ଫିକା ପଡିପାରେ ହକି ଫାଇନାଲ ! ଉଦଯାପନୀ ଉତ୍ସବରେ ଦେଖିବାକୁ ମିଳିବେନି ବଲିଉଡ୍ ଷ୍ଟାର ଓ କ୍ରିକେଟ୍ ତାରକା

ଭୁବନେଶ୍ବର:  ଫିକା ପଡ଼ିପାରେ ହକି ବିଶ୍ୱକପ ଉଦଯାପନୀ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବନି ଷ୍ଟାର କ୍ରେଜ । ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ ଫାଇନାଲର ଉଦଯାପନୀ ଉତ୍ସବରେ କୌଣସି ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ଦେଖିବାକୁ ମିଳିବ ନାହିଁ । ଏପରିକି ଷ୍ଟାଡିୟମରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ସୂଚନା ମିଳିଛି । ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦଯାପନୀ ଉତ୍ସବର ଅତିଥି ଭାବେ ଦେଖିବାକୁ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ହକିର ଉଦଯାପନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ବଲିଉଡ ତାରକାଙ୍କ ଭିଡ ଦେଖିବାକୁ ମିଳିବ ବୋଲି ଖବର ସାମ୍ନାକୁ ଆସିଥିଲା । ଉଦଯାପନୀ ଉତ୍ସବ ଏମିତି ହେବ ଯେ ପୂର୍ବରୁ ମଧ୍ୟ ଏଭଳି କେହି ଦେଖିନଥିବେ ।

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ, କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ସାହିଦ କପୁର, ଅମୀର ଖାନ୍, ରାହୁଲ ଦ୍ରାବିଡଙ୍କ ଭଳି ବଡ ବଡ ତାରକା ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖି ଏମାନଙ୍କୁ ଅନୁରୋଧ କରାଯାଇଥିବା କିଛି ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା ।

ଉଦଯାପନୀ ଉତ୍ସବରେ ବଡ ବଡ ନାମୀଦାମୀ ଷ୍ଟାରଙ୍କୁ ପାଖରେ ଦେଖିବାର ସୁଯୋଗ ମିଳିବ ବୋଲି ଆଶା ବାନ୍ଧି ବସିଥିଲେ ଦର୍ଶକ । ଖାସ୍ ଏଥିପାଇଁ ଫାଇନାଲ ମ୍ୟାଚର ଟିକେଟ ମଧ୍ୟ ବିକ୍ରି ହେଉ ହେଉ ଶେଷ ହୋଇଯାଇଥିଲା । ଏତେ ବଡ ଷ୍ଟାର ମାନଙ୍କୁ ପାଖରୁ ଦେଖିବା ପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥିଲା । କିନ୍ତୁ ଉଦଯାପନୀ ଉତ୍ସବରେ କୌଣସି ବଡ ଷ୍ଟାର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର