ହକି ସେମିରେ ହାରିଲେ ବାଳକ, ବାଳିକାଙ୍କ ବିଜୟ ଅଭିଯାନ

କଟକ: ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ହକି ପ୍ରତିଯୋଗିତାରେ ଶନିବାର ୧୭ ବର୍ଷରୁ କମ୍‌ ବାଳକ ଦଳ ସେମିଫାଇନାଲ୍‌ ହାରିଯାଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ସୁଟ୍‌ଆଉଟ୍‌ରେ ପଞ୍ଜାବଠୁ ୩-୪ ଗୋଲ୍‌ରେ ପରାସ୍ତ ହୋଇଛି। ପ୍ରଥମାର୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧର ୨୭ ମିନିଟ୍‌ରେ ପଞ୍ଜାବର ଅରଜିତ ହୁଣ୍ତାଳ ପ୍ରଥମ ଗୋଲ୍‌ ଦେଇଥିଲେ। ତେବେ ୪୦ ମିନିଟ୍‌ରେ ସୁଦୀପ କିର୍ମାକୋ ଏହି ଗୋଲ୍‌ ଶୁଝି ଦେଇଥିଲେ। ପୁଣି ୯ ମିନିଟ୍‌ ପରେ ବିକାଶ କୁଜୁର ଗୋଟିଏ ଗୋଲ୍‌ କରି ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। କିନ୍ତୁ ୫୪ ମିନିଟ୍‌ରେ ପଞ୍ଜାବର ପ୍ରଭସିମ୍ରନଜିତ ସି˚ହ ସ୍ଥିତି ବରାବର କରିଥିଲେ। ଫଳରେ ନିର୍ଧାରିତ ସମୟ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମା˚ସିତ ରହିଥିଲା। ଅନ୍ୟପକ୍ଷରେ ଶନିବାରଠୁ ମହିଳା ବିଭାଗର ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୭ ବର୍ଷରୁ କମ୍‌ ଦଳ ୫-୩ ଗୋଲ୍‌ରେ ମହାରାଷ୍ଟ୍ରକୁ ହରାଇଛି। ୧୫ ମିନିଟ୍‌ରେ ନେହା ଲାକ୍ରା ଓଡ଼ିଶା ପାଇଁ ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ମହାରାଷ୍ଟ୍ରର ରିତୁଜା ପିଶାଲ (୧୮ ଓ ୨୦ ମିନିଟ୍‌) ଏବଂ ମନଶ୍ରୀ ସ୍ନେଢଗେ (୩୭ ମିନିଟ୍‌) ତିନିଟି ଗୋଲ୍‌ ଦେଇ ଓଡ଼ିଶା ଉପରେ ଚାପ ପକାଇଥିଲେ। କିନ୍ତୁ ଓଡ଼ିଶା ବାଳିକାମାନେ ଏହାପରଠୁ ମହାରାଷ୍ଟ୍ରକୁ ଆଉ ସୁଯୋଗ ଦେଇନଥିଲେ। ୪୩, ୫୫, ୫୬ ମିନିଟ୍‌ରେ ସୋନିଆ ଟପ୍ନୋ ଓ ୫୮ ମିନିଟ୍‌ରେ ଦୀପି ଟପ୍ପୋ ଲଗାତର ଗୋଲ୍‌ କରି ମ୍ୟାଚ୍‌କୁ ନିଜ ପକ୍ଷକୁ ନେଇ ଆସିଥିଲେ। ୨୧ ବର୍ଷରୁ କମ୍‌ ମହିଳାରେ ଓଡ଼ିଶା ଓ ମହାରାଷ୍ଟ୍ର ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମା˚ସିତ ରହିଛି। ଓଡ଼ିଶା ପାଇଁ ରିଙ୍କି କୁଜୁର (୧୪ ମିନିଟ୍‌) ଓ ଦୀପ୍ତି ଲାକ୍ରା (୫୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ମହାରାଷ୍ଟ୍ର ପକ୍ଷରୁ ଦୀକ୍ଷା ପାଟିଲ (୮ ମିନିଟ୍‌) ଓ ଶ୍ରଦ୍ଧା ତିଵାରୀ (୫୮ ମିନିଟ୍‌) ଗୋଲ୍‌ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର