ପୁରୁଷ ହକି ବିଶ୍ବକପ୍‌ : ମ୍ୟାଚ୍‌ ଡ୍ର’ ରଖିଲା ଭାରତ

ଭୁବନେଶ୍ବର (ସୁରେଶ ସ୍ବାଇଁ): ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ରବିବାର ଖେଳାଯାଇଥିବା ପୁଲ୍‌ ‘ସି’ ର ଉଭୟ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ‌ହୋଇଛି। ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଏବଂ କାନାଡ଼ା ୧-୧ ଗୋଲ୍‌ରେ ପଏଣ୍ଟ ବାଣ୍ଟିବା ପରେ ଭାରତ ମଧ୍ୟ ସମାନ ୧ ପଏଣ୍ଟ ପାଇଛି ଶକ୍ତିଶାଳୀ ବେଲଜିୟମକୁ ୨-୨ ଗୋଲ୍‌ରେ ରୋକି। ଏହି ଫଳାଫଳ ମଧ୍ୟ ପୁଲ୍‌ ‘ସି’ ସ୍ଥିତିକୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଝୁଲାଇ ଦେଇଛି। ଏହି ପୁଲ୍‌ର ଶେଷ ପର୍ଯ୍ୟାୟ ଶନିବାର କାନାଡ଼ା-ଭାରତ ଏବଂ ଦକ୍ଷିଣ ଆଫ୍ରିକା-ବେଲଜିୟମ୍ ମୁକାବିଲା ହେବ। ଏହି ଦୁଇ ମ୍ୟାଚ୍ ନିଣ୍ଣୟ କରିଦେବ କିଏ କ୍ବାର୍ଟରଫାଇନାଲ, କିଏ କ୍ରସ ଓଭର ଖେଳିବ ଏବଂ କିଏ ସ୍ବଦେଶ ଫେରିବ।

କଳିଙ୍ଗ ହକି ଆଡ଼ାରେ ରବିବାର ପୂର୍ବ ଆଶା ମୁତାବକ ବେଲଜିୟମ ହିଁ ପ୍ରଥମରୁ ଆକ୍ରମଣ କରିଥିଲା। ପ୍ରଥମ ୨ ମିନିଟ୍‌ ଭିତରେ ଲଗାତାର ୨ ପେନାଲଟି କର୍ନର ପାଇଥିଲା। ଗୋଟିକୁ ଡିଫେଣ୍ଡର ଏବଂ ଅନ୍ୟଟିକୁ ସୁରେନ୍ଦର ନିଷ୍ଫଳ କରିଥିଲେ। ବେଲଜିୟମ୍ ଭାରତୀୟ ବଳୟରେ ପଶି ଅଡୁଆ ପରିସ୍ଥିତି ସଷ୍ଟି କରିଥିଲା। ଫଳ ସ୍ବରୂପ ନିଜର ତୃତୀୟ ପେନାଲଟି କର୍ନରରୁ ଗୋଲ୍ କରି ପ୍ରଥମେ ଆଗୁଆ ହୋଇଯାଇଥିଲା। ଅଷ୍ଟମ ମିନିଟ୍‌ରେ ଏହି ୟୁରୋପୀୟ ଦଳର ଆଲେକଜାଣ୍ଡର ହେଣ୍ଡ୍ରିକ୍ସଙ୍କ ଶକ୍ତିଶାଳୀ ଫ୍ଲିକ୍ ଭାରତୀୟ ଗୋଲରକ୍ଷକ ଶ୍ରୀଜେଶଙ୍କ ଦୁଇ ଗୋଡ଼ ମଝି ଫାଙ୍କରେ ପଶିଯିବାରୁ କଳିଙ୍ଗ ପ୍ରଶଂସକ ସ୍ତବ୍‌ଧ ହୋଇଯାଇଥିଲେ। ଏହାର ୩ ମିନିଟ୍‌ ପରେ ଲଳିତ ଉପାଧ୍ୟାୟ ଏକ ଲମ୍ବା କ୍ରସ୍‌କୁ ଷ୍ଟିକ୍ ସଂଯୋଗ କରିନପାରି ସୁଯୋଗ ଛାଡ଼ିଥିଲେ। ପ୍ରଥମ କ୍ବାର୍ଟର ଶେଷ ମିନିଟରେ ଅମିତ ରୋହିଦାସ ଏକ ଗୋଲ୍‌ ବଞ୍ଚାଇବା ଏବଂ ମନଦୀପ୍ ସିଂହ ଏକ ସୁଯୋଗ ଛାଡ଼ିବା ଏହି ୧୫ ମିନିଟକୁ ଘଟଣାବହୁଳ କରି ଦେଇଥିଲା। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ୍ ସିଂହ ଗ୍ରୀନ୍ କାର୍ଡ ପାଇବାରୁ ଭାରତ ୧୦ ଜଣରେ‌ ଖେଳିଥିଲା। କିନ୍ତୁ ଏହି ସମୟରେ ଭାରତ ନିଜ ରକ୍ଷଣଭାଗକୁ ସମ୍ଭାଳି ବେଲଜିୟମ ପ୍ରୟାସକୁ ପଣ୍ଡ କରିବାରେ ସଫଳ ‌ହୋଇଥିଲା। ଏଥି ସହିତ ପ୍ରଥମାର୍ଧରେ ଭାରତ ୦-୧ରେ ପଛୁଆ ରହିଥିଲା।

ପାର୍ଶ୍ବ ପରିବର୍ତନ ସହ ଭାରତ ଭିନ୍ନ ରୂପ ଏବଂ ସଙ୍କଳ୍ପରେ ପଡ଼ିଆକୁ ଓହ୍ଲାଇଥିଲା। ଆକ୍ରମଣ ଯେ ରକ୍ଷଣର ମୂଳସୂତ୍ର ଏହାକୁ ମନ୍ତ୍ର କରି ପଡ଼ିଆକୁ ଆସିଥିଲା। ଉତ୍ତରପଟୁ ଆକ୍ରମଣ କରିବା ସୁଯୋଗରେ ମଧ୍ୟ ସଫଳ ହୋଇଥିଲା। ୩୫ତମ ମିନିଟ୍‌ରେ ଲଳିତ ଉପାଧ୍ୟାୟ-ଆକାଶଦୀପ ସିଂହ ଖେଳରୁ ମିଳିଥିଲା ପ୍ରଥମ ପେନାଲଟି କର୍ନର। ଦିଲପ୍ରୀତଙ୍କ ହିଟ୍‌କୁ ଗୋଲରକ୍ଷକ ଭିନସେଣ୍ଟ ବନାଂଶ ଉପରକୁ ଡେଇଁ ଏଡ଼ାଇ ଦେଇଥିଲେ। ଭାରତକୁ କିନ୍ତୁ ୩୮/୩୯ ମିନିଟ୍‌ରେ ଲଗାତାର ପେନାଲଟି କର୍ନର ମିଳିଥିଲା। ଜନ୍ମଦିନ ତାରକା ତଥା ଉପ ଅଧିନାୟକ ଚିଙ୍ଗଲସାନା ପ୍ରତିପକ୍ଷର ଆର୍ଥର ଭାନ୍ ‌‌ ‌‌‌‌ଡୋରେନଙ୍କ ପାଦକୁ ଖେଳି ଏହାକୁ ଅର୍ଜନ କରିଥିଲେ। ପରବର୍ତୀ ସମୟରେ ଏହା ପେନାଲଟି ଷ୍ଟ୍ରୋକରେ ପରିଣତ ହୋଇଥିଲା। ହରମନ୍‌ପ୍ରୀତ ସିଂହ ଏହାକୁ ଚତୁରତାର ସହ ଗୋଲ୍‌ରେ ପରିଣତ କରିଦେଇଥିଲେ। ସମତୁଲ ହକି ଦେଖାଇଥିବା ତୃତୀୟ କ୍ବାର୍ଟର ୧-୧ରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର କିନ୍ତୁ ଚମତ୍କାର ଭାବେ ଆରମ୍ଭ ‌ହୋଇଥିଲା ଭାରତ ପାଇଁ। ୪୭ତମ ମିନିଟ୍‌ରେ ଅଧିନାୟକ ମନପ୍ରୀତ୍ ସିଂହଙ୍କଠାରୁ ପାଇଥିବା ପାସ୍‌କୁ କୋଠାଜିତ୍ ସିଂହ ଗୋଲ ଦିଶା ଦେଖାଇବା ପରେ ସିମ୍ରନଜିତ୍ ସିଂହଙ୍କ ଶେଷ ସ୍ପର୍ଶରେ ଭାରତ ପ୍ରଥମ ଥର ଆଗୁଆ ‌ହୋଇଥିଲା। ପଛୁଆ ହୋଇଯିବା ପରେ ବେଲଜିୟମ୍ ନିଜର ରଣ କୌଶଳ ବଦଳାଇ ଦେଇଥିଲା ଏବଂ ଗୋଲ୍‌ରକ୍ଷକ ଭିନସେଣ୍ଟ ବନାଂଶଙ୍କୁ ହଟାଇ ଗୋଲପୋଷ୍ଟକୁ ଖାଲି କରି ଦେଇଥିଲା। ଅତିରିକ୍ତ ଆକ୍ରମଣ କରିବାକୁ ଏଭଳି କରାଯାଇଥିଲା। ଲୋଇକ୍ ଲୁଇପାର୍ଟ କମଳା ରଙ୍ଗର ଡମି ଗୋଲରକ୍ଷକ ଭାବେ ଡିଫେଣ୍ଡର ଦାୟିତ୍ବ ତୁଲାଇଥିଲେ। ଏଭଳି କୌଶଳର ପ୍ରଥମ ମିନିଟ୍ (୫୬ତମ)ରେ ହିଁ ଏହାର ସୁଫଳ ପାଇଥିଲା ବେଲଜିୟମ। ସେହି ମିନିଟ୍‌ରେ ଭାରତ ବଳୟରେ ହୋଇଥିବା ମେଳି ଭିତରୁ ସାଇମନ ଗଙ୍ଗନାର୍ଡ ଫିଲଡ୍ ଗୋଲ୍‌ ଦେଇଥିଲେ। ଏହି ଗୋଲ୍‌ ସହିତ ଭାରତର ସମ୍ପୂର୍ଣ୍ଣ ପଏଣ୍ଟ ଏବଂ ସିଧାସଳଖ କ୍ବାର୍ଟରଫାଇନାଲ୍‌ ଯିବାରେ ପ୍ରଶ୍ନ ଲାଗି ଯାଇଥିଲା। ତଥାପି ଭାରତ ଶନିବାର ନିଜର ଦ୍ବିତୀୟ ମ୍ୟାଚ୍ ଖେଳିବାର ଥିବାରୁ କେତେ ଗୋଲ୍‌ରେ ଜିତିବାକୁ ହେବ ଆଗୁଆ ଟାର୍ଗେଟ ପାଇଯିବ। ଏହା ଭାରତକୁ ଫାଇଦାରେ ରଖିବ। ଗତ ବୁଧବାର ନିଜର ପୂର୍ବ ମ୍ୟାଚ୍‌ରେ ଭାରତ ୫-୦ରେ ଦକ୍ଷିଣ ଆଫ୍ରିକାକୁ ଏବଂ ବେଲଜିୟମ ୨-୧ରେ କାନାଡ଼ାକୁ ପରାସ୍ତ କରିଥିଲା। ଆଜିର ମ୍ୟାଚ୍ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନୀ ଅତିଥି ଥିଲେ। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ମ୍ୟାଚ୍ ଶେଷରେ ଭାରତୀୟ ଦଳର ଡିଫେଣ୍ଡର ବରୁଣ କୁମାରଙ୍କୁ ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର