ବିଦାହେଲେ ହକି ପ୍ରଶିକ୍ଷକ ହରେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ହରେନ୍ଦ୍ର ସିଂହ ବୁଧବାର ବିଦା ହୋଇଛନ୍ତି। ବିଶ୍ବକପ୍‌ରେ ଭାରତର ଦୁର୍ବଳ ପ୍ରଦର୍ଶନ ପାଇଁ ଦାୟୀ କରି ହକି ଇଣ୍ଡିଆ ତାଙ୍କୁ ଆଜି ଏହି ପଦରୁ ବାହାର କରି ଦେଇଛି। ସାନ୍ତ୍ବନାମୂଳକ ଭାବେ ସଂଘ ହରେନ୍ଦ୍ରଙ୍କୁ ବରିଷ୍ଠ ପରିବର୍ତେ କନିଷ୍ଠ ଦଳର ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବାକୁ କହିଛି। ହରେନ୍ଦ୍ର ଗତ ମେ’ ମାସରେ ଭାରତୀୟ ବରିଷ୍ଠ ଦଳର ପ୍ରଶିକ୍ଷକ ପଦ ଗ୍ରହଣ କରିଥିଲେ। ମାତ୍ର ୯ ମାସ ପରେ ସେ ନିଜ ପଦ ହରାଇଛନ୍ତି।
ହରେନ୍ଦ୍ରଙ୍କୁ ହଟାଇବାର କାରଣ ଦର୍ଶାଇବାକୁ ଯାଇ ହକି ଇଣ୍ଡିଆ ଏକ ପ୍ରେସ୍ ବିଜ୍ଞପ୍ତି‌ରେ କହିଛି ଯେ ଭାରତୀୟ ହକି ପାଇଁ ୨୦୧୮ ନିରାଶାଜନକ ଥିଲା। ଆମେ ଆଶାଜନକ ଫଳ ପାଇ ନଥିଲୁ। ଏବେ ଆମେ କନିଷ୍ଠ ଖେଳାଳିଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଏହା ଭବିଷ୍ୟତରେ ଆମ ପାଇଁ ଭଲ ଫଳ ଦେବ ବୋଲି ଭାବୁଛୁ। ହରେନ୍ଦ୍ର ପୂର୍ବରୁ ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ଥିଲେ। ତାଙ୍କ ତତ୍ତ୍ବାବଧାନରେ ଭାରତ କନିଷ୍ଠ ବିଶ୍ବକପ୍ ଜିତିଥିଲା। ତେବେ ବରିଷ୍ଠ ଦଳର ଭାଗ୍ୟ ବଦଳାଇବାକୁ ସେ ଅସମର୍ଥ ହେଲେ। ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ପସନ୍ଦର ଦଳ ଥିବା ସତ୍ତ୍ବେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ବିଶ୍ବକପ୍‌ରେ କ୍ବାର୍ଟର ଫାଇନାଲ ଆଗକୁ ବଢ଼ି ପାରି ନଥିଲା। ଖୁବଶୀଘ୍ର ବରିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ହକି ଇଣ୍ଡିଆ ସୂଚନା ଦେଇଛି। ବରିଷ୍ଠ ଦଳର ପ୍ରଶିକ୍ଷଣ ଶିବିର ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିଲା ବେଳେ ଏହା ପୂର୍ବରୁ ଭାରତୀୟ ଦଳ ନୂଆ ପ୍ରଶିକ୍ଷକ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ମାର୍ଚ ୨୩ରୁ ଆରମ୍ଭ ହେବାକୁ ଥିବା ସୁଲତାନ ଆଜଲାନ ସାହା ହକି ପାଇଁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ ହେବ। ଏହି ସମୟ ମଧ୍ୟରେ ହାଇପର୍ଫମାନ୍ସ ନିର୍ଦେଶକ ଡନ୍ ଡେଭିଡ୍ ଓ ଆନାଲିଟିକାଲ ପ୍ରଶିକ୍ଷକ କ୍ରିସ୍ ସିରିଏଲୋ ଯୁଗ୍ମଭାବେ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ୨୦୨୧ କନିଷ୍ଠ ବିଶ୍ବକପ୍ ସହ ୨୦୨୦ ଓ ୨୦୨୪ ଅଲିମ୍ପିକ୍ସକୁ ଆଖି ଆଗରେ ରଖି ହକି ଇଣ୍ଡିଆ ହାଇପର୍ଫମାନ୍ସ ବିକାଶ ସମିତିର ବୈଠକରେ ହରେନ୍ଦ୍ରଙ୍କୁ କନିଷ୍ଠ ଦଳର ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ବୈଠକରେ ସମିତି ଅଧ୍ୟକ୍ଷ ଆରପି ସିଂହ, ଅଲିମ୍ପିଆନ୍ ହରବିନ୍ଦର ସିଂହ, ବିପି ଗୋବିନ୍ଦ ଓ ସୟଦ ଅଲ୍ଲୀ ଉପସ୍ଥିତ ଥିଲେ। ସମିତିର ପ୍ରସ୍ତାବ ନେଇ ହରେନ୍ଦ୍ର କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ୨୦୧୬ରେ ହରେନ୍ଦ୍ରଙ୍କ ପ୍ରଶିକ୍ଷଣରେ ଭାରତ କନିଷ୍ଠ ବିଶ୍ବକପ୍ ଜିତିଥିଲା। ଜାକର୍ତା ଏସୀୟ କ୍ରୀଡ଼ା ପୂର୍ବରୁ ମହିଳା ଦଳର ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କୁ ହଟାଇ ହକି ଇଣ୍ଡିଆ ତାଙ୍କୁ ବରିଷ୍ଠ ପୁରୁଷ ହକି ଦଳର ଦାୟିତ୍ବ ଦେଇଥିଲା। ଭାରତୀୟ ହକି ଦଳର ପ୍ରଶିକ୍ଷକଙ୍କୁ ବାରମ୍ବାର ବଦଳଯିବାକୁ କିନ୍ତୁ ବହୁ ପୂର୍ବତନ ଖେଳାଳି ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର