ପ୍ରମୋଦ ମୁଖୀ ‘ବିଜେତାଙ୍କ ବିଜେତା’

ଜାତୀୟ ବାହୁକୁସ୍ତିରେ ଇତିହାସ ରଚିଲା ଓଡ଼ିଶା

କଟକ: ଲକ୍ଷ୍ନୌରେ ଶେଷ ହୋଇଥିବା ୪୨ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତାରେ ଓଡ଼ିଶା ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଓଡ଼ିଶାର ପ୍ରମୋଦ ମୁଖୀ ବିଜେତାଙ୍କ ବିଜେତା (ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍ସ) ଆଖ୍ୟା ଅର୍ଜନ କରିଛନ୍ତି। ୫୫ରୁ ୯୦ କିଗ୍ରା ଓଜନ ବର୍ଗର ବିଜେତାମାନଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତଙ୍କୁ ପରାଜିତ କରି ପ୍ରମୋଦ ଏହି ସଫଳତା ପାଇଛନ୍ତି। ସେହିପରି ବ୍ୟକ୍ତିଗତ ଓଜନ ବର୍ଗରେ ଓଡ଼ିଶାକୁ ୩ ସ୍ୱର୍ଣ୍ଣ ପଦକ ମିଳିଛି। ୯୦ କିଗ୍ରା ବରିଷ୍ଠରେ ପ୍ରମୋଦ ମୁଖୀ, ଭିନ୍ନକ୍ଷମ ବିଭାଗରେ ଚନ୍ଦନ କୁମାର ବେହେରା, ୮୦ କିଗ୍ରା କନିଷ୍ଠରେ ସିପୁ ନାଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୫୫ କିଗ୍ରା କନିଷ୍ଠରେ ରାହୁଲ ମୁଖୀ, ରିଙ୍କୁ ପରିଡ଼ା, ବରିଷ୍ଠରେ ଚରଣ ନାଏକ, ୭୫ କିଗ୍ରା କନିଷ୍ଠରେ ଆକାଶ ମୁଖୀ ଓ ୧୧୦ କିଗ୍ରା ବରିଷ୍ଠରେ ଚନ୍ଦନ କୁମାର ବେହେରା ରୌପ୍ୟ ପଦକ ଜିତିଛନ୍ତି। ସେହିପରି ବରିଷ୍ଠରେ ସନ୍ତୋଷ କୁମାର ଦାସ କାଂସ୍ୟ ପଦକ ପାଇଛନ୍ତି। ଆସନ୍ତା ଅକ୍ଟୋବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ତୁର୍କିରେ ହେବାକୁ ଥିବା ବିଶ୍ୱ ବାହୁ କୁସ୍ତି ପ୍ରତିଯୋଗିତା ପାଇଁ ପ୍ରମୋଦ ଓ ଚନ୍ଦନ ମନୋନୀତ ହୋଇଛନ୍ତି। ଏହି ଖେଳାଳିମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ବାହୁକୁସ୍ତି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାରୁ ରେଫରି ଭାବେ ବିଭୂତି ଭୂଷଣ ଜେଠୀ, ପ୍ରଫୁଲ୍ଲ କୁମାର ସାହୁ, ଶଶୀକାନ୍ତ ଜେନା, ଗୌରାଙ୍ଗ ପାତ୍ର ଯୋଗଦେଇଥିଲେ। ଓଡ଼ିଶା ଖେଳାଳିଙ୍କ ସଫଳତା ପାଇଁ ରାଜ୍ୟ ସଂଘ ଅଧ୍ୟକ୍ଷ ସୁରେଶ ମହାପାତ୍ର, ସଭାପତି ବିଶ୍ୱଜିତ ମହାନ୍ତି, ସମ୍ପାଦକ କେଦାର ଷଡଙ୍ଗୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର