ହକି ହସେଇଛି ଅଧିକ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାର ୬୭ ବର୍ଷ ଇତିହାସରେ ଭାରତକୁ ଯେଉଁ ଦଳଗତ ଖେଳଟି ସର୍ବାଧିକ ସଫଳତା ଦେଇଛି ତାହା ହକି ଛଡ଼ା ଆଉ କେହି ହୋଇନପାରେ। ଅଲିମ୍ପିକ୍‌ କୀର୍ତିମାନ ରଖିଥିବା ଭାରତ ଅବଶ୍ୟ ଏସୀୟ ବେଳକୁ ପଛରେ ରହିଛି। ତୃତୀୟ ଶ୍ରେଷ୍ଠ ହୋଇଛି ଏସୀୟ କ୍ରୀଡ଼ାରେ। ଭାରତ ୪ ଥର ସ୍ୱର୍ଣ୍ଣ, ୧୦ ଥର ରୌପ୍ୟ ଏବଂ ୫ ଥର କାଂସ୍ୟ ପଦକ ହାସଲ କରିଛି ଏହି ଖେଳରୁ। ସର୍ବାଧିକ ୧୯ ପଦକ ଜିତିବାର କୀର୍ତିମାନ ଭାରତ ନାମରେ ରହିଥିଲେ ମଧ୍ୟ ଦଳଗତ ଶ୍ରେଷ୍ଠ ରହିଛି ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆ ୧୫ ପଦକ ଜିତିଥିଲେ ମଧ୍ୟ ୯ ଥର ସ୍ୱର୍ଣ୍ଣ ଜିତିଥିବାରୁ ଏହି ଗୌରବ ଅର୍ଜନ କରିଛି। କୋରିଆ ୪ ଥର ରୌପ୍ୟ ଏବଂ ୨ ଥର କାଂସ୍ୟ ପଦକ ହାସଲ କରିଛି। ଦ୍ୱିତୀୟ ଶ୍ରେଷ୍ଠ ଦଳ ହେଉଛି ପାକିସ୍ତାନ। ଷାଠିଏ ଓ ସତୁରି ଦଶକରେ ପ୍ରାଧାନ୍ୟ ବିସ୍ତାର କରିଥିବା ପାକିସ୍ତାନ ୮ ଥର ସ୍ୱର୍ଣ୍ଣ ଜିତିଥିବା ବେଳେ ୩ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହିତ ୧୪ ପଦକ ଜିତିଛି। ଚୀନ୍‌ ୩ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ସହିତ ୮ ପଦକ ଏବଂ ଜାପାନ ୩ ରୌପ୍ୟ ଓ ୫ କାଂସ୍ୟ ସହିତ ସମାନ ୮ ପଦକ ଜିତିଛନ୍ତି। ମାଲେସିଆ ଥରେ ରୌପ୍ୟ ଏବଂ ୭ ଥର କାଂସ୍ୟ ପଦକ ଜିତିଛି। ଏହି ୬ ଦେଶ ଛଡ଼ା ଅନ୍ୟ କୌଣସି ଦେଶକୁ ହକି ପଦକ ମିଳିନାହିଁ।
ଭାରତ ଯେଉଁ ୧୯ ପଦକ ଜିତିଛି ସେଥିରେ ପୁରୁଷ ଦଳ ୩ ଥର ସ୍ୱର୍ଣ୍ଣ ଏବଂ ମହିଳା ଦଳ ଥରେ ସ୍ୱର୍ଣ୍ଣ ବିଜୟର ଗୌରବ ରଖିଛନ୍ତି। ମହିଳା ଦଳ ୧୯୮୨ ମସିହାରେ ଥରେମାତ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୯୯୮ରେ ଭାରତକୁ ରୌପ୍ୟ ମିଳିଥିବା ବେଳେ ୧୯୮୬, ୨୦୦୬ ଏବଂ ୨୦୧୪ରେ ୩ ଥର କାଂସ୍ୟ ପଦକ ହାସଲ କରିଛି। ପୁରୁଷ ଦଳ କିନ୍ତୁ ହକି ପଦାର୍ପଣଠୁ ପଦକ ଅଭିଯାନ ଆରମ୍ଭ କରିଥିଲା। ୧୯୫୮ରୁ ୧୯୯୦ ମଧ୍ୟରେ ଅନୁଷ୍ଠିତ ୯ ସଂସ୍କରଣ ମଧ୍ୟରୁ ୮ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍‌ ଖେଳାଯାଇଥିଲା।

ଭାରତ କିନ୍ତୁ ଏହି ୯ ଥର ମଧ୍ୟରୁ ଥରେମାତ୍ର (୧୯୬୬, ବ୍ୟାଙ୍କକ୍‌) ସ୍ୱର୍ଣ୍ଣ ପଦକ ଛଡ଼ାଇପାରିଥିଲା ପାକିସ୍ତାନଠୁ। ବହୁ ପ୍ରତୀକ୍ଷା ପରେ ୧୯୯୮ ମସିହାରେ ସେହି ବ୍ୟାଙ୍କକ୍‌ରେ ହିଁ ଭାରତ ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ଅତିରିକ୍ତ ସମୟ ପରେ ପେନାଲ୍‌ଟିରେ ୪-୨ (୧-୧) ଗୋଲ୍‌ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା। ତୃତୀୟ ତଥା ଶେଷ ଥର ପାଇଁ ଭାରତ ୪ ବର୍ଷ ତଳେ ଇଞ୍ଚିଅନ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ସମାନ ଢଙ୍ଗରେ ପେନାଲ୍‌ଟିରେ ୪-୨ (୧-୧)ରେ ହରାଇ ସ୍ୱର୍ଣ୍ଣ ବିଜେତା ହୋଇଥିଲା। ଏହା ଛଡ଼ା ଭାରତୀୟ ପୁରୁଷ ଦଳ ୯ ଥର ରୌପ୍ୟ (୧୯୫୮, ୧୯୬୨, ୧୯୭୦, ୧୯୭୪, ୧୯୭୮, ୧୯୮୨, ୧୯୯୦, ୧୯୯୪, ୨୦୦୨) ଏବଂ ୨ ଥର କାଂସ୍ୟ (୧୯୮୬, ୨୦୧୦) ପଦକ ହାସଲ କରିଥିଲା। ପୁରୁଷ ହକିର ୧୫ ସଂସ୍କରଣରୁ ଭାରତ ୧୪ ଥର ପଦକ ଜିତିବା ମଧ୍ୟ ଦଳର ସ୍ଥିରତା ଦେଖାଇଛି। କେବଳ ୨୦୦୬ରେ ଭାରତ ପଞ୍ଚମରେ ରହି ଥରେ ମାତ୍ର ନିରାଶ କରିଛି। ୧୯୮୨ ମସିହାରୁ ମହିଳା ହକି ସାମିଲ ହୋଇଥିବା ବେଳେ ୯ ଥର ମଧ୍ୟରୁ ୫ ଥର ପଦକ ଜିତିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର