ହୃଦ୍‌ସ୍ପନ୍ଦନ ଅଟକିଗଲା : ଅଧାରୁ ଭାରତ ବିଦା, ନେଦରଲାଣ୍ଡ୍ ସେମିରେ

ଭୁବନେଶ୍ବର : କଳିଙ୍ଗ ସ୍ତବ୍‌ଧ ହୋଇଗଲା, ୧୩୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ ବି ଅଟକିଗଲା। ସମୟର ଘଣ୍ଟା ଅଟକଯିବା ଭଳି ନିରବତା ବି ଛାଇଗଲା ହକି ପ୍ରେମୀଙ୍କ ମନ, ପ୍ରାଣ ଓ ହୃଦୟରେ। ୪୩ ବର୍ଷର ଅଧୁରା ସ୍ବପ୍ନକୁ ବି କଳିଙ୍ଗ ମାଟିରେ ସାକାର କରିବାର ଆଶା ପାଣି ଫୋଟକା ଭଳି ଉଭେଇଗଲା। କଳିଙ୍ଗ ହକି କଂପ୍ଳେକ୍ସରେ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌’ର ସ୍ମରଣୀୟ ପଦାର୍ପଣ ବି ଭାରତ ପାଇଁ ଯଥା ପୂର୍ବଂ ତଥା ପରଂର ‘ଶ୍ଲୋକ’ ଦୋହରାଇଦେଲା। କ୍ବାର୍ଟରଫାଇନାଲ୍‌ଠାରୁ ଆଗକୁ ବଢ଼ି ପାରିଲା ନାହିଁ ଭାରତ। ‘ଖାଲି ହାତରେ ଫେରିବୁ ନାହିଁ’ର ଦମ୍ଭୋକ୍ତି କେବଳ କଥାରେ ରହିଗଲା। ଭାରତୀୟ ହକିର ସୁବର୍ଣ୍ଣ ଯୁଗ ଫେରୁ ଫେରୁ ହାତ ପାହାନ୍ତାରୁ ଖସିଗଲା।

ଗୁରୁବାର ମ୍ୟାଚ୍ ଆରମ୍ଭରୁ ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷା ଫଳାଫଳର ଆଭାସ ଦେଇ ସାରିଥିଲା। ଜୋସରେ ନ ଥିଲେ, ‌େହ‌ାସରେ ନ ଥିବା ଭଳି ଖେଳିଥିଲେ କଳିଙ୍ଗର ସୁନୀଳ ଟର୍ଫରେ। ଫିକା ନୀଳ ଜର୍ସି ବି ୬୦ ମିନିଟରେ ଫିକା ପଡ଼ିଯାଇଥିଲା। କମଳା ରଙ୍ଗରେ ଖେଳିଥିବା ଗତ ଥରର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍‌ ବି ବିଜୟ ଛଡ଼ାଇନେବାକୁ ଅଧିକ କିଛି ପରିଶ୍ରମ କରିନଥିଲା। ଭାରତକୁ ୨-୧ ଗୋଲ୍‌ରେ ଦଳି ଦେଇଥିଲା। ଏହି ବିଜୟ ସହିତ ଶନିବାର ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଛି ନେଦରଲାଣ୍ଡ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ ବେଲଜିୟମ ଭେଟିବ ଇଂଲଣ୍ଡକୁ। ଭାରତର ବିଦାୟ ପୂର୍ବରୁ ୨ ଥର ବିଜେତା ଜର୍ମାନିକୁ ସମାନ ୧-୨ ଗୋଲ୍‌ରେ ବିଦାୟ ରାସ୍ତା ‌ଦେଖାଇଥିଲା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ୍।

ପ୍ରଥମ କ୍ବାର୍ଟରରେ ଭାରତ ଅର୍ଜନ କରିଥିବା ପ୍ରଥମ ପେନାଲଟି କର୍ନରରୁ ହିଁ ପ୍ରଥମ ଗୋଲ୍‌ ମିଳିଥିଲା। ମନପ୍ରୀତଙ୍କ ପୁସ୍‌ରୁ ହରମନପ୍ରୀତଙ୍କ ହିଟ୍‌ ଫେରି ଆସିବାବେଳେ ପୁଣି ମନପ୍ରୀତଙ୍କଠାରୁ ବଲ୍‌ ନେଇ ଆକାଶଦୀପ୍ ସିଂହ ଗୋଲ୍‌ ଦେଇଥିଲେ। ଶେଷ ମିନିଟ୍‌ରେ କିନ୍ତୁ ଭାରତ ଏକ ସହଜ ଫିଲଡ୍‌ ଗୋଲ୍‌ ବରଣ କରି ଏହି ଅଗ୍ରଣୀ ଏବଂ ଲୟକୁ ଲେଉଟାଇ ଦେଇଥିଲା। ପରବର୍ତୀ ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବାରୁ ମ୍ୟାଚ୍ ୫୦ ମିନିଟ୍ ପର୍ଯ୍ୟନ୍ତ ବି ୧-୧ରେ ରହିଥିଲା। ତୃତୀୟ କ୍ବାର୍ଟରରେ ନେଦରଲାଣ୍ଡର ଲଗାତାର ପେନାଲଟି କର୍ନରକୁ ରୋକି ଭାରତ ବର୍ତିଯାଇଥିଲା। ଏପରିକି ଭିଡିଓ ରେଫେରାଲ ଜରିଆରେ ହ୍ୟାଟ୍ରିକ୍ ପେନାଲଟି କର୍ନରରୁ ବି ବର୍ତିଥିଲା। ବୀରେନ୍ଦ୍ର ଲାକ୍ରା ବି ଏକ ଗୋଲ୍‌ ଏଡ଼ାଇ ଦଳ ପାଇଁ ସୁଯୋଗ ରଖିଥିଲେ। କିନ୍ତୁ ଯେଭଳି ଆକ୍ରମଣାତ୍ମକ ହକି, କଳାତ୍ମକ ଷ୍ଟିକ୍ ଚାଳନା ଏବଂ ବଲ୍‌ ନିୟନ୍ତ୍ରଣର ଆବଶ୍ୟକତା ଥିଲା ସେଥିରେ ଭାରତୀୟ ଖେଳାଳି ଢ଼େର ଦୂରରେ ଥିଲେ। ୪୮ତମ ମିନିଟରେ ସିମରନଜିତ୍ ସିଂହଙ୍କ ଏକା ଏକା ଖେଳକୁ ଆକାଶଦୀପ ପ୍ରତିପକ୍ଷ ଗୋଲ ମୁହଁରେ ବଲ୍‌ରେ ଷ୍ଟିକ୍ ସଂଯୋଗ କରି ନପାରି ହାତଛଡ଼ା କରିଥିଲେ। ୫୦ତମ ମିନିଟରେ କିନ୍ତୁ ନେଦରଲାଣ୍ଡ୍‌ ଅର୍ଜନ କରିଥିବା ନିଜର ଚତୁର୍ଥ ପେନାଲଟି କର୍ନରକୁ ମିଙ୍କ ଭାନ ଡେର୍ ୱିର୍ଦେନ ଗୋଲରେ ପରିଣତ କରି ହକି ହୃଦସ୍ପନ୍ଦନକୁ ରୋକି ଦେଇଥିଲେ। ଅମିତ ରୋହିଦାସ ୫୩ ମିନିଟରେ ହଳଦିଆ କାର୍ଡ ପାଇ ବାହାରକୁ ଯିବା ବି ଦଳର ରକ୍ଷଣ ଭାଗକୁ ଦୁର୍ବଳ କରିଥିଲା। ଏହି ଗୋଲ୍ ପରଠାରୁ ଭାରତୀୟ ଖେଳାଳି ମ୍ୟାଚ୍ ହାତଛଡ଼ା କରିସାରିଥିବା ଭଳି ଖେଳିଥିଲେ। ଏହି ବାସ୍ତବତା ହିଁ ଫଳାଫଳରେ ଆସିଥିଲା। ଶେଷ କ୍ଷଣରେ ଭାରତକୁ ଏକ ପେନାଲଟି କର୍ନର ମିଳିବା ସମ୍ଭାବନା ଥିଲା, ଯାହା ରେଫେରାଲ ଅଭାବ ଏବଂ ଅମ୍ପାୟାରଙ୍କ ଅନିଚ୍ଛାରେ ସୀମିତ ରହିଥିଲା।

ଏହି ମ୍ୟାଚ୍ ପ୍ରାରମ୍ଭରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହବାଗ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ବିଧାୟକ ଦେବାଶିଷ ସାମନ୍ତରାୟ ଭାରତୀୟ ଦଳର ଡିଫେଣ୍ଡର ସୁରେନ୍ଦର କୁମାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର