ହାର୍ଟବର୍ଜରଙ୍କ ନାଁରେ ପ୍ରଥମ ହ୍ୟାଟ୍ରିକ୍

ଭୁବନେଶ୍ବର : ଶନିବାର ଚଳିତ ପୁରୁଷ ହକି ବିଶ୍ବକପର ପ୍ରଥମ ହ୍ୟାଟ୍ରିକ୍ ଦେଖିବାକୁ ମିଳିଛି। ସେହିଭଳି ଦୁଇ ପୂର୍ବ ବିଜେତା ଜର୍ମାନି ଏବଂ ନେଦରଲାଣ୍ଡ ନିଜ ନିଜ ମ୍ୟାଚ୍ ଜିତି ସମ୍ମାନର ସହ ଅଭିଯାନ ଆରମ୍ଭ କରିଛନ୍ତି।

ଆଜିର ନେଦରଲାଣ୍ଡ-ମାଲେସିଆ ମ୍ୟାଚ୍‌ରେ ଗତଥରର ଉପବିଜେତା ନେଦରଲାଣ୍ଡ ୭ ଗୋଲ୍ କରିଥିଲା। ଅନ୍ୟପକ୍ଷରେ ମାଲେସିଆ ଖାତା ଖୋଲି ପାରି ନଥିଲା।

ନେଦରଲାଣ୍ଡର ଅଭିଜ୍ଞ ତାରକା ଜେରୋନ ହାର୍ଟବର୍ଜର ୧୧, ୨୯ ଓ ୬୦ ମିନିଟ୍‌ରେ ଏକାକି ତିନିଟି ଗୋଲ୍‌ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏହି ଅନନ୍ୟ ସଫଳତା ଲାଭ କରିବାରେ ସେ ମଧ୍ୟ ଭୁବନେଶ୍ବର ବିଶ୍ବକପର ପ୍ରଥମ ଖେଳାଳି ହୋଇଥିଲେ।।

ପୁଲ୍ ଡି’ର ଏହି ଦୁଇଟି ମ୍ୟାଚ୍ ମଧ୍ୟରୁ ନେଦରଲାଣ୍ଡ-ମାଲେସିଆ ମ୍ୟାଚ୍ ପୂରା ଏକପାଖିଆ ରହିଥିଲା। ନେଦରଲାଣ୍ଡ ଗୋଲ୍ ବର୍ଷା କରୁଥିଲା ବେଳେ ମାଲେସିଆ କେବଳ ଦେଖଣାହାରି ସାଜିଥିଲା। ନେଦରଲାଣ୍ଡର ବିଜୟ ମଧ୍ୟ ଭୁବନେଶ୍ବର ବିଶ୍ବକପରେ ଆଜିପର୍ଯ୍ୟନ୍ତର ସର୍ବବୃହତ୍ ବିଜୟ ଥିଲା। ଅନ୍ୟପକ୍ଷରେ ବିଶ୍ବକପର ସଫଳତମ ଦଳ ପାକିସ୍ତାନ ଓ ୟୁରୋପୀୟ ଶକ୍ତି ଜର୍ମାନି ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚ୍ ବେଶ୍ ସଂଘର୍ଷପୁର୍ଣ୍ଣ ରହିଥିଲା। ଏହାକୁ ଅବଶ୍ୟ ଜର୍ମାନି ଶେଷରେ ୧-୦ରେ ଜିତି ନେଇଥିଲା। ରବିବାର ଘରୋଇ ଭାରତ ନିଜ ଦ୍ବିତୀୟ ମୁକାବିଲାରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ। ଏହା ପୂର୍ବରୁ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ କାନାଡା ଏବଂ ଦକ୍ଷିଣ ଆଫ୍ରିକା ଲଢ଼ିବେ।

ସମ୍ବନ୍ଧିତ ଖବର