ଜନ୍‌ଙ୍କୁ ବିଦା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ଇଣ୍ଡିଆର ହାଇ ପରଫର୍ମାନ୍ସ ନିର୍ଦେଶକ ଡେଭିଡ୍ ଜନଙ୍କୁ ନୂଆ ସଭାପତି ମୁସ୍ତାକ୍ ଅହମ୍ମଦ ଚୟନ ସମିତିରୁ ବିଦା କରି ଦେଇଛନ୍ତି। କିଛି ବରିଷ୍ଠ ଖେଳାଳିଙ୍କ ସମ୍ପର୍କରେ ସାଧାରଣରେ ସମାଲୋଚନା କରିଥିବାରୁ ଜନ୍‌ଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏସୀୟ କ୍ରୀଡ଼ାରେ ଭାରତ ଆଶାଜନକ ପ୍ରଦର୍ଶନ କରିନପାରିବା ପରେ ଜନ୍ ମିଡିଆ ସମ୍ମୁଖରେ କିଛି ବରିଷ୍ଠ ଖେଳାଳିଙ୍କ୍ୁ ସମାଲୋଚନା କରିଥିଲେ। ଏହା ହକି ଇଣ୍ଡିଆ ନୀତିର ଉଲ୍ଲଂଘନ ଥିଲା ବୋଲି ମୁସ୍ତାକ୍ କହିଛନ୍ତି। ଫଳରେ ଭୁବନେଶ୍ବର ହକି ବିଶ୍ବକପ୍ ପାଇଁ ଭାରତୀୟ ଚୂଡାନ୍ତ ଦଳ ଚୟନରେ ସେ ଅଂଶ ରହିବେ ନାହିଁ। କିନ୍ତୁ ସେ କୌଣସିଭାବେ ଭାରତୀୟ ଦଳର ଚୟନ ପ୍ରକ୍ରିୟାରେ ସାମିଲ ରହିବେ ନାହିଁ ବୋଲି ଏହି କଠୋର ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି। ବିଗତ ୨ ବର୍ଷ ଭିତରେ ସେ କ’ଣ କରିଛନ୍ତି ବୋଲି ତାଙ୍କଠାରୁ ରିପୋର୍ଟ ମାଗିବାକୁ ମଧ୍ୟ ମୁସ୍ତାକ ହକି ଇଣ୍ଡିଆର ସମ୍ପାଦକ ରାଜିନ୍ଦର ସିଂହଙ୍କୁ କହିଛନ୍ତି। କିନ୍ତୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ ଚୁକ୍ତି ସୁରକ୍ଷିତ ରହିଛି‌ ବୋଲି ଜଣେ ହକି ଇଣ୍ଡିଆ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ଜନ୍ ଏସିଆଡ୍‌ ପ୍ରଦର୍ଶନ ପାଇଁ ଖେଳାଳିଙ୍କଠାରୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହକି ଇଣ୍ଡିଆର ମଙ୍ଗଳବାର ନିଷ୍ପତ୍ତି ପୂର୍ବରୁ ସେ ଯୁବ ଅଲିମ୍ପିକ୍ସ ପାଇଁ ଦଳ ସହ ମଧ୍ୟ ଆର୍ଜେଣ୍ଟିନା ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର