ଭାରତୀୟ ମହିଳା ହକି ଦଳର ଦ୍ୱିତୀୟ ପରାଜୟ

ମାଦ୍ରିଦ୍‌ (ସ୍ପେନ୍‌): ସ୍ପେନ୍‌ ଗସ୍ତରେ ପ୍ରଥମ ବିଜୟ ପାଇବା ପରେ ଭାରତୀୟ ମହିଳା ହକି ଦଳ ପୁଣି ଝୁଣ୍ଟିଲା। ବିଶ୍ୱ ମାନ୍ୟତାର ଦଶମ (ଭାରତ) ଓ ଏକାଦଶ (ସ୍ପେନ୍‌) ମଧ୍ୟରେ ଆୟୋଜିତ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୦-୧ ଗୋଲ୍‌ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖିଥିବା ଭ୍ରମଣକାରୀ ଭାରତ ଅଧିନାୟିକା ରାଣୀ ରାମ୍‌ପଲ୍‌ଙ୍କ ଗୋଲ୍‌ ବଳରେ ତୃତୀୟ ମ୍ୟାଚ୍‌କୁ ୩-୨ରେ ଜିତି ସ୍ଥିତି ୧-୧ କରିଥିଲା। ହେଲେ ଶନିବାର ରାତିରେ ଖେଳିଥିବା ଚତୁର୍ଥ ମ୍ୟାଚ୍‌ରେ ହାରିଗଲା। ଘରୋଇ ସ୍ପେନ୍‌ ଏହି ମ୍ୟାଚ୍‌ରେ ଭାରତକୁ ୪-୧ ଗୋଲ୍‌ରେ ପରାସ୍ତ କରିଦେଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ସ୍ପେନ୍‌ ୨-୧ରେ ଆଗେଇ ଗଲା। ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଉଦିତା ୨୨ ମିନିଟ୍‌ରେ କରିଥିଲା ବେଳେ ବିଜୟୀ ସ୍ପେନ୍‌ ପକ୍ଷରୁ ଲୋଲା ରିରା (୧୦ ଓ ୩୪ ମିନିଟ୍‌) ଦୁଇଟି, ଲୁସିଆ ଜିମେନେଜ୍‌ (୧୯ ମିନିଟ୍‌) ଓ କାର୍ମେନ୍‌ କାନୋ (୩୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଲୋଲା ରିରା ଦୁଇଟିଯାକ ଗୋଲ୍‌ ପେନାଲ୍‌ଟି କର୍ନର ଜରିଆରେ ଦେଇଥିଲେ। ୪ ମ୍ୟାଚ୍‌ ଶେଷରେ ସ୍ପେନ୍‌ଠୁ ୧-୨ରେ ପଛରେ ପଡ଼ିଯାଇଥିବା ଭାରତ ପାଇଁ ଶୃଙ୍ଖଳା ବରାବର କରିବା ପାଇଁ ଏବେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ‘କର ବା ମର’ ପାଲଟି ଯାଇଛି। ପଞ୍ଚମ ମ୍ୟାଚ୍‌ ସୋମବାର ରାତିରେ ଖେଳାଯିବ।

ସମ୍ବନ୍ଧିତ ଖବର