ହକି ପାଇଁ ହୃତ୍‌ ସ୍ପନ୍ଦନ

ବାଜିଲା ବିଶ୍ୱକପ୍‌ ବିଗୁଲ  ୯୦ ଦିନିଆ ଅବଗଣନା ଆରମ୍ଭ

ଭୁବନେଶ୍ୱ: ହକି ବିଶ୍ୱକପ୍‌ ବିଗୁଲ ବୁଧବାର ବାଜିଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିଶ୍ୱକପ୍‌ର ନବେ ଦିନିଆ ଅବଗଣନା ଆରମ୍ଭ କରିଛନ୍ତି। ସେହିଭଳି ପବିତ୍ର କ୍ରୀଡ଼ା ଦିବସ ଅବସରରେ ‘ହକି ପାଇଁ ହୃତ୍‌ ସ୍ପନ୍ଦନ’ ନାମକ ଏକ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଓଡ଼ିଶା ସହ ସମଗ୍ର  ଦେଶରେ ଆରମ୍ଭ ହୋଇ ଯାଇଛି। ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ହକି ପ୍ରତି ସେହି ପୁରୁଣା ଭଲ ପାଇବା ଏବଂ ପାଗଳାମି ସୃଷ୍ଟି କରିବା ସହ ୧୨୫ କୋଟି ଭାରତୀୟଙ୍କ ହୃଦୟରେ ହକିକୁ ସ୍ଥାନ ଦେବା। ଏଥିରେ ଭାରତୀୟ ହକି ଦଳର ସଦସ୍ୟ ହକି ପାଇଁ ମୋ ହୃଦୟ ସ୍ପଦନ କରୁଛି। ଆଉ ଆପଣଙ୍କର? ବାର୍ତା ଦେଇ ବିଶ୍ୱକପ୍‌ ପାଇଁ ସମର୍ଥନ ଆହ୍ଵାନ କରୁଛନ୍ତି। ବୁଧବାରର କାର୍ଯ୍ୟକ୍ରମ ଅବସରରେ ଏଥିନେଇ ପ୍ରସ୍ତୁତ ହୋଇଥିବା ଭିଡିଓର ଉନ୍ମୋଚନ କରାଯାଇଥିଲା। ଅବଗଣନାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଆଜି ଏକ ‘ଅବଗଣନା ଘଡ଼ି’ ବା କାଉଣ୍ଟ ଡାଉନ୍‌ କ୍ଲକ୍‌ର ଉନ୍ମୋଚନ କରିଛନ୍ତି। ଏହା ଆସନ୍ତା ୯୦ ଦିନ ପର୍ଯ୍ୟନ୍ତ ବିଶ୍ୱକପ୍‌ ଅବଗଣନାକୁ ଦର୍ଶାଇବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ ଓଡ଼ିଶା ହକି ବିଶ୍ୱକପ୍‌ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ମୋତେ ଢେର ଆତ୍ମସନ୍ତୋଷ ଦେଇଛି। ଏହି ଅଭିଯାନର ନାଁ ‘ହକି ପାଇଁ ହୃଦ୍‌ ସ୍ପନ୍ଦନ’ ରଖା ଯାଇଛି। ମୁଁ ଆପଣଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇପାରେ ଯେ ମୋ ହୃଦୟ ହକି ପାଇଁ ହିଁ ସ୍ପନ୍ଦିତ ହେଉଛି। ମୁଁ ମଧ୍ୟ ଏହା ଜୋରଦେଇ କହିପାରେ ଯେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ହକି ପାଇଁ ସ୍ପନ୍ଦିତ ହୁଏ।  ଏହି ଅଭିଯାନରେ ଯୋଗଦେବାକୁ ମୁଁ ସମସ୍ତ ଭାରତୀୟଙ୍କୁ ଆହ୍ଵାନ କରୁଛି। ଆସନ୍ତୁ, ହକିକୁ ୧୦୦ କୋଟି ହୃଦୟ ସମର୍ପିବା।

ସମ୍ବନ୍ଧିତ ଖବର