ଚାମ୍ପିଅନ୍ସ ଟ୍ରଫି ହକି: ଫାଇନାଲ ପାଇଁ ଭାରତକୁ ନେଦରଲାଣ୍ଡ ସହିତ ଅତି କମ୍‌ରେ ମ୍ୟାଚ ଡ୍ର ରଖିବାକୁ ହେବ

ବେଦ୍ରା (ନେଦରଲାଣ୍ଡ): ଭାରତକୁ ଚାମ୍ପିଅନ୍ସ ଟ୍ରଫି ହକିର ଫାଇନାଲରେ ପହଞ୍ଚିବା ପାଇଁ ଆୟୋଜକ ନେଦରଲାଣ୍ଡ ସହିତ ଶନିବାର ନିଜର ଶେଷ ରାଉଣ୍ଡ ରବିନ ମ୍ୟାଚ୍‌କୁ ଅତି କମ୍‌ରେ ଡ୍ର କରିବାକୁ ପଡ଼ିବ। ଆଠ ଥର ବିଜେତା ଭାରତ ମୁକାବିଲା ଜିତିବା ଅଥବା ଡ୍ର କରିବାରେ ସଫଳ ରହିଲେ, କ୍ରମାଗତ ଭାବରେ ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିବ।

ଭାରତ ଏ ପର୍ଯ୍ୟନ୍ତ ୨ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହିତ ନମ୍ବର ତାଲିକାରେ ୨ୟ ସ୍ଥାନରେ ରହିଛି। ଗତ ଥର ବିଜେତା ଏବଂ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ୧୦ ଅଙ୍କ ସହିତ ଶୀର୍ଷରେ ରହିଛି ଓ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ପହଞ୍ଚି ସାରିଛି। ୬ଟି ଦେଶକୁ ନେଇ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ରାଉଣ୍ଡ ପର୍ଯ୍ୟାୟରେ ଖେଳାଯାଇଥିବା ତାଲିକାର ପ୍ରଥମ ୨ଟି ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଫାଇନାଲରେ ସ୍ଥାନ ମିଳିଥାଏ।

ଅପରପକ୍ଷେ ନେଦରଲାଣ୍ଡକୁ ଫାଇନାଲରେ ପହଞ୍ଚିବାକୁ ହେଲେ ଏହି ଶନିବାର ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଶୁକ୍ରବାର ଅନ୍ୟତମ ଏକ ମ୍ୟାଚ ଖେଳାଯିବ, ଯାହାକି ମୂଲ୍ୟହୀନ ଅଟେ। କାରଣ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି ଓ ଆର୍ଜେଣ୍ଟିନା ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଛି।

ରାଉଣ୍ଡ ମ୍ୟାଚରେ ଗୁରୁବାର ଭାରତ ଓ ବେଲଜିୟମ ମ୍ୟାଚ ୧-୧ରେ ଡ୍ର ହୋଇଥିଲା। ପୂର୍ବରୁ ଭାରତ ୪-୦ରେ ପାକିସ୍ତାନକୁ ଓ ଅଲମ୍ପିକ ଚାମ୍ପିଅନ ଅର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଥିଲା। କିନ୍ତୁ ଭାରତକୁ ୨-୩ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର