୭୧ ବର୍ଷ ପରେ ଇତିହାସ: ଅଷ୍ଟ୍ରେଲିଆରେ ପ୍ରଥମ ଥର ଶୃଙ୍ଖଳା ଜିତିଲା ଭାରତ

ସିଡ୍‌ନି: ଦୀର୍ଘ ୭୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି ୭/୧ରେ (ଜାନୁଆରି ୭ ତାରିଖ)। ଅପୂର୍ବ ସଂଯୋଗ, ଅପୂର୍ବ ସଫଳତା ବି। ଭାରତ ଦୁଇ ଥର ଦିନିକିଆ ବିଶ୍ବକପ୍‌ ଏବଂ ଥରେ ଲେଖାଏଁ ଟେଷ୍ଟ୍ ଚାମ୍ପିଅନସିପ୍ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍ ବି ଜିତିଥିଲା। କିନ୍ତୁ କ୍ରିକେଟ୍‌ର ସବୁଠୁ ସଫଳତମ ଦେଶ ଅଷ୍ଟ୍ରେଲିଆ ମାଟିରେ କେବେ ବି ଟେଷ୍ଟ୍ ଶୃଙ୍ଖଳା ଜିତିବାର ସୌଭାଗ୍ୟ ଅର୍ଜନ କରିପାରି ନ ଥିଲା। ବିରାଟ କୋହଲିଙ୍କ ବିରାଟ ଯୁଗର ଆରମ୍ଭ ବି ନୂଆ ବର୍ଷ ପ୍ରାରମ୍ଭରୁ ଚମତ୍କାର ଢଙ୍ଗରେ ହୋଇଛି। ପ୍ରଥମ ଏସୀୟ ଦେଶ ଭାବେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇଛି। ତା’ ପୁଣି କ୍ରିକେଟ୍‌ର ସର୍ବୋଚ୍ଚ ଫର୍ମାଟ ଟେଷ୍ଟ ଶୃଙ୍ଖଳାରେ। ସିଡ୍‌ନି ଟେଷ୍ଟ୍‌ର ଶେଷ ୩ ଦିନ ବର୍ଷା ଓ ଆଲୋକ ଅଭାବ ଭିତରେ ବିତିଥିଲେ ବି ବିରାଟ କୋହଲିଙ୍କ ସେନା ହାତରୁ ଶୃଙ୍ଖଳା ବିଜୟର ସମ୍ମାନ ହାତଛଡ଼ା ହେବାର ନଥିଲା। ବରଂ ୩-୧ ବଦଳରେ ଭାରତ ୨-୧ରେ ଶୃଙ୍ଖଳା ଜିତି ଐତିହାସିକ ମୁହୂର୍ତ ଆଣିଦେଲେ। ବର୍ଡର ଗାଭାସ୍କର ଟ୍ରଫି ହାତେଇବା ଏବଂ ନୂଆ ବର୍ଷରେ ଏକ ନମ୍ବର ମାନ୍ୟତା ଦଳ ୭ ଦଶନ୍ଧୀର ସ୍ବପ୍ନ ସାକାର କରିବା ଅନେକ ଦିନ ଧରି ଅଭୁଲା ରହିବ। ସୋମବାର ପଞ୍ଚମ ଦିବସରେ ବର୍ଷା କାରଣରୁ ଗୋଟିଏ ବି ବଲ୍ ବୋଲିଂ ସମ୍ଭବ ହୋଇନଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଏହି ଐତିହାସିକ ମୁହୂର୍ତକୁ ଉପଭୋଗ କରିବାର କୌଣସି ସୁଯୋଗ ହାତଛଡ଼ା କରିନଥିଲେ। ନାଚିଥିଲେ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ। ପରସ୍ପର ସହିତ ଥଟ୍ଟା ମଜାରେ ବି ମଜି ରହିଥିଲେ ଦିନ ସାରା। ଆଲାନ୍ ବର୍ଡରଙ୍କଠାରୁ ଗାଭାସ୍କର-ବର୍ଡର ଟ୍ରଫି ଗ୍ରହଣ କରିବାର ମାହେନ୍ଦ୍ର ବେଳା ଥିଲା ସବୁ ଭାରତୀୟଙ୍କ ପାଇଁ ଅଭୁଲା। ଚେତେଶ୍ବର ପୂଜାରା ମ୍ୟାଚ୍‌ର ଶ୍ରେଷ୍ଠ ଏବଂ‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ମଧ୍ୟ ବ୍ୟକ୍ତିଗତ ଦ୍ବିମୁକୁଟ ଅର୍ଜନ କରିଥିଲେ। ‘ଭାରତକୁ ସାବାସ, ଆମେ ଯେତେବେଳେ ଭାରତରେ‌ ଖେଳିଥାଉ ଜାଣିଛୁ ଏହା କ‌େତେ କଷ୍ଟସାଧ୍ୟ। ତେଣୁ ବିଦେଶରେ ବିଜୟ ଲାଗି ବିରାଟଙ୍କୁ ଅଭିନନ୍ଦନ, ରବି ଶାସ୍ତ୍ରୀଙ୍କୁ ମଧ୍ୟ’ ବୋଲି କହିଥିଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍‌। ଏଥି ସହିତ ୨୦୧୮ ମସିହାରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡରେ ଯାହା କରିପାରିନଥିଲା ଅଷ୍ଟ୍ରେଲିଆରେ କରି‌ ଦେଖାଇଲା। ଜୁଲାଇ ମାସରେ ଭାରତ କାରବୀୟ ଗସ୍ତ (ୱେଷ୍ଟଇଣ୍ଡିଜ୍‌) କରି ପରବର୍ତୀ ଟେଷ୍ଟ୍ ଶୃଙ୍ଖଳା ଖେଳିବ।

ପ୍ରଥମ ଯାତ୍ରା ୦-୪
ଦୀର୍ଘ ଏକସ୍ତରୀ ବର୍ଷ ଧରି ଯାହା ଭାରତୀୟ ଦଳ କଙ୍ଗାରୁ ‌କ୍ଷେତ୍ରରେ କରିନଥିଲା, ତାକୁ କୋହଲି ସେନା କରି ପାରିଛନ୍ତି। ଭାରତ ପ୍ରଥମ ଥର ପାଇଁ ୧୯୪୭ ମସିହାରେ ଅଷ୍ଟ୍ରେଲିଆ ଗସ୍ତ କରି ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାକୁ ୦-୪ରେ ହାରିଥିଲା। ସେହି ଅଭେଦ୍ୟ ଦୁର୍ଗକୁ ଭାରତ ଚଳିତ ଗସ୍ତକୁ ମିଶାଇ ୧୨ ଥର ଯାତ୍ରା କରିଥିଲେ ମଧ୍ୟ ଅସଫଳ ଥିଲା। କୋହଲିଙ୍କ ଦଳ ଶେଷରେ ଭାରତର ଦ୍ବାଦଶ ଯାତ୍ରାର ସଫଳ ଅଧିନାୟକ ହୋଇଛନ୍ତି। ବ୍ୟାଟିଂ, ବୋଲିଂ ଏବଂ କ୍ଷେତ୍ରରକ୍ଷଣ ସହିତ ସବୁଠୁ ଆଲୋଚିତ ସ୍ଲିପ୍ କର୍ଡନ କ୍ୟାଚ୍‌ରେ ସଫଳ ହେବାରୁ ଭାରତକୁ ଏହି ଐତିହାସିକ ସଫଳତା ମିଳିଛି।

ବିଶ୍ବକପ୍‌ଠାରୁ ବଡ଼ ବିଜୟ: ଶାସ୍ତ୍ରୀ-କୋହଲି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଉଭୟ ବିଶ୍ବକପ୍ ଜିତି ସାରିଛନ୍ତି। ହେଲେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା ବିଜୟକୁ ଦୁଇ ଜଣ ଯାକ ବିଶ୍ବକପ୍‌ଠାରୁ ବଡ଼ ବିଜୟର ଆଖ୍ୟା ଦେଇଛନ୍ତି। ମଙ୍ଗଳବାରର ଐତିହାସିକ ଶୃଙ୍ଖଳା ବିଜୟ ପରେ ଖୁସିରେ ଆତ୍ମହରା କୋହଲି କହିଛନ୍ତି ଯେ ମୁଁ ୨୦୧୧ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲି। ହେଲେ ବିଶ୍ବକପ୍ ଜିତି ନଥିବାର ଭାବନା ମୋ ମନରେ ନଥିଲା। କାରଣ ଭାରତ ଆଗରୁ ଏହି ସଫଳତା ହାସଲ କରି ସାରିଥିଲା। ଘରୋଇ ପରିବେଶରେ ବିଶ୍ବକପ୍ ଜିତିବା ଅବଶ୍ୟ ମୋ ପାଇଁ ଏକ ଅଭୁଲା ଅଭିଜ୍ଞତା ଥିଲା। ତେବେ ଆପଣ ଯଦି ମୋତେ ପଚାରନ୍ତି? ଯେଉଁ ମୁହୂର୍ତ ଅଧିକ ଆବେଗପୂର୍ଣ୍ଣ ଥିଲା, ମୁଁ ନିଃସନ୍ଦେହରେ ଏହି ଶୃଙ୍ଖଳା ବିଜୟକୁ ବାଛିବି। ଅଷ୍ଟ୍ରେଲିଆକୁ ମୁଁ ତୃତୀୟ ଥର ଆସିଛି। ଏଠାରେ ଜିତିବା କେତେ କଷ୍ଟକର, ତାହା ଭଲ ଭାବରେ ଜାଣିଛି। ଗତ ୧୨ ମାସ ମଧ୍ୟରେ ଆମେ ଯେଉଁ ସଂଘର୍ଷ ଦେଇ ଗତି କରିଛୁ, ତାହା ଆମେ ହିଁ ଜାଣିଛୁ। ଅଷ୍ଟ୍ରେଲିଆରେ ଶୃଙ୍ଖଳା ବିଜୟ ସବୁବେଳେ ମୋ ଜୀବନର ଅନ୍ୟତମ ସ୍ମରଣୀୟ ଏବଂ ସ୍ବତନ୍ତ୍ର ଅଧ୍ୟାୟ ହୋଇ ରହିବ। ମୋ ପାଇଁ ଏହା ଆଜି ପର୍ଯ୍ୟନ୍ତର ଶ୍ରେଷ୍ଠ ଉପଲବ୍ଧି। ଏବେ ମୁଁ ପୂର୍ଣ୍ଣତା ଅନୁଭବ କରୁଛି। ଆମେ ଯାହା ଲକ୍ଷ୍ୟ ରଖିଥିଲୁ, ତାହା ହାସଲ କରି ପାରିଛୁ। ଗର୍ବ ଏବଂ ଖୁସିରେ ଫାଟି ପଡ଼ୁଥିବା ଶାସ୍ତ୍ରୀ ମଧ୍ୟ କୋହଲିଙ୍କ ମତକୁ ସମର୍ଥନ କରିଛନ୍ତି। ଭାବବିହ୍ବଳ କଣ୍ଠରେ ସେ କହିଛନ୍ତି ଯେ ମୋତେ ମିଳିଥିବା ଆତ୍ମସନ୍ତୋଷକୁ ମୁଁ ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ। ୧୯୮୩ ବିଶ୍ବକପ୍, ୧୯୮୫ ବିଶ୍ବ ଚାମ୍ପିଅନସିପ୍‌ଠାରୁ ଏହି ବିଜୟ ବଡ଼ ଏବଂ ବୃହତର। କାରଣ ଟେଷ୍ଟ ହିଁ କ୍ରିକେଟ୍‌ର ଅସଲ ରୂପ। ଅନ୍ୟ ଦୁଇ ଫର୍ମାଟଠୁ ଏହା ଯଥେଷ୍ଟ ଅଧିକ କଠୋର ଓ କଷ୍ଟକର। ଦଳର ସଫଳତାରେ ଗର୍ବିତ ବୋଲି ଉଭୟ କୋହଲି ଓ ଶାସ୍ତ୍ରୀ ଏହି ଅବସରରେ ମତ ରଖିଥିଲେ। ସେହିଭଳି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଯାଇ ସାଂପ୍ରତିକ ଦଳ ଅନ୍ଧାରରେ ତୀର ମାରେ ନାହିଁ ବୋଲି ଶାସ୍ତ୍ରୀ କଟାକ୍ଷ କରିଥିଲେ। ସୂଚନାଯୋଗ୍ୟ ଯେ ଶାସ୍ତ୍ରୀ ୧୯୮୩ ବିଶ୍ବକପ୍ ଖେଳିଥିଲେ। ଫାଇନାଲରେ ଖେଳି ନଥିଲେ ମଧ୍ୟ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। କୋହଲି ୨୦୧୧ରେ ଦ୍ବିତୀୟ ଥର ପାଇଁ ୫୦ ଓଭରିଆ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର