ହକି ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ:୧୪ ଦଳ, ୭ ପ୍ରତିଯୋଗିତା

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସର ମହିଳା ଓ ପୁରୁଷ ହକି ଯୋଗ୍ୟତା ପର୍ଯ୍ୟାୟରେ ୧୪ ଦଳ ଅଂଶ ଗ୍ରହଣ କରିବେ। ଏଥିରେ ୭ ପ୍ରତିଯୋଗିତା ରହିବ ଏବଂ ଏହା ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ମହାଦେଶୀୟ ବିଜେତା ଏବଂ ଆୟୋଜକ ଜାପାନ କିନ୍ତୁ ସିଧାସଳଖ ଏଥିଲାଗି ଯୋଗ୍ୟତା ହାସଲ କରିବେ। ହକି ପ୍ରୋ ଲିଗ୍‌ର ଶ୍ରେଷ୍ଠ ୪ ଦଳ ଏବଂ ହକି ସିରିଜ୍ ଫାଇନାଲ୍ସରୁ ୬ ଦଳ ଅଲିମ୍ପିକ୍ସ ଟିକେଟ୍ ପାଇବେ। ମହାଦେଶୀୟ ପ୍ରତିଯୋଗିତା ଶେଷ ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ମାନ୍ୟତାର ଶୀର୍ଷ ଦୁଇ ସ୍ଥାନରେ ରହିଥିବା ଦଳ ମଧ୍ୟ ଅଲିମ୍ପିକ୍ସକୁ ଯିବାର ସୁଯୋଗ ପାଇବେ। ଏହି ତିନିଟି ମାମଲା ବ୍ୟତୀତ ଯଦି କୌଣସି ଦଳ ମହାଦେଶୀୟ ବିଜେତା ଭାବେ ଯୋଗ୍ୟତା ଅର୍ଜନ କରିନିଏ, ତାହାଲେ ପରବର୍ତୀ ମାନ୍ୟତା ଦଳକୁ ଏହି ସୁଯୋଗ ମିଳିବ। ଜାପାନ ଆୟୋଜକ ଦେଶ ସହ ଏସୀୟ କ୍ରୀଡ଼ା ବିଜେତା ଭାବେ ଉଭୟ ମହିଳା ଏବଂ ପୁରୁଷ ବର୍ଗର ଟି‌କେଟ ପାଇସାରିଛି। ସେଥିପାଇଁ ଉଭୟ ପୁରୁଷ ଏବଂ ମହିଳା ବର୍ଗ ଯୋଗ୍ୟତା ପର୍ଯ୍ୟାୟରୁ ଅଲିମ୍ପିକ୍ସ ଯିବା ଦଳ ସଂଖ୍ୟା ୬ରୁ ୭କୁ ବଢ଼ିଛି। ଯୋଗ୍ୟତା ପର୍ଯ୍ୟାୟରେ ଥିବା‌ ୧୪ ଦଳ ମଧ୍ୟରୁ ଦୁଇଟି ଲେଖାଏଁ ଦଳକୁ ନେଇ ଯୋଡ଼ା ପ୍ରସ୍ତୁତ ହେବ। ସେମାନେ ନିଜ ନିଜ ଭିତରେ ଦୁଇଟି ମ୍ୟାଚ୍ ଖେଳିବେ। ସେଥିମଧ୍ୟରୁ ଯେଉଁ ଦଳ ଅଧିକ ମ୍ୟାଚ୍ ଜିତିବ ସେହି ଦଳ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବ। ବିଶ୍ବ ମାନ୍ୟତାର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନରେ ଥିବା ଦଳ ଅଷ୍ଟମ, ନବମ, ଦଶମ ଓ ଏକାଦଶ ସ୍ଥାନରେ ଥିବା ଦଳଗୁଡ଼ିକ ମଧ୍ୟରୁ ଗୋଟିଏ ଦଳ ବିପକ୍ଷରେ ଖେଳିବେ।

ଭୁବନେଶ୍ବର ପ୍ରଥମ ପସନ୍ଦ
ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାର ଅଧିକ ସମ୍ଭାବନା ରହିଛି। ହକି ଇଣ୍ଡିଆ ଏଥିନେଇ ଏକ ପ୍ରସ୍ତାବ ଏଫ୍‌ଆଇଏଚ୍‌କୁ ପଠାଇ ସାରିଛି। ପୁରୁଷ ସହ ସମାନ୍ତରାଳ ଭାବେ ଏଠାରେ ମହିଳା ଯୋଗ୍ୟତା ପର୍ଯ୍ୟାୟ ବି ଖେଳାଯାଇପାରେ। ତେବେ ଏଥିନେଇ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସେପ୍ଟେମ୍ବର ୮ ପରେ ଯାଇ ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯିବ। ଭୁବନେଶ୍ବରରେ ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୮ ଦଳୀୟ ହକି ସିରିଜ୍ ଫାଇନାଲ୍ କିନ୍ତୁ ଭାରତ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାର ପ୍ରଥମ ସୁଯୋଗ ହେବ। କାରଣ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଟୋକିଓ ଅଲିମ୍ପିକ୍ସ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଭାରତ ସହ ଏହି ପ୍ରତିଯୋଗିତାରେ ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ଉଜବେକିସ୍ତାନ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର