ଭୁବନେଶ୍ବର ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଦ୍ବିତୀୟ ସଂସ୍କରଣ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି। ପାଖାପାଖି ୬ ମାସ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରତି ଦଳ ଲିଗ୍ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍ ଖେଳିବେ। ଘରେ ୮ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ଖେଳିବେ। ଶ୍ରେଷ୍ଠ ୪ ଦଳ ଟ୍ରଫି ମୁକାବିଲା ଦୌଡ଼ରେ ରହିବେ। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ଲାଗି ଖେଳିବ। ପ୍ରଥମ ମ୍ୟାଚ୍ରେ ଭାରତ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ଭେଟିବ। ପଦାର୍ପଣ ପ୍ରୋ-ଲିଗ୍ରେ ଘରୋଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ବିଶ୍ବ ମାନ୍ୟତାରେ ଭାରତ ପଞ୍ଚମ ସ୍ଥାନରେ ଥିଲା ବେଳେ ନେଦରଲାଣ୍ଡ୍ସ ତୃତୀୟରେ ରହିଛି। ଏଥିସହ ଭାରତକୁ ଭୁବନେଶ୍ବରରେ ଅନୁଷ୍ଠିତ ବିଶ୍ବକପ୍ କ୍ବାର୍ଟର୍ ଫାଇନାଲ୍ରେ ନେଦରଲାଣ୍ଡ୍ସ ହରାଇ ବିଦାୟ ରାସ୍ତା ଦେଖାଇବା ସହ ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ଭାରତ ବିଶ୍ବକପ୍ କ୍ବାର୍ଟର୍ ଫାଇନାଲ୍ରୁ ବିଦାୟ ନେଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ହିଁ ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିଥିଲା। ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚ୍ରେ ଘରୋଇ ଦର୍ଶକଙ୍କ ସମର୍ଥନରେ ଭାରତ ୧୧-୩ ଗୋଲ୍ରେ ରୁଷିଆକୁ ମାତ୍ ଦେଇଥିଲା। ଫଳରେ ଚଳିତ ସପ୍ତାହର ଶେଷ ଦୁଇ ଦିନ କଳିଙ୍ଗରେ ସ୍ଥାନୀୟ ଦର୍ଶକ ଚମତ୍କାର ହକି ଦେଖିବାର ସୁଯୋଗ ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ଭଲ ଆରମ୍ଭ ଲକ୍ଷ୍ୟରେ ଅଛୁ: ରିଡ୍
ପ୍ରଥମ ଥର ଲାଗି ଆମେ ପ୍ରୋ-ଲିଗ୍ରେ ଖେଳିବାକୁ ଯାଉଛି। ଆଗକୁ ଅଲିମ୍ପିକ୍ସ ରହିଛି। ଏହି ପ୍ରତିଯୋଗିତା ଆମ ପାଇଁ ଅଲିମ୍ପିକ୍ସ ପୂର୍ବ ପ୍ରସ୍ତୁତି। ଭଲ ଆରମ୍ଭ କରିବା ଲକ୍ଷ୍ୟରେ ରହିଛୁ ବୋଲି ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଭାରତର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍। ଅଲିମ୍ପିକ୍ସ ପୂର୍ବରୁ ଏହି ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୮ ଦଳ ବିପକ୍ଷରେ ଖେଳିବାର ସୁଯୋଗ ରହିଛି। ଯାହା ଅଲିମ୍ପିକ୍ସ ପାଇଁ ଆମର ବଡ଼ ପ୍ରସ୍ତୁତି ହେବ। ଆମ ବିପକ୍ଷରେ ଉଦ୍ଘାଟନୀ ମୁକାବିଲାରେ ବିଶ୍ବ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ଦଳ ରହିଛି। ଏହି ଦଳଠୁ ଆମେ ବିଶ୍ବକପ୍ରେ ହାରିଥିଲୁ। ଏହା ସବୁ ଅତୀତ ହୋଇଯାଇଛି। ଆମ ଦଳ ଭୁବନେଶ୍ବରରୁ ଟୋକିଓ ଟିକେଟ୍ ହାସଲ କରିଥିଲା। ଦର୍ଶକଙ୍କ ସମର୍ଥନ ମଧ୍ୟ ଆମ ସହ ରହିବ। ଏଠାରେ ଅଭ୍ୟାସ ଶିବିର ମଧ୍ୟ ଭଲ ଥିଲା। ଶନିବାର ଓ ରବିବାର ମ୍ୟାଚ୍ରେ ଆମ ପିଲାମାନେ ନିଜ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବେ ବୋଲି ମୋର ବିଶ୍ବାସ ରହିଛି। ବିଜୟରୁ ପ୍ରୋ-ଲିଗ୍ ଅଭିଯାନ ଲକ୍ଷ୍ୟ ଅଛି ବୋଲି ରିଡ୍ କହିଛନ୍ତି।
ପ୍ରତି ମ୍ୟାଚ୍ ଫାଇନାଲ୍ ଭଳି: ମନ୍ପ୍ରୀତ
ବିଶ୍ବକପ୍ରେ ଆମେ ଅଳ୍ପ ବ୍ୟବଧାନରେ ନେଦରଲାଣ୍ଡଠୁ ହାରିଥିଲୁ। ଏହି ଦଳ ମଧ୍ୟ ବିଶ୍ବମାନ୍ୟତାରେ ଆମଠୁ ଉଚ୍ଚରେ ରହିଛି। ହକିରେ ମାନ୍ୟତାରେ କିଛି ନଥାଏ। ନିକଟରେ ଅଷ୍ଟ୍ରେଲିଆକୁ ଜାପାନ ହରାଇ ଦେଇଥିଲା। ଏପରି ଦେଖିଲେ ମ୍ୟାଚ୍ ଦିନର ପ୍ରଦର୍ଶନ ହିଁ ଫଳ ଦେଇଥାଏ। ଏବେ ଭାରତ ଭଲ ଖେଳି ଆସୁଛି। ଆମେ ବିଶେଷ କରି ଖେଳାଳିଙ୍କ ଫିଟ୍ନେସ୍ ଉପରେ ଧ୍ୟାନ ରଖିଛୁ। ପ୍ରତି ମ୍ୟାଚ୍ ଆମ ପାଇଁ ଫାଇନାଲ୍ ପରି ହୋଇଥାଏ। ଆମେ ସେହିପରି ପ୍ରସ୍ତୁତ ରହୁ ଏବଂ ଶନିବାର ଓ ରବିବାର ମ୍ୟାଚ୍ରେ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ମନ୍ପ୍ରୀତ ସିଂହ।
ବିଜୟ ପାଇଁ ଖେଳିବୁ: କାଲଡସ୍
ଆମେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ବହୁତ ଖୁସି। ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ପ୍ରଥମ ସଂସ୍କରଣରେ ଆମେ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲୁ। ଚଳିତ ବର୍ଷ ଏଥିରେ ଉନ୍ନତି କରିବା ଲାଗି ଲକ୍ଷ୍ୟ ରଖିଛୁ। ଆଗକୁ ଅଲିମ୍ପିକ୍ସ ଥିବାରୁ ଚଳିତ ସଂସ୍କରଣର ଗୁରୁତ୍ବ ବଢ଼ିଛି। ଏହି ପ୍ରତିଯୋଗିତାରେ ସମସ୍ତ ଶ୍ରେଷ୍ଠ ଦଳ ଖେଳୁଛନ୍ତି। କୌଣସି ଦଳକୁ ହେୟ କରିବୁନି, ବିଜୟ ପାଇଁ ଖେଳିବୁ ବୋଲି କହିଛନ୍ତି ନେଦରଲାଣ୍ଡ ମୁଖ୍ୟ ପ୍ରଶିକ୍ଷକ ମ୍ୟାକ୍ସ କାଲ୍ଡାସ। ବିଶ୍ବକପ୍ରେ ଭାରତକୁ ଏଠାରେ ହରାଇଥିଲୁ। ହେଲେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଯେ କୌଣସି ଦଳକୁ ମାତ୍ ଦେବାର କ୍ଷମତା ରଖିଛି ଭାରତ। ଆମ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦୃଢ଼ ରହିଛି। ଅଭ୍ୟାସ ମଧ୍ୟ ଏଠାରେ ଭଲ ହୋଇଛି ବୋଲି କହିଛନ୍ତି କାଲ୍ଡାସ।
ଶତ ପ୍ରତିଶତ ଦେବାକୁ ପ୍ରସ୍ତୁତ: ବାକର
ଆମେ ବିଶ୍ବକପ୍ ପରଠୁ ଭାରତ ବିପକ୍ଷରେ ଖେଳିନୁ। ଏହା ମଧ୍ୟରେ ଏହି ଦଳରେ ନୂଆ ଖେଳାଳି ପ୍ରବେଶ କରିଛନ୍ତି। ବିପକ୍ଷ ଦଳ ଏବେ କେମିତି ଅଛି ଜାଣିନୁ। ଭାରତୀୟ ଦଳ ବୈଷୟିକ ଦୃଷ୍ଟିକୋଣରୁ ବହୁତ ଭଲ। ଶ୍ରେଷ୍ଠ ଦଳ ନେଇ ଏଠାକୁ ଆସିଛୁ। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହା ଆମ ପାଇଁ ପ୍ରସ୍ତୁତ ହେବାର ସୁଯୋଗ ଥିବାରୁ ଖେଳାଳିମାନେ ମ୍ୟାଚ୍ ଦିନ ଶତ ପ୍ରତିଶତ ପ୍ରଦର୍ଶନ ଦେବେ ବୋଲି ଆଶା ରଖିଥିବା କହିଛନ୍ତି ନେଦରଲାଣ୍ଡ୍ସ ଅଧିନାୟକ ବିଲ୍ଲି ବାକର।