ହକି: ସ୍ୱର୍ଣ୍ଣ ଦୌଡ଼ରେ ମହିଳା ଦଳ

ଜାକର୍ତା: ଦୀର୍ଘ ୨୦ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ା ଫାଇନାଲ୍‌ରେ ପ୍ରବେଶ କରିଛି। ୧୯୯୮ ବ୍ୟାଙ୍କକ୍‌ କ୍ରୀଡ଼ାରେ ଫାଇନାଲ୍‌ ଖେଳିବା ପରଠୁ ଭାରତୀୟ ମହିଳା ଦଳ ଆଉ ଏହି ସୁଯୋଗ ପାଇନଥିଲେ। ହେଲେ ଚଳିତ ଅଷ୍ଟାଦଶ ସଂସ୍କରଣରେ ୨୦ ବର୍ଷ ତଳର ପୁନରାବୃତ୍ତି ଘଟାଇଛନ୍ତି। ତେବେ ଏସୀୟ କ୍ରୀଡ଼ାରେ ଭାରତ ଥରେ ମାତ୍ର ସ୍ୱର୍ଣ୍ଣ ପଦକ ଜିତିଛି। ଯାହାକି ୧୯୮୨ ପଦାର୍ପଣରେ ହିଁ ମିଳିଥିଲା। ଇଣ୍ଡୋନେସିଆ କ୍ରୀଡ଼ାରେ ବୁଧବାର ସେମିଫାଇନାଲ୍‌ରେ ଭାରତ ତିନ ଥର ବିଜୟିନୀ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ଦୌଡ଼ରେ ସାମିଲ ହୋଇଯାଇଛି। ଚୀନ୍‌ ବିପକ୍ଷ ଏହି ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯାହା ଫଳରେ ପ୍ରଥମ ତିନି କ୍ୱାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଚତୁର୍ଥ କ୍ୱାର୍ଟର୍‌ରେ ଗୁରଜିତ କୌର (୫୨ ମିନିଟ୍‌)ଙ୍କ ଗୋଲ୍‌ ଭାରତକୁ ବିଜୟ ଭେଟି ଦେଇଥିଲା। ଫାଇନାଲ୍‌ ପହଞ୍ଚି ଯାଇଥିବାରୁ ହକିରେ ଭାରତୀୟ ମହିଳା ଦଳ ଅତିକମ୍‌ରେ ରୌପ୍ୟ ପଦକ ନିଶ୍ଚିତ କରିଛି। ଶୁକ୍ରବାର ଫାଇନାଲ୍‌ରେ ଭାରତର ମୁକାବିଲା ୫ ଥର ବିଜୟିନୀ ଜାପାନ୍‌ ସହ ହେବ। ଜାପାନ ବୁଧବାରର ଅନ୍ୟ ସେମିଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୨-୦ ଗୋଲ୍‌ରେ ପରାସ୍ତ କରି ଦେଇଥିଲା।

ସମ୍ବନ୍ଧିତ ଖବର