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୭୫ ଖେଳବର୍ଗରେ ପ୍ରତିଦ୍ୱନ୍ଦିତା ହେବ। ପ୍ରତିଯୋଗିତାର ମୁଖ୍ୟ ପଡ଼ିଆ କରାରା ଷ୍ଟାଡିୟମରେ ଅନୁଷ୍ଠିତ ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବରେ ସମସ୍ତ ୭୧ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ଅଷ୍ଟ୍ରେଲିଆର ଆଦିମ ଇତିହାସ ସହ ସେଠାକାର ପରମ୍ପରା ଓ ସଂସ୍କୃତିକୁ ନିଖୁଣ ଭାବେ ଦର୍ଶାଯାଇଥିଲା। ନାଚଗୀତ ଏବଂ ଆତସବାଜୀ ସହ ଲେଜର ଲାଇଟର ସତରଙ୍ଗୀ ଖେଳ ମଧ୍ୟରେ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। କୁଇନ୍ସଲାଣ୍ଡର ନୌ ଚାଳନା ପରମ୍ପରା ମଧ୍ୟ ଉଦ୍‌ଘାଟନୀ ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା। ତେବେ ଅଷ୍ଟ୍ରେଲିଆରେ ବ୍ରିଟିସ୍‌ ଉପନିବେଶବାଦକୁ ବିରୋଧ କରି ସେଠାକାର ଆଦିମ ଅଧିବାସୀଙ୍କ ବିକ୍ଷୋଭ, ଅଦିନିଆ ବର୍ଷା ଏବଂ ପରିବହନ ସମସ୍ୟା ଅବଶ୍ୟ ଉଦ୍‌ଘାଟନୀ ଉତ୍ସବର ଚମକକୁ ଟିକିଆ କମାଇ ଦେଇଥିଲା। ତଥାପି ଷ୍ଟାଡିୟମରେ ଥିବା ୨୫ ହଜାର ଦର୍ଶକଙ୍କ ସହ ଟେଲିଭିଜନ ପରଦାରେ କୋଟି କୋଟି କ୍ରୀଡ଼ାପ୍ରେମୀ ଏହି ଉଦ୍‌ଘାଟନୀ ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ପଡ଼ିଆ ବାହାରେ ଅତୀତର ବ୍ରିଟିସ୍‌ ଶାସନକୁ ବିରୋଧ କରି ବିକ୍ଷୋଭ ଚାଲିଥିଲା ବେଳେ ପଡ଼ିଆ ଭିତରେ ୧୧ ବର୍ଷୀୟା ବଳିକା ଇସାବେଲା ବ୍ରାହାମ ସ୍ମାର୍ଟଫୋନ୍‌ରେ ପ୍ରତିଯୋଗୀ, ପ୍ରଶଂସକ ଓ ଅଧିକାରୀଙ୍କୁ ସ୍ୱାଗତ ବାର୍ତା ସହ ଅବଗଣନା ଆରମ୍ଭ କରିଥିଲେ। ଆଦିବାସୀ ସଂଗୀତଜ୍ଞ ଏବଂ ପିଲାମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ପ୍ରିନ୍ସ ଚାର୍ଲସ, ତାଙ୍କ ପତ୍ନୀ କାମିଲା ପାର୍କର ଏବଂ ସ୍ଥାନୀୟ ନେତା ଟେଡ୍‌ ଓ୍ଵିଲିୟମ୍ସ ଓ ପାଟ୍ରିକା ଓ କର୍ନର ସମସ୍ତ ପ୍ରତିଯୋଗୀ, ଅଧିକାରୀ ଏବଂ ପ୍ରଶଂସକଙ୍କୁ କୁଇନ୍ସଲାଣ୍ଡକୁ ସ୍ୱାଗତ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ପୂର୍ବତନ ବିଶ୍ୱ ବାଧାଦୌଡ଼ ବିଜୟିନୀ ସାଲି ପିଅରସନ୍‌ ପ୍ରିନ୍ସ ଚାର୍ଲସଙ୍କୁ ୩୮୮ ଦିନ ଏବଂ ୨୩୦୦୦୦ କିଲୋମିଟର ଯାତ୍ରା କରିଥିବା ରାଣୀଙ୍କ ମସାଲକୁ ହସ୍ତାନ୍ତର କରିଥିଲେ। ଏହା ପରେ ପ୍ରିନ୍ସ ଚାର୍ଲସ ବ୍ରିଟେନ୍‌ ରାଣୀଙ୍କ ବାର୍ତା ପଢ଼ି ପ୍ରତିଯୋଗିତା ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍‌ଘାଟନ ବୁଧବାର ହୋଇଥିଲେ ମଧ୍ୟ ଗୁରୁବାରଠାରୁ ଖେଳାଳିମାନେ ମଇଦାନକୁ ଓହ୍ଲାଇବେ।

ସିନ୍ଧୁ ନେଲେ ଭାରତର ନେତୃତ୍ୱ
ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ତିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ବୁଧବାର ଖେଳାଳି ମାର୍ଚପାଷ୍ଟ ବେଳେ ସର୍ବପ୍ରଥମେ ସ୍କଟଲାଣ୍ଡ ଦଳ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିଥିଲା। ଏହାପରେ ଇଂଲଣ୍ଡ, ସାଇପ୍ରସ୍‌ ଏବଂ ଜିବ୍ରାଲେଟର ଦଳ ଆସିଥିଲେ। ଭାରତୀୟ ଦଳ ଏସିଆ ମହାଦେଶର ତୃତୀୟ ଦଳ ଭାବେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲା। ଭାରତ ଏଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ୨୧୫ ଜଣିଆ ଦଳ ପଠାଇଛି। ସେଥିରେ ୮ ଜଣ ଓଡ଼ିଆ ଅଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ପୋଷାକ ପରିବର୍ତେ ବ୍ଲେଜର ଏବଂ ପାଇଜାମା ପିନ୍ଧିଥିଲେ। ଗ୍ଲାସ୍‌ଗୋଠାରେ ଆୟୋଜିତ ଗତ ସଂସ୍କରଣରେ ଭାରତ ୧୫ ସ୍ୱର୍ଣ୍ଣ ସହ ୬୪ ପଦକ ଜିତିଥିଲା। ଏଥର ଏହି ସଂଖା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିକ୍ଷୋଭ ପାଇଁ ଘଣ୍ଟାଏ ଅଟକିଲା ମସାଲ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭରୁ ବିବାଦୀୟ ହୋଇଛି। ଅଷ୍ଟ୍ରେଲିଆର ବହୁ ଆଦିମ ଅଧିବାସୀ ସଂଗଠନ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବୁଧବାର ମସାଲ ରାଲିକୁ ଘଣ୍ଟାଏ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। ବ୍ରିଟିସ୍‌ ଶାସନ ବେଳେ ଅଷ୍ଟ୍ରେଲିଆର ଆଦିମ ଅଧିବାସୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରକୁ ସେମାନେ ବିରୋଧ କରିଥିଲେ। ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଆଭିମୁଖ୍ୟ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ। ଶେଷରେ ପୁଲିସର ହସ୍ତକ୍ଷେପ ପରେ ସେମାନେ ମସାଲ ରାଲିକୁ ଛାଡ଼ିଥିଲେ। ସେହିଭଳି ପାଖାପାଖି ୧୦୦ ଜଣ ଲୋକ କରାରା ଷ୍ଟାଡିୟମର ଠିକ୍‌ ବାହାରେ ୯୦ ମିନିଟ୍‌ ଧରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ‘ଉପନିବେଶବାଦ ଏକ ଖେଳ ନୁହେଁ’ ଲେଖାଥିବା ପୋଷ୍ଟର ଧରି ସେମାନେ ବିକ୍ଷୋଭ କରିଥିଲେ।

GOLD COAST, AUSTRALIA – APRIL 04: White 

ମରିସସ୍‌ ମୁଖ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଦେଶର ଜଣେ ଆଥ୍‌ଲେଟ୍‌ଙ୍କୁ ମରିସସ୍‌ ଦଳର ମୁଖ୍ୟ (ଚିଫ୍‌ ଡି ମିସନ୍‌) ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ବୁଧବାର ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହକୁ କିଛିଟା ଫିକା କରିଦେଇଥିଲା। ମରିସସ୍‌ ଦଳର ମୁଖ୍ୟ କେସି ତିରୁଭେଙ୍ଗାଡମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳ ସହ ଆସିଥିବା ମହିଳା ଜାଭେଲିନ୍‌ ଫିଙ୍ଗାଳି ଜେସିକା ସେଲ୍‌ମା ରୋସୁନ୍‌ଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୁଇନ୍‌ସଲାଣ୍ଡ୍‌ ପୁଲିସ୍‌ ଏକ ଫୌଜଦାରୀ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଆଉ ଏହି ଅଭିଯୋଗକୁ ଭିତ୍ତି କରି ତିରୁଭେଙ୍ଗାଡମ୍‌ଙ୍କୁ ତୁରନ୍ତ ପଦତ୍ୟାଗ କରିବାକୁ ମରିସସ୍‌ କ୍ରୀଡ଼ା ମନ୍ତ୍ରୀ ଷ୍ଟିଫାନ୍‌ ତୌସେଣ୍ଟ୍‌ ନିର୍ଦେଶ ଦେଇଥିଲେ। କ୍ରୀଡ଼ା ମନ୍ତ୍ରୀଙ୍କ ନିର୍ଦେଶ ପରେ ମରିସସ୍‌ ଅଲିମ୍ପିକ୍‌ ସମିତିର ସହକାରୀ ମହାସଚିବ ଥିବା ତିରୁଭେଙ୍ଗାଡମ୍‌ ଗୋଲ୍‌ଡକୋଷ୍ଟରେ ଦଳର ଚିଫ୍‌ ଡି ମିସନ୍‌ ପଦରୁ ଓହରିବା ସାଙ୍ଗକୁ କ୍ରୀଡ଼ାଗ୍ରାମ ମଧ୍ୟ ଛାଡ଼ିଛନ୍ତି ବୋଲି ମରିସସ୍‌ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ସ୍ପଷ୍ଟ କରିଛି। ତିରୁଭେଙ୍ଗାଡମ୍‌ ମଧ୍ୟ ବୁଧବାରର ଉଦ୍‌ଘାଟନୀ ଉତ୍ସବରୁ ଦୂରେଇ ରହିଥିଲେ। ତେବେ କ୍ରୀଡ଼ା ଗ୍ରାମ ଛାଡ଼ିଥିଲେ ମଧ୍ୟ ଅଭିଯୋଗର ତଦନ୍ତ ଚାଲିଥିବାରୁ ତିରୁଭେଙ୍ଗାଡମ୍‌ ଗୋଲ୍‌ଡକୋଷ୍ଟରେ ରହିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ସ୍ଥାନରେ ମରିସସ୍‌ ଅଲିମ୍ପିକ୍‌ ସମିତିର ଉପସଭାପତି ରିଚାର୍ଡ ପାପେଇ ଗୋଲ୍‌ଡକୋଷ୍ଟରେ ରାଜ୍ୟଗୋଷ୍ଠୀ ଦଳର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ମରିସସ୍‌ ସରକାର ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ନେଇ ଅଷ୍ଟ୍ରେଲୀୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏଭଳି ନିର୍ଯାତନାର ଶିକାର ହୋଇଥିବା ଜେସିକା ତଦନ୍ତ ସତ୍ତ୍ୱେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟକୁ କହିଛନ୍ତି। ସେ ଏବେ ମାନସିକ ଭାବେ ଠିକ୍‌ ଅଛନ୍ତି, ସେ ଜଣେ ଲଢ଼ୁଆ ପ୍ରକୃତିର ମହିଳା ବୋଲି ଜେସିକା କହିଛନ୍ତି। ଅନ୍ୟପକ୍ଷରେ ଆଥ୍‌ଲେଟ୍‌ମାନଙ୍କୁ ପୂରା ସୁରକ୍ଷା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ବୋଲି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ଗ୍ରେଭେମ୍‌ବର୍ଗ ପ୍ରତିଶୃତି ଦେଇଛନ୍ତି।

୧୨ ବର୍ଷ ପରେ ପଦକ ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ
ଭାରତୀୟ ମହିଳା ହକି ଦଳର ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଗୁରୁବାରଠୁ ଆରମ୍ଭ ହେବ। ଏଥିରେ ୧୨ ବର୍ଷର ପଦକ ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ରଖିଛି ଭାରତ। ୨୦୦୨ରେ ସ୍ୱର୍ଣ୍ଣ ଜିତିବା ପରେ ୨୦୦୬ରେ ଭାରତ ରୌପ୍ୟ ପଦକ ଜିତିଥିଲା। ହେଲେ ଏହାପରଠୁ ଭାରତୀୟ ମହିଳାଙ୍କ ପାଇଁ ପଦକ ମରୁଡ଼ି ହୋଇଯାଇଛି। ତେଣୁ ଏଠାରେ ୧୨ ବର୍ଷ ପରେ ପୁନର୍ବାର ପଦକ ଜିତି ନୂଆ ଇତିହାସ ରଚିବା ଲାଗି ରାଣୀଙ୍କ ନେତୃତ୍ୱରେ ଭାରତ ପଡ଼ିଆକୁ ଓହ୍ଲାଇବ। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତର ପ୍ରଥମ ମୁକାବିଲା େଓ୍ଵଲ୍‌ସ ସହ ହେବ। ଏହା ପରେ ୫ ତାରିଖରେ ମାଲେସିଆ, ୮ ତାରିଖରେ ଅଲିମ୍ପିକ୍ସ ବିଜେତା ଇଂଲଣ୍ଡ ଏବଂ ଶେଷରେ ୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ। ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ। କଷ୍ଟସାଧ୍ୟ ଗ୍ରୁପ୍‌ରେ ରହିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରି ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବୁ ବୋଲି ଦୃଢ଼ ବିଶ୍ୱାସ ରଖିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଏଠାରେ ଆମେ ଦୁଇଟି ଅଭ୍ୟାସ ମ୍ୟାଚ୍‌ରୁ କୁଇନ୍ସଲାଣ୍ଡ୍‌ ବିପକ୍ଷରେ ୫-୦ ଗୋଲ୍‌ରେ ଜିତିଥିଲା ବେଳେ କାନାଡାଠୁ ୧-୩ରେ ହାରି ଯାଇଥିଲୁ। କାନାଡ଼ା ବିପକ୍ଷରେ ପ୍ରଥମ କ୍ୱାର୍ଟର୍‌ରେ ଭଲ ଖେଳିଥିଲୁ। କିନ୍ତୁ କିଛି ଭୁଲ ପାଇଁ ମ୍ୟାଚ୍‌ ହାତଛଡ଼ା କଲୁ। ଏଥିରୁ ଆମ ଝିଅମାନେ କିଛି ଶିଖି ନେଇଛନ୍ତି। ତ୍ରୁଟି ସୁଧାରି ଆଗକୁ ବଢ଼ିବେ ବୋଲି ଆଶା ରହିଛି। ଗୋଟିଏ ସପ୍ତାହ ଧରି ଭାରତୀୟ ଦଳ ଗୋଲଡ୍‌କୋଷ୍ଟରେ ରହି ପାଣିପାଗ ସହ ଅଭ୍ୟସ୍ତ ହୋଇଯାଇଛି। େଓ୍ଵଲ୍‌ସ ବିପକ୍ଷରେ ମଧ୍ୟ ଭାରତର କୀର୍ତି ଭଲ ରହିଛି। ଫଳରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରାଣୀଙ୍କ ଦଳ ରହିଛି।

ସିରିଞ୍ଜ୍‌ ମାମଲାରେ ଭାରତକୁ ଚେତାବନୀ

GOLD COAST, AUSTRALIA – APRIL 04: Sally Quinn Rooney/Getty Images)

ରାଜ୍ୟଗୋଷ୍ଠୀ କ୍ରୀଡ଼ା ବୁଧବାରଠୁ ଆରମ୍ଭ ହୋଇଥିଲା ବେଳେ ଏହାର ଦିନକ ପୂର୍ବରୁ ଭାରତକୁ ଆଶ୍ୱସ୍ତି ମିଳିଛି। ଭାରତୀୟ ଖେଳାଳିଙ୍କ କୋଠରୀରୁ ମିଳିଥିବା ସିରିଞ୍ଜ୍‌ ଓ ଛୁଞ୍ଚି ମାମଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ନିଷିଦ୍ଧ ଔଷଧ ନିରୋଧୀ ସଂସ୍ଥା (ସିଏ) ଭାରତୀୟ ଦଳର ଚିକିତ୍ସକଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଛି। ଦୁଇ ଦିନ ତଳେ ଭାରତୀୟ ଖେଳାଳି ରହୁଥିବା କୋଠରୀରୁ କିଛି ସିରିଞ୍ଜ୍‌ ଓ ଛୁଞ୍ଚି ମିଳିଥିଲା। ଫଳରେ ଏଠାରେ ରହୁଥିବା ୪ ଭାରତୀୟ ମୁଷ୍ଟି ଯୋଦ୍ଧାଙ୍କ ଡୋପିଂ ପରୀକ୍ଷା ହୋଇଥିଲା। ଏମାନେ ଏହି ସିରିଞ୍ଜ୍‌ର ଦୁରୁପଯୋଗ କରିନଥିବା ନେଇ ପ୍ରମାଣ ହୋଇଥିଲା। ମାତ୍ର ଜଣେ ଖେଳାଳି ଅସୁସ୍ଥ ଅନୁଭବ କରିବାରୁ ଆମୋଲ ତାଙ୍କୁ ଭିଟାମିନ୍‌ ବି କଂପ୍ଲେକ୍ସ ଇଞ୍ଜେକ୍ସନ ଦେଇଥିଲେ ବୋଲି ମାନିଥିଲେ। ଫଳରେ ଭାରତକୁ ବଡ଼ ଧରଣଣ କାର୍ଯ୍ୟନୁଷ୍ଠାନରୁ ରକ୍ଷା ମିଳିଯାଇଛି। ମୁଷ୍ଟିଯୁଦ୍ଧ ଦଳର ଡାକ୍ତର ଅମୋଲ ପାଟିଲଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି।

ବିନା ଲଢ଼େଇରେ ପଦକ

ଅଷ୍ଟ୍ରେଲୀୟ ମହିଳା ମୁଷ୍ଟିଯୋଦ୍ଧା ତେଲା ରବର୍ଟସନ୍‌ଙ୍କୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ପଦକ ଯାଇଛି। ତାହା ପୁଣି ମୁଷ୍ଟିଯୁଦ୍ଧ ଲଢ଼େଇର ୯ ଦିନ ପୂର୍ବରୁ। କୁଇନ୍‌ସଲାଣ୍ଡ୍‌ ରାଜ୍ୟର ସନ୍‌ସାଇନ୍‌ କୋଷ୍ଟରୁ ଆସିଥିବା ୧୯ ବର୍ଷ ବୟସ୍କା ରବର୍ଟସନ୍‌ ୫୧ କେଜି ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କୌଣସି ବି ବାଉଟ୍‌ ନ ଲଢ଼ି ସିଧାସଳଖ ସେମିଫାଇନାଲ୍‌ ଟିକେଟ ହାସଲ କରିନେଇଛନ୍ତି। ଏହି ବର୍ଗରେ ମାତ୍ର ୭ ଜଣ ମୁଷ୍ଟିଯୋଦ୍ଧା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଆଉ ଏହି ବର୍ଗରେ ଉଭୟ ସେମିଫାଇନାଲ୍‌ ପରାଜିତ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରିବେ। ସେହି ଦୃଷ୍ଟିରୁ ସିଧାସଳଖ ସେମିଫାଇନାଲ୍‌ ଟିକେଟ୍‌ କରାୟତ କରିସାରିଥିବା ରବର୍ଟସନ୍‌ ବିନା ଲଢ଼େଇରେ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଜିତିବାର ଗୌରବ ବହନ କରିଛନ୍ତି। ରବର୍ଟସନ୍‌ଙ୍କ ସେମିଫାଇନାଲ୍‌ ଲଢ଼େଇ ୧୩ ତାରିଖରେ ହେବ। ସୂଚନାଯୋଗ୍ୟ ଯେ ମହିଳା ୫୧ କିଲୋଗ୍ରାମ୍‌ ବର୍ଗରେ ପ୍ରତିଯୋଗୀ ସଂଖ୍ୟା ହ୍ରାସ ପାଇବା ରବର୍ଟସନ୍‌ଙ୍କ ଭାଗ୍ୟକୁ ବଦଳାଇ ଦେଇଛି। ଆମେ ଏବେ କାଂସ୍ୟ ପଦକ ନିଶ୍ଚିତ କରିଥିଲେ ମଧ୍ୟ ଏହାକୁ ସ୍ୱର୍ଣ୍ଣ କିମ୍ବା ରୌପ୍ୟରେ ପରିବର୍ତନ କରିବାକୁ ପ୍ରୟାସ କରିବୁ ବୋଲି ଉଭୟ ରବର୍ଟସନ୍‌ ଏବଂ ତାଙ୍କ ପ୍ରଶିକ୍ଷକ ଇଭାନ୍‌ସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର